୧୧୦୦ କୋଟି ବନ୍ୟା ସହାୟତା ଦାବି କଲା ଓଡିଶା

ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି କ୍ଷୟକ୍ଷତିର ଭରଣା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ପ୍ରାୟ ୧୧୦୦ କୋଟି ଟଙ୍କାର ସହାୟତା ଦାବି ରଖିଛି। ଏହାଛଡା ବିପର୍ଯ୍ୟୟ ପ୍ରତିରୋଧ ନିମନ୍ତେ ସ୍ଥାୟୀ ପଦକ୍ଷେପ ପାଇଁ ଆବଶ୍ୟକ ଅର୍ଥ ଚୂଡ଼ାନ୍ତ ସ୍ମାରକପତ୍ରରେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା।

ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରୀୟ ଟିମ ଆଜି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବିଶିଷ୍ଟଙ୍କ ନେତୃତ୍ୱରେ ଆସିଥିବା ୫ଜଣିଆ କେନ୍ଦ୍ର ପ୍ରତିନିଧି ମଣ୍ଡଳୀକୁ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ବିଭିନ୍ନ ବିଭାଗର ସଚିବମାନେ ବନ୍ୟା କ୍ଷୟକ୍ଷତି, ରିଲିଫ ଓ ସ୍ଥାନାନ୍ତର ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ ପଦକ୍ଷେପକୁ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିବା ସହ ଏସଡିଆରଏଫ ମାନଦଣ୍ଡ ଅନୁସାରେ ସହାୟତା ଦେବାକୁ ସହମତି ଜଣାଇଥିଲେ। ଏଥିସହ ନୂଆ ନଦୀବନ୍ଧ ନିର୍ମାଣ, ନଦୀବନ୍ଧକୁ ସୁଦୃଢ଼ କରିବା, ଭାଙ୍ଗି ଯାଇଥିବା ଘର ପରିବର୍ତ୍ତେ ବିପର୍ଯ୍ୟୟ ପ୍ରତିରୋଧ ଘର ନିର୍ମାଣ ଭଳି ସ୍ଥାୟୀ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ସହମତି ଜଣାଇଥିଲେ। କେନ୍ଦ୍ର ସରକାରଙ୍କ ସହଯୋଗରେ ବିପର୍ଯ୍ୟୟ ପରିଚାଳନାର ସ୍ଥାୟୀ ପ୍ରତିକାର ନିମନ୍ତେ ରାଜ୍ୟ ସରକାରଙ୍କ ନୂଆ ଆଭିମୁଖ୍ୟକୁ ମଧ୍ୟ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିଛନ୍ତି।

ସୂଚନା ଅନ୍ୟଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଟିମକୁ କୁହାଯାଇଛି ଗତମାସରେ ଆସିଥିବା ବନ୍ୟାରେ ୧୮ଟି ଜିଲ୍ଲାର ୧୩୫ଟି ବ୍ଲକ ଓ ୨୧ଟି ପୌରାଂଚଳ, ୧୨୭୬ଟି ପଂଚାୟତର ୬୦୬୬ଟି ଗାଁର ମୋଟ ୨୫.୮୦ଲକ୍ଷ ଲୋକ ପ୍ରଭାବିତ ହୋଇଛି। ୮.୫୯ଲକ୍ଷ ପଶୁସମ୍ପଦ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୧୩.୮୭ଲକ୍ଷ ଲୋକ ଜଳବନ୍ଦୀ ଥିଲେ। ବନ୍ୟାରେ ୧ଲକ୍ଷ ୧୨ହଜାର ୬୭୦ଟି ଘର ନଷ୍ଟ ହୋଇଛି। ୩.୧୧ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ୬୨୪୫୬ ହେକ୍ଟର ଫସଲରେ ବାଲି ମାଡ଼ି ଯାଇଛି। ୩୦ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୩୦୬୫୪ ପଶୁସମ୍ପଦ ମଧ୍ୟ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ଫସଲ ମଧ୍ୟରୁ ପ୍ରାୟ ୨.୨୫ଲକ୍ଷ ହେକ୍ଟର କୃଷି ଜମିରେ ସର୍ବନିମ୍ନ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି। ବନ୍ୟାରେ ବହୁ ନଦୀବନ୍ଧ, ରାସ୍ତା ଓ ସାର୍ବଜନୀନ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଦର୍ଶଯାଇଛି।

ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ପ୍ରଥମ ଦିନରେ ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଏବଂ ଦ୍ୱିତୀୟ ଦିନରେ ଯାଜପୁର ଓ ପୁରୀ ଜିଲ୍ଲା ଗସ୍ତ କରି ବନ୍ୟା କ୍ଷୟକ୍ଷତି ଆକଳନ କରିଥିଲେ। ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବିଶିଷ୍ଟଙ୍କ ଏହି ଟିମରେ ବୀରେନ୍ଦ୍ର ସିଂହ, ଅମ୍ରିପାଲ ସିଂ, ଶାଶ୍ୱତ ମହାପାତ୍ର ଓ ଏସଏସ ମୋଦି ସାମିଲ ଥିଲେ। ଟିମ୍ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ଫେରି ଯାଇଛନ୍ତି।

ମତାମତ ଦିଅନ୍ତୁ ।