୧୧ଟି ପ୍ରସ୍ତାବ ଉପରେ ଲାଗିଲା କ୍ୟାବିନେଟର ମୋହର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ ଆଜି ୧୧ଟି ପ୍ରସ୍ତାବ ଉପରେ ମୋହର ଲଗାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗୁଡ଼ିକ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏଥିରେ ଅର୍ଥ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବ ରହିଛି। ସେହିପରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତାବକୁ ମଧ୍ୟ ମିଳିଛି ଅନୁମୋଦନ।

ମୁଖ୍ୟ ସଚିବ କହିଛନ୍ତି ୧୧ଟି ପ୍ରସ୍ତାବ ମଧ୍ୟରୁ ୪ଟି ହେଉଛି ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ଓ ପ୍ରଶସ୍ତିକରଣ। ପଶ୍ଚିମ ଓଡ଼ିଶାରେ ଗମନାଗମନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ନୂଆପଡ଼ାରୁ କଳାହାଣ୍ଡି ଯାଏଁ ବିଜୁ ଏକ୍ସପ୍ରେସ ୱେ ୪ ଲେନ୍ ହେବ। ୧୭୪ କିଲୋମିଟର ବିଶିଷ୍ଟ ରାସ୍ତାରେ ମୋଟ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ। କଟକ ସହରର ମୁଖ୍ୟ ଡ୍ରେନକୁ ବକ୍ସ କଲଭର୍ଟ କରିବାକୁ ନିଷ୍ପତ୍ତି ହୋଇଛି। ପଟ୍ଟାପୋଲ ଠାରୁ ମାତୃ ଭବନ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନ ବକ୍ସ କଲଭର୍ଟ ହେବ। ୨୦୨୨ ସୁଦ୍ଧା ନିର୍ମାଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହି ପ୍ରକଳ୍ପରେ ମୋଟ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଓଡ଼ିଶା ପ୍ରଶାସନିକ ସେବା ପାହ୍ୟାରେ ଆଉ ୨୨୦ଟି ନୂଆ ପଦବୀ ସୃଷ୍ଟି କରାଯିବ। ଫଳରେ ଏହି ପଦବୀ ସଂଖ୍ୟା ୧୯୦୩ରୁ ୨୧୨୩କୁ ବୃଦ୍ଧି ପାଇଛି। ବିଭିନ୍ନ ବିଭାଗର ଆବଶ୍ୟକତା ଅନୁସାରେ ଏହି ସେବାର ଅଧିକାରୀମାନଙ୍କୁ ବିଭିନ୍ନ ସ୍ତରରେ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଅତିରିକ୍ତ ପଦବୀର ଆବଶ୍ୟକତା ରହିଛି । ଓଏଏସ୍ ଅଫିସରଙ୍କ ପଦୋନ୍ନତି ପ୍ରକ୍ରିୟାକୁ ଗତିଶୀଳ ଓ ସୁସଙ୍ଗତ କରିବା ପାଇଁ ରାଜ୍ୟ ସରକାର ବରିଷ୍ଠସ୍ତରରେ ପଦବୀ ବୃଦ୍ଧି କରିଛନ୍ତି।

ଓଏଏସ ଏଣ୍ଟ୍ରି ଲେଭଲ୍ ପଦବୀ ସଂଖ୍ୟା ୧୧୮୮କୁ ଅପରିବର୍ତ୍ତିତ ରଖି ଓଏଏସ୍ ଗ୍ରୁପ-ଏ (ସିନିୟର ବ୍ରାଂଚ) ପାହ୍ୟାରେ ଅଧିକ ୫୫ଟି ପଦବୀ, ଓଏଏସ (ସୁପର ଟାଇମ୍ ସ୍କେଲ) ପାହ୍ୟାରେ ଅଧିକ ୩୫ଟି, ଓଏଏସ୍ (ସୁପରିଅର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍‌) ପାହ୍ୟାରେ ଅଧିକ ୯୦ଟି, ଓଏଏସ ( ସ୍ପେଶାଲ ସେକ୍ରେଟାରୀ) ପାହ୍ୟାରେ ଅଧିକ ୪୦ଟି ପଦବୀକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ପୂର୍ବରୁ ଓଏଏସ୍‌ ସୁପର ଟାଇମ୍ ସ୍କେଲରେ ୩୩୦ ପଦବୀ ଥିବା ବେଳେ ଏହା ୩୮୫କୁ ବୃଦ୍ଧି ପାଇଛି। ସେହିପରି ଓଏଏସ୍‌ ସ୍ପେଶାଲ ସେକ୍ରେଟାରୀରେ ୨୫ ବଦଳରେ ୬୫ଟି ପଦ ସୃଷ୍ଟି ହୋଇଛି। ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଦୀର୍ଘଦିନ ଧରି ବରିଷ୍ଠ ପାହ୍ୟାର ପଦବୀ ସଂଖ୍ୟା ବୃଦ୍ଧି ପାଇଁ ଦାବି ହେଉଥିଲା।

ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ୨୦୨୦ ଡିସେମ୍ବର ୨୮ତାରିଖରେ ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ନିୟମ-୨୧ରେ ଥିବା ବ୍ୟବସ୍ଥାରେ ସଂଶୋଧନ ପାଇଁ ମଞ୍ଜୁରୀ ମିଳିଛି। ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ନିୟମ ୨୧ରେ ଧାର୍ଯ୍ୟ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜ ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତଥା ଏହାର ମୂଲ୍ୟ ବିଷୟରେ ଏକ ସତ୍ୟ ଓ ସମ୍ପୂର୍ଣ୍ଣ ଘୋଷଣା କରିବା ଆବଶ୍ୟକ। ତେବେ ରାଜ୍ୟ କ୍ୟାବିନେଟ ୨୦୨୦ ଡିସେମ୍ବର ୨୮ରେ ନେଇଥିବା ନିଷ୍ପତ୍ତି ଅନୁସାରେ ସମସ୍ତ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିମାନେ ବାର୍ଷିକ ସମ୍ପତ୍ତି ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିବା ଆବଶ୍ୟକ। ଏହାକୁ ସାଧାରଣ ଲୋକଙ୍କ ସୂଚନା ପାଇଁ ସାର୍ବଜନୀନ କରାଯିବ। ଏହି ସମ୍ପତ୍ତି ବିବୃତ୍ତିର ଏକ ନକଲ ମଧ୍ୟ ଲୋକାୟୁକ୍ତଙ୍କ ସୂଚନା ପାଇଁ ପଠାଯିବ।

ଓଡ଼ିଶା ଟିକସ ଓ ହିସାବ ସେବା ନିୟମାବଳୀ-୨୦୧୧’ର ସଂକ୍ଷିପ୍ତ ସଂଶୋଧନକୁ ଅନୁମୋଦନ ମିଳିଛି। ପ୍ରଶିକ୍ଷଣ ନିମନ୍ତେ ଆଧୁନିକ ଜ୍ଞାନକୌଶଳର ବହୁଳ ଭାବେ ଉପଯୋଗ କରାଯାଉଥିବାରୁ ଏହି ସଂଶୋଧନ ହୋଇଛି। ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ସିଧାସଳଖ ନିଯୁକ୍ତି ପାଉଥିବା ଓଡ଼ିଶା ଟିକସ ଓ ହିସାବ ସେବାର ଅଧିକାରୀମାନେ ଉକ୍ତ ସେବାରେ ସ୍ଥାୟୀ ହେବାନିମନ୍ତେ ମଧୁସୂଦନ ଦାସ ଆଂଚଳିକ ଆର୍ଥିକ ପରିଚାଳନା ପ୍ରତିଷ୍ଠାନରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣର ଅବଧିକୁ ଏକ ବର୍ଷ ପରିବର୍ତ୍ତେ ୧୦ମାସ ଧାର୍ଯ୍ୟ କରାଗଲା।

ସେହିପରି ପ୍ରସ୍ତାବିତ ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା, ଗ୍ରୁପ୍‌-ସି ନିଯୁକ୍ତି ସର୍ତ୍ତାବଳୀ ନିୟମ-୧୯୮୩ର ନିୟମ ୪(କ)ରେ ପୁନଃସଂଶୋଧନ ଦ୍ୱାରା ପ୍ରାଣୀଧନ ନିରୀକ୍ଷକ ନିମନ୍ତେ ଉଦ୍ଦିଷ୍ଟ ମଞ୍ଜୁରୀପ୍ରାପ୍ତ ପଦବୀର ୯୦% ସିଧାସଳଖ ନିଯୁକ୍ତି ମାଧ୍ୟମରେ ଓ ଅବଶିଷ୍ଟ ୧୦% ଯୋଗ୍ୟ ବିବେଚିତ ଗ୍ରୁପ୍‌-ଡି ପ୍ରାର୍ଥୀମାନଙ୍କ ଦ୍ୱାରା ପୂରଣ କରାଯାଇ ପାରିବ।

Leave a Reply

Your email address will not be published. Required fields are marked *

Back to top button