୧୪ ଦିନ କ୍ଵାରେଣ୍ଟାଇନ୍‌ରେ ରହିବେ କୁମ୍ଭମେଳା ଫେରନ୍ତା

0

ଭୁବନେଶ୍ଵର : ଦେଶରେ କରୋନା ସଂକ୍ରମଣ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ ରକ୍ଷାକରି କୁମ୍ଭମେଳାକୁ ଆଜି ସମାପ୍ତ ଘୋଷଣା କରାଯାଇଛି। ଏବେ ମେଳରେ ଯୋଗଦେଇଥିବା ସାଧୁ ସନ୍ଥ ଫେରିବେ। ତେଣୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ରିଲିଫ କମିଶନର କୁମ୍ଭମେଳା ଫେରନ୍ତାଙ୍କ ପାଇଁ ନୂତନ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ସେମାନଙ୍କୁ ୧୪ ଦିନିଆ କ୍ଵାରେଣ୍ଟାଇନ୍‌ରେ ରଖିବାକୁ ପରାମର୍ଶ ଦିଆଯାଇଛି।

ଗାଇଡ୍‌ଲାଇନ୍ ଅନୁଯାୟୀ ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ ଆରଟି ପିସିଆର ଟେଷ୍ଟ ହେବ। ଏହାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ବିମାନ କିମ୍ବା ଟ୍ରେନରେ ଫେରିବା ପୂର୍ବରୁ କୁମ୍ଭମେଳାର ଶ୍ରଦ୍ଧାଳୁ ଏହି ଟେଷ୍ଟ କରିବାକୁ କୁହାଯାଇଛି। ଏ ନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷଙ୍କୁ ଏସଆରସି ଚିଠିଲେଖି କୁମ୍ଭମେଳାରେ ସାମିଲ ଶ୍ରଦ୍ଧାଳୁଙ୍କ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାକୁ କୁମ୍ଭମେଳା ଶ୍ରଦ୍ଧାଳୁ ୧୪ ଦିନିଆ କ୍ଵାରେଣ୍ଟାଇନ୍‌ରେ ରହିବେ। ଲକ୍ଷଣ ଦେଖାଦେଲେ ସେମାନଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରାଯିବା ସହ ଆଇସୋଲେସନରେ ରହିବାକୁ ଅଙ୍ଗନବାଡି ଓ ଆଶାକର୍ମୀ ପରାମର୍ଶ ଦେବେ। ପିଏଚସି, ସିଏଚସି, ବିଡିଓ ଓ ଏନଏସି ଅଧିକାରୀଙ୍କୁ ରିପୋର୍ଟ କରିବେ। ଏହାର ସବିଶେଷ ରିପୋର୍ଟ ଜିଲ୍ଲାପାଳ ସ୍ଵାସ୍ଥ୍ୟ ବିଭାଗ ଓ ଏସଆରସିଙ୍କୁ ଦେବେ।

Leave A Reply

Your email address will not be published.