୧୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୧୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୯ ତାରିଖରେ ଏହା ଲଘୁଚାପରେ ପରିଣତ ହେବ। ଫଳରେ ଉତ୍ତର ଓଡ଼ିଶାରେ ଦୁଇରୁ ତିନିଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।

ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ ଗତ ୧୩ ତାରିଖରେ ଲଘୁଚାପ ସୃଷ୍ଟି ହୋଇଥିବା ସ୍ଥାନରେ ୧୭ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୯ରେ ଏହି ଘୂର୍ଣ୍ଣିବଳୟ ଆନ୍ଧ୍ରପ୍ରଦେଶର ଉପକୂଳ ଠାରୁ ଦୂର ସମୁଦ୍ରରେ ଲଘୁଚାପରେ ପରିଣତ ହୋଇ ପୂର୍ବ ଆଡକୁ ମୁହାଁଇବ। ସେହିପରି ୧୯ ତାରିଖରେ ମିଆଁମାର ପାଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦ରେ ଏହା ଲଘୁଚାପରେ ପରିଣତ ହେବ। ଆନ୍ଧ୍ର ଉପକୂଳ ଲଘୁଚାପଟି ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ସହ ମିଶିଯିବାର ଆଭାସ ମିଳିଛି। ଫଳରେ ମିଆଁମାର, ବାଂଲାଦେଶ ଓ ପଶ୍ଚିମବଙ୍ଗରେ ପ୍ରବଳରୁ ପ୍ରବଳତର ବର୍ଷା ହେବ। ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି। ତେଣୁ ୨୧ ତାରିଖରୁ ସମଗ୍ର ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ରାଜ୍ୟର ବିସ୍ତୃତ ଅଞ୍ଚଳରେ ୨ରୁ ୩ଦିନ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି।

ମତାମତ ଦିଅନ୍ତୁ ।