୨୬ରେ ଉପକୂଳ ଛୁଇଁବ ବାତ୍ୟା : ୨୫ରୁ ବର୍ଷିବ

ଭୁବନେଶ୍ୱର : ଆସନ୍ତା ୨୨ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ବାତ୍ୟାର ରୂପ ନେଇ ୨୬ ତାରିଖରେ ଉପକୂଳ ଆଡ଼େ ମୁହାଁଇବ। ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି। ତେବେ କେଉଁଠି ଏହା ମାଡ ହେବ ତାହା ଏବେଠୁ କହିବା ସମ୍ଭବ ନୁହେଁ ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ବୁଧବାର ଶ୍ରୀ ମହାପାତ୍ରଙ୍କ ସୂଚନା ହେଲା ୨୨ ତାରିଖରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହୋଇ ୭୨ ଘଣ୍ଟା ପରେ ଅର୍ଥାତ ୨୫ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ। ବାତ୍ୟାରେ ପରିଣତ ହେବାପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ସଠିକ ଆକଳନ କରାଯାଇପାରିବ।

ଶ୍ରୀ ମହାପାତ୍ର କହିଛନ୍ତି ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନିଶ୍ଚିତ ପଡ଼ିବ। ଏହାର ପ୍ରଭାବରେ ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପାରେ। ସେଥିପାଇଁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସେ ସତର୍କ କରିଛନ୍ତି। ମତ୍ସ୍ୟଜୀବୀମାନେ ମେ’ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯାଆନ୍ତୁ ନାହିଁ। ସେହିପରି ୨୪ରୁ ୨୭ ଯାଏ ଉତ୍ତର ବଙ୍ଗୋପସାଗରକୁ ଯାଆନ୍ତୁ ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button