୩୧ ପର୍ଯ୍ୟନ୍ତ ସ୍କୁଲ-କଲେଜ, ମନ୍ଦିର ଓ ସିନେମା ହଲ୍ ବନ୍ଦ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଅକ୍ଟୋବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଅନ୍‌ଲକ-୫ରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ମଠ, ମନ୍ଦିର, ସିନେମା ହଲ୍, ସ୍କୁଲ-କଲେଜ ଓ ଜିମ୍ ବନ୍ଦ ରହିବ।

ଗୁରୁବାର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଅକ୍ଟୋବର ମାସ ପାଇଁ ଜାରି କରିଛନ୍ତି। ଏଥିରେ ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷାନୁଷ୍ଠାନ ପାଇଁ କଟକଣା ରହିଛି। ଅଧିକ ସଂଖ୍ୟକ ଲୋକଙ୍କ ସମାବେଶ କାର୍ଯ୍ୟକ୍ରମ ମଧ୍ୟ ମନା। ସିନେମା ହଲ୍ , ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ କମ୍ପେ୍ଲକ୍ସ, ଥିଏଟର, ଅଡିଟୋରିୟମ ଆଦି ସମାବେଶ ସ୍ଥଳୀଗୁଡ଼ିକରେ କାର୍ଯ୍ୟକ୍ରମ ଉପରେ କଟକଣା ରହିଥିଲେ ମଧ୍ୟ ଅକ୍ଟୋବର ୧୫ ପରେ ରାଜ୍ୟ କ୍ରୀଡ଼ା ବିଭାଗ ଅନ୍ତର୍ଗତ ସୁଇମିଂ ପୁଲଗୁଡ଼ିକ କେନ୍ଦ୍ର ସରକାରଙ୍କ ଏସପିଓ ଅନୁସାରେ ଖୋଲିବ।

କଣ୍ଟେନମେଣ୍ଟ ଜୋନରେ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରିବା ନିମନ୍ତେ ଅନୁମତି ମିଳିବ ନାହିଁ। ତେବେ ସମ୍ପୃକ୍ତ ଜିଲ୍ଲାପାଳ କିମ୍ବା ମହାନଗର ପ୍ରଶାସକ ସେହି ସୂଚନାକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ପରାମର୍ଶ କରି କରିପାରିବେ। କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ପ୍ରକାରର ଲକଡାଉନକୁ ଅନୁମତି ମିଳିବ ନାହିଁ। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଅଙ୍ଗନବାଡ଼ି ଆଦି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଅନଲାଇନ୍ ପାଠପଢ଼ା ଓ ଟେଲି କାଉନସେଲିଂ ଆଦି କାର୍ଯ୍ୟ ହୋଇପାରିବ। ପରୀକ୍ଷା ପରିଚାଳନା, ଖାତା ଦେଖା ଓ ଅନ୍ୟ ପ୍ରଶାସନିକ ଗତିବିଧି ହୋଇପାରିବ।

ସେହିପରି ବିବାହ ସଂକ୍ରାନ୍ତ ଭୋଜିରେ ୫୦ ଜଣ ଓ ମୃତ୍ୟୁଜନିତ କାର୍ଯ୍ୟରେ ୨୦ଜଣରୁ ଅଧିକ ଲୋକ ଏକଜୁଟ ହୋଇପାରିବେନି। ସର୍ବସାଧାରଣ ସ୍ଥଳରେ ଛେପ ପକାଇବା ଦଣ୍ଡନୀୟ ହେବ। ମଦ, ଗୁଟଖା, ପାନ ଆଦି ସର୍ବସାଧାରଣ ସ୍ଥଳରେ ଖାଇବା ଉପରେ କଟକଣା ରହିବ। ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭ ଆସନରେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇଟି ସ୍ଥାନରେ ସର୍ବାଧିକ ୧୦୦ଲୋକଙ୍କୁ ଏକଜୁଟ ହେବାକୁ ଅନୁମତି ଦିଆଯାଇଛି। କିନ୍ତୁ ସମସ୍ତ ଲୋକଙ୍କୁ ମାସ୍କ, ସାମାଜିକ ଦୂରତ୍ୱ ସହ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରିବା ବାଧ୍ୟତାମୂଳକ ହେବ। ସ୍ଥାନୀୟ ଜିଲ୍ଲା ପ୍ରଶାସନ ରାଜନୀତିକ କାର୍ଯ୍ୟକ୍ରମ ନିମନ୍ତେ ଏହି ଲୋକଙ୍କ ଏକଜୁଟ ପାଇଁ ଅନୁମତି ଦେବେ। ଅଫିସ, ସର୍ବସାଧାରଣ ସ୍ଥଳୀ କିମ୍ବା ଯାନବାହନରେ ଯିବାବେଳେ ମାସ୍କ ପିନ୍ଧିବା ଜରୁରୀ ହେବ। ସର୍ବସାଧାରଣ ସ୍ଥଳରେ ୬ଫୁଟର ସାମାଜିକ ଦୂରତ୍ୱକୁ ପାଳନ କରିବେ । ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଉଭୟ ଗ୍ରାହକ ଓ କର୍ମଚାରୀମାନେ ପାଳନ କରିବେ। ନିୟମ ଖିଲାପ କଲେ ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

ସେଲୁନ, ସ୍ପା, ବ୍ୟୁଟି ପାର୍ଲର ଓ ଚୁଟିକଟା ଦୋକାନଗୁଡ଼ିକ ସମସ୍ତ ପ୍ରକାରର ନିରାପତ୍ତା ଅବଲମ୍ ନ କରିବେ । ପ୍ରତ୍ୟେକ ଗ୍ରାହକଙ୍କୁ ସେବା ଯୋଗାଇବା ପରେ ସାନିଟାଇଜ୍ କରିବେ। ଏହାର ଖିଲାପ କଲେ ଦୋକାନ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ। ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ଯାତ୍ରୀବାହୀ ବସ୍ ଚଳାଚଳ କରିପାରିବ। ରାଜ୍ୟ ଭିତରେ ଯିବାଆସିବା ପାଇଁ କୌଣସି ପ୍ରକାରର ଅନୁମତି ଆବଶ୍ୟକ ପଡ଼ିବ ନାହିଁ। ତେବେ ଟ୍ରେନ ଓ ଘରୋଇ ବିମାନ ଯାତ୍ରାବେଳେ ଯାତ୍ରୀଙ୍କୁ ଆବଶ୍ୟକ ଗାଇଡଲାଇନ୍ ପାଳନ କରିବାକୁ ହେବ। ଏସବୁ ବ୍ୟତୀତ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ୬୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି, ୧୦ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ମହିଳା ଓ ବହୁବିଧ ରୋଗରେ ପୀଡ଼ିତ ଲୋକମାନଙ୍କୁ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ମହାମାରୀ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ ଜାରି ଏହି ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଳ୍ଲାପାଳ, ମହାନଗର କମିଶନର ଓ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମତାମତ ଦିଅନ୍ତୁ ।