୩ରେ ଉତ୍କଳ ବିଶ୍ୱବିଦ୍ୟାଳୟ ୫୦ତମ ସମାବର୍ତ୍ତନ ସମାରୋହ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ସମାରୋହ ଆସନ୍ତା ୩ ତାରିଖରେ ଅନୁଷ୍ଠିତ ହେବ। ଭାରତର ଉପରାଷ୍ଟ୍ରପତିି ଭେଙ୍କିଆ ନାଇଡୁ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଅଧ୍ୟକ୍ଷତା କରିବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍। କୃଷି ଓ କୃଷକ ସଶକ୍ତି କରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ଜଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯିବ। ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ (ଆର୍‍ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ୍‍ ଅଫ୍‍ ଇଣ୍ଡିଆ(ସିଏଜି) ଗିରୀଶଚନ୍ଦ୍ର ମୁର୍ମୁ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‍ ସଞ୍ଜୁ ପଣ୍ଡ, ଭାଭା ଆଟୋମିକ୍‍ ରିସର୍ଚ୍ଚ ସେଣ୍ଟର(ବାର୍କ)ର ନିର୍ଦେଶକ ଅଜିତ୍‍ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପାଇଁ ମନୋନୟନ ହୋଇଥିବା ସମସ୍ତ ବ୍ୟକ୍ତି ଏପ୍ରିଲ୍‍ ୩ରେ ଆସି ଡକ୍ଟରେଟ୍‍ ଡିଗ୍ରୀ ଉପାଧି ଗ୍ରହଣ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି।

ସେହିପରି ସମାବର୍ତ୍ତନ ଉତ୍ସବରେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ମୋଟ ୪୧ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ଓ ୯୦ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। କୋଭିଡ୍‍ କଟକଣା ଯୋଗୁ ଉତ୍କଳ ବିଶ୍ୱବିଦ୍ୟାଳୟ ଗତବର୍ଷ ସମାବର୍ତ୍ତନ ଉତ୍ସବ ଆୟେଜନ କରିପାରି ନଥିଲା। ସେଥିପାଇଁ ଚଳିତ ବର୍ଷ ଉତ୍କଳ ଦିବସ ପାଳନ ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବ ଆୟେଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ୧୩୦ଜଣଙ୍କୁ ପିଏଚ୍‍ଡି/ଡିଲିଟ୍‍ ଡିଗ୍ରୀ ଓ ୯୦ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ନିର୍ଦେଶକ ଡ.ସୁଧାକର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଅଭୟ କୁମାର ନାୟକ, ପିଜି କାଉନ୍‍ସିଲ୍‍ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସଂଯୋଜକ ତଥା ଲୋକ ପ୍ରଶାସନ ବିଭାଗ ମୁଖ୍ୟ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ ଓ ପ୍ରାଚୀନ ଭାରତ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ମୁଖ୍ୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ପ୍ରମୁଖ ତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button