୪୯୯ ବର୍ଷ ପରେ ଦୀପାବଳିରେ ପଡୁଛି ଶୁଭ ସଂଯୋଗ

ଆସନ୍ତା ୧୪ ତାରିଖ ଶନିବାର ଦୀପାବଳି। ଏଥର ଏହି ଦିନରେ ଗ୍ରହ ନକ୍ଷତ୍ରର ଅଦ୍ଭୁଦ ସଂଯୋଗ ଘଟିବ। ଧନ ଓ ଜ୍ଞାନର ଗ୍ରହ ବୃହସ୍ପତି ନିଜ ସ୍ୱରାଶି ଧନୁ ଏବଂ ଶନି ମକରରେ ଅବସ୍ଥାନ କରିବେ। ଆଉ କନ୍ୟା ରାଶିରେ ରହିବେ ଶୁକ୍ର। ଜ୍ୟୋତିର୍ବିଦଙ୍କ ମତ ଅନୁଯାୟୀ ୪୯୯ ବର୍ଷ ପରେ ଏଭଳି ସଂଯୋଗ ଦେଖିବାକୁ ମିଳିବ। ୧୫୨୧ରେ ଏଭଳି ଦେଖିବାକୁ ମିଳିଥିଲା।

ଚଳିତବର୍ଷ ଦୀପାବଳି ଓ ନରକ ଚତୁର୍ଦ୍ଦଶୀ ଗୋଟିଏ ଦିନରେ ପଡ଼ୁଛି। ନରକ ଚତୁର୍ଦ୍ଦଶୀକୁ ଛୋଟ ଦୀପାବଳି କୁହାଯାଏ। ଏହିଦିନ ସକାଳୁ ସ୍ନାନାଦି କାର୍ଯ୍ୟ ସାରି ଯମ ତର୍ପଣ ଓ ସନ୍ଧ୍ୟାରେ ଅଗଣାରେ ଦୀପ ଜଳାଇବା ଏବଂ ଦାନ କରିବାର ମହତ୍ୱ ଅଧିକ। ନରକ ଚତୁର୍ଦ୍ଦଶୀରେ ସ୍ନାନ କରିବାର ଶୁଭ ମୁହୂର୍ତ୍ତ ହେଉଛି ସକାଳ ୫.୨୩ରୁ ୬.୪୩। ସେହିଦିନ ଦୀପାବଳି ମଧ୍ୟ ପାଳନ କରାଯିବ। ଚତୁର୍ଦ୍ଦଶୀ ଅପରାହ୍ନ ୧ଟା ୧୬ ମିନିଟ୍ ପର୍ଯ୍ୟନ୍ତ ରହିଛି। ଏହାପରେ ଅମାବାସ୍ୟା ତିଥି ଆରମ୍ଭ ହେବ। ଯାହା ୧୫ ନଭେମ୍ବର ସକାଳ ୧୦.୦୦ ପର୍ଯ୍ୟନ୍ତ ରହିବ। ଏହି ସମୟ ଭିତରେ ଦୀପାବଳି ପାଳନ କରାଯିବ। ନଭେମ୍ବର ୧୧ରୁ ୧୪ ପର୍ଯ୍ୟନ୍ତ ସର୍ବାର୍ଥ ସିଦ୍ଧି ଯୋଗ ରହିଛି। ଦୀପାବଳି, ଧନ୍ ତେରସ ଓ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟରେ କିଣାକିଣି କରିବା ସବୁଠାରୁ ଶୁଭ। ଯଦି ବାହନ କିଣିବେ କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତା’ହେଲେ ଏହା ଉପଯୁକ୍ତ ସମୟ।

ଜ୍ୟୋତିର୍ବିଦଙ୍କ ମତ ଅନୁସାରେ ଜ୍ଞାନର ଗ୍ରହ ବୃହସ୍ପତି ଓ ଶନିଙ୍କୁ ଧନ ସମ୍ପତ୍ତିର କାରକ ବୋଲି କୁହାଯାଏ। ଦୀପାବଳିରେ ଗୁରୁ-ଶନି ସ୍ୱରାଶିରେ ରହିବା ଫଳରେ ଲୋକଙ୍କ ଭାଗ୍ୟ ଚମକିପାରେ। ଏହି ଯୋଗ ଆପଣଙ୍କ ପାଇଁ ଅନେକ ଶୁଭ ସଂକେତ ନେଇ ଆସିବ। ବୃଷ, କର୍କଟ, ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସମୟ ଖୁବ୍ ଶୁଭ ଫଳ ଦେବ। ତେବେ ମିଥୁନ, ସିଂହ ଓ କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଟିକେ ସତର୍କ ରହିବା ଆବଶ୍ୟକ। ଅନ୍ୟମାନଙ୍କ ପାଇଁ ମଧ୍ୟମ ଫଳ ଦାୟକ ହେବ। ଏହାଛଡା ଦୀପାବଳି ଦିନ ହନୁମାନ, ଯମରାଜ, ଚିତ୍ରଗୁପ୍ତ, କୁବେର, ଭୈରବ, କୂଳଦେବତା ଓ ପିତୃପୁରୁଷଙ୍କ ପୂଜାର୍ଚ୍ଚନା ସହିତ ମାଆ ଲକ୍ଷ୍ମୀଙ୍କ ଓ ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ। ପୂଜା ସମୟରେ ଶ୍ରୀ ସୁକ୍ତ ପାଠ କରନ୍ତୁ। ନିଜ ସକ୍ଷମ ଅନୁସାରେ ବିଷ୍ଣୁସହସ୍ରନାମ, ଗୋପାଳ ସହସ୍ରନାମ ପାଠ କରିପାରିବେ।

ମତାମତ ଦିଅନ୍ତୁ ।