୫ଜି ଟେକ୍ନୋଲଜି ପାଇଁ କାମ କରିବେ ଭାରତ ଓ ଜାପାନ

ନୂଆଦିଲ୍ଲୀ : ଫାଇଭ୍-ଜି ଓ ଫାଇଭ-ଜି ପ୍ଲସ୍‌ ଟେକ୍ନୋଲଜି ପାଇଁ ଭାରତ ଓ ଜାପାନ ମିଳିତ ଭାବେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି କ୍ୱାଡ୍ ସାମରିକ ବାର୍ତ୍ତା ସଦସ୍ୟ ଆମେରିକା, ଅଷ୍ଟ୍ରେଲିଆ ଓ ଇସ୍ରାଏଲଙ୍କ ସହାୟତା ନିଆଯିବ। ଆଗାମୀ ପିଢୀର ଟେଲିକମ୍ୟୁନିକେସନ ଟେକ୍ନୋଲଜି ନିମନ୍ତେ ଜାପାନରେ ହେବାକୁ ଥିବା କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଏ ନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି।

ସରକାରୀ ସୂତ୍ରର ସୂଚନା ଅନୁଯାୟୀ ଗୋଟିଏ ପଟେ ଫାଇଭ-ଜି ଓ ଫାଇଭ-ଜି ପ୍ଲସ୍‌ ଟେକ୍ନୋଲଜିର ବିକାଶ ଲାଗି ଭାରତ ଓ ଜାପାନ ମଧ୍ୟରେ ଆଲୋଚନା ଚାଲୁଛି। କିନ୍ତୁ ଭାରତର ନଜର ଥ୍ରୀ-ଜିପିପି ଉପରେ ରହିଥିବା କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାପାନର ନୂଆ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ଦେଶ ଏବେ ଚୀନ୍‌ ଆକ୍ରମଣତାର ଶିକାର ହୋଇଛନ୍ତି। ଚୀନ୍‌ ସେନା ଭାରତର ଲଦ୍ଦାଖରେ ଗୁଣ୍ଡାଗିରି କରୁଥିବା ବେଳେ ଜାପନାର ସେନକାକୁ ଦ୍ୱୀପ ଉପରେ ଜୋର ଜବରଦସ୍ତି ଚଳାଇଛନ୍ତି। ତେଣୁ ଚୀନ୍‌ର ମୁକାବିଲା ପାଇଁ ଭାରତ ଓ ଜାପାନ ଏକତ୍ର କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଟେଲିଫୋନ ବାର୍ତ୍ତାଳାପରେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ୟୋଶିହିଦେ ସୁଗା ଆଞ୍ଚଳିକ ଓ ବିଶ୍ଵ ଆହ୍ୱାନର ମୁକାବିଲା ଲାଗି ସହମତ ହୋଇଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଜାପାନ ପ୍ରଧାନମନ୍ତ୍ରୀ ଭାବେ ୟୋଶିହିଦେ ସୁଗାଙ୍କ ନିଯୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଛନ୍ତି। ବାର୍ଷିକ ଦ୍ୱିପାକ୍ଷୀୟ ସମ୍ମିଳନୀରେ ଭାରତ ଆସିବା ତାଙ୍କୁ ମୋଦି ଆମନ୍ତ୍ରଣ କରିଥିବା ବେଳେ ଉଭୟଙ୍କ ବାର୍ତ୍ତାଳାପକୁ ଏକ ସଫଳ ଆଲୋଚନା ବୋଲି ମୋଦି ତାଙ୍କ ଟ୍ୱିଟ୍‌ ବାର୍ତ୍ତାରେ ସୂଚିତ କରିଛନ୍ତି।

ମତାମତ ଦିଅନ୍ତୁ ।