Wed. Jan 29th, 2020

ଗ୍ରୀଲ୍‌ ତାଡ଼ି ଲୁଟ୍ କରୁଥିବା ମା’-ପୁଅ, ଝିଅ-ଜ୍ୱାଇଁ ଓ ମାମୁଁ ଗିରଫ

ଭୁବନେଶ୍ଵର : କଟକରେ ସିରିଜ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ ହୋଇଛି। ୪ଟି ଲୁଟ୍‌ ଘଟଣାରେ ସାମିଲ ଥିବା ଲୁଟେରା ଦଳକୁ ଧରିବାରେ ସଫଳ ହୋଇଛି ଲାଲ୍‌ବାଗ ଓ ମର୍କତନଗର ପୋଲିସ। ଏହି ଲୁଟେରା ଦଳର ଅଧିକାଂଶ ସଦସ୍ୟ ଗୋଟିଏ ପରିବାରର ବୋଲି ଜଣା ପଡିଛି। ଗ୍ୟାଙ୍ଗ୍‌ର ମୁଖ୍ୟ ଇମାମ୍‌ପଡ଼ା ବସ୍ତିର ଘାଣ୍ଟୁଆ ଓରଫ ଅନିଲ ଦାସ ହୋଇଥିବା ବେଳେ ଅନ୍ୟ ୭ ଜଣ ଅଭିଯୁକ୍ତ ହେଲେ ରାଜୁ ଜେନା, ମନୋଜ କଶ୍ୟପ, କଣ୍ଢେଇ ଓରଫ ସୁଜାତା ଦାସ, ମିଲି ଓରଫ ମଲ୍ଲିକା ବିବି, ଜଗା ଓରଫ ପୂର୍ଣ୍ଣ ଚନ୍ଦ୍ର ଦାସ, ଗୀତା ଦାସ, ମାମା ଓରଫ ସୋନି କସ୍ୟପ ଦାସ।

ପୋଲିସର ସୂଚନା ଅନୁଯାୟୀ ସତୀଚୌରା ଛକରେ ଏସ୍‌ଜିବିଏଲ୍‌ ଗାଡ଼ି ସୋ’ରୁମ୍‌ ଗତ ୩ ତାରିଖ ସକାଳେ ଖୋଲା ହେଲା ବେଳେ ବହୁ ଜିନିଷପତ୍ର ଏଣେତେଣ ପଡ଼ିଥିଲା। କ୍ୟାସ୍‌ ବକ୍ସ ତଡ଼ା ହୋଇ ଲୁଟ୍‌ ହୋଇ ସେଥିରୁ ୪ ଲକ୍ଷ ଟଙ୍କା। କମ୍ପ୍ୟୁଟର, ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌ ଚୋରି ଯାଇଥିବାରୁ ସୋ’ରୁମର ନିର୍ଦ୍ଦେଶକ ସୁନିଲ କୁମାର ଗୁପ୍ତା ଲାଲ୍‌ବାଗ ଥାନାରେ ଏତଲା ଦେଲେ। ସେହିପରି ଗତ ୩୧ ତାରିଖ ରାତିରେ ସତୀଚୌରା ଛକରେ ଥିବା ଆକ୍ସିସ୍‌ ବ୍ୟାଙ୍କ୍‌ ଓ କାଫ୍‌ଲା ଅନ୍ତର୍ଗତ ମହାନ୍ତି ପଡ଼ାର ସରୋଜ କୁମାର ସାହୁଙ୍କ ଘର ଓ ମର୍କତନଗର ଥାନା ଅଞ୍ଚଳର ଏକ ମୋବାଇଲ୍‌ ଦୋକାନରୁ ସମାନ ଢଙ୍ଗରେ ଲୁଟ୍‌ ହୋଇଥିଲା। ଏସବୁ ଚୋରିକୁ ଧରିବା ପାଇଁ ଲାଲ୍‌ବାଗ ଓ ମର୍କତନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର କିଛି ପେସାଦାର ଚୋରଙ୍କ ଉପରେ ରଖିଲା ନଜର। ଜେଲ୍‌ରୁ ବାହାରିଥିବା କିଛି ଅପରାଧୀଙ୍କୁ ସ୍କାନର୍‌ରେ ରଖିବାରୁ ଇମାମ୍‌ପଡ଼ା ବସ୍ତିର କୁଖ୍ୟାତ ଲୁଟେରା ଘାଣ୍ଟୁଆ ଓରଫ ଅନିଲ ଦାସ ଉପରେ ପୋଲିସର ସନ୍ଦେହ ହୋଇଥିଲା। ତାକୁ ଧରିଆଣି ପଚରାଉଚରା କରିବା ପରେ ସିରିଜ୍‌ ଲୁଟ୍‌ର ପର୍ଦ୍ଦାଫାସ ହୋଇଥିଲା। ଘାଣ୍ଟୁଆର ସୂଚନା ଆଧାରରେ ଅନ୍ୟ ୭ ଜଣ ଅଭିଯୁକ୍ତ ପୋଲିସ ଗିରଫ କଲା।ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଏବେ ଫେରାର୍‌।

ଆହୁରି ଜଣାପଡିଛି କେବଳ ଘାଣ୍ଟୁଆ ନାମରେ ବିଭିନ୍ନ ଥାନାରେ ୧୧ଟି ମାମଲା ରହିଛି। ରାଜୁ ନାମରେ ୬ଟି, ଜଗା ନାମରେ ୪ଟି, କଣ୍ଢେଇ ନାମରେ ଦୁଇଟି, ଗୀତା ଦାସ ଓ ମନୋଜ ନାମରେ ଦୁଇଟି ଲେଖାଏଁ ମାମଲା ରହିଛି। ଏହି ଲୁଟେରା ଗ୍ୟାଙ୍ଗ୍‌ ଧରିବାରେ ଲାଲ୍‌ବାଗ ଥାନା ଅଧିକାରୀ ଆଶୁତୋଷ ମିଶ୍ର, ମର୍କତନଗର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର, ଏସ୍‌ଆଇ ଦୁର୍ଗେଶ ନନ୍ଦିନୀ ମହାନ୍ତି ଓ ଏସ୍‌ଆଇ ଚନ୍ଦ୍ରୀକା ସ୍ୱାଇଁ ପ୍ରମୁଖ ତଦନ୍ତରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *