Wed. Feb 19th, 2020

୫ କୁଖ୍ୟାତ ଅପରାଧୀ ଗିରଫ, ବଙ୍ଗୀୟ ଯୁବତୀ ଲୁଟର ମାଧ୍ୟମ

ଭୁବନେଶ୍ଵର : ରାଜଧାନୀର ଖଣ୍ଡଗିରୀ କଳିଙ୍ଗନଗର ଅଞ୍ଚଳରେ ଏକ ବଡ଼ଧରଣର ଲୁଟ୍‌ କରିବା ପୂର୍ବରୁ ୫ଜଣ କୁଖ୍ୟାତ ଅପରାଧୀଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଶିଶୁପାଳଗଡ଼ରେ ରହୁଥିବା କଟକ ବଡ଼ମ୍ବା ଅଞ୍ଚଳର ଅଶୋକ ସାହୁ, କଳିଙ୍ଗନଗର ଟାଟା ଆର୍ୟାନ୍‌ ଅଞ୍ଚଳରେ ରହୁଥିବା ଗଞ୍ଜାମ ପୋଲସରାର ଶିବାନନ୍ଦ ଦାସ, ଜଗତସିଂହପୁରର ସୁଶାନ୍ତ ଦାସ, ସାଗର ସାହୁ ଓ ଚନ୍ଦ୍ରଶେଖରପୁରରେ ରହୁଥିବା ପିପିଲିର ପ୍ରଶାନ୍ତ ସାହୁ। ପୋଲିସ ସେମାନଙ୍କଠାରୁ ଏକ ସୁଇଫ୍ଟ କାର୍, ୩ଟି ବାଇକ୍‌, ଗୋଟିଏ ବଡ଼ ଖଣ୍ଡା, ୨ଟି ଛୁରି, ଲଙ୍କାଗୁଣ୍ଡ ଓ ୧୪ ହଜାର ଟଙ୍କା ଜବତ କରିଛି।

ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ବ୍ରାଉନ୍‌ସୁଗାର ଓ ଗଞ୍ଜେଇ ବେପାର ସହିତ ଦେହ ବେପାରରେ ବି ସାମିଲ ଅଛନ୍ତି। ଦେହବେପାର ଏମାନଙ୍କର ବଡ଼ ରୋଜଗାର। ବଡ଼ ଗରାଖମାନଙ୍କୁ ଦେହବେପାର ଜରିଆରେ ଫସାଇ ଲୁଟିନ୍ତି। ବଙ୍ଗୀୟ ଯୁବତୀମାନଙ୍କ ଫଟୋ ଦେଖାଇ ଏହି ରାକେଟ୍‌ ଅନ୍‌ଲାଇନ୍‌ରେ ଗ୍ରାହକ ଯୋଗାଡ଼ କରନ୍ତି। ଗ୍ରାହକମାନେ ଫସିବା ପରେ ଧମକଚମକ ଓ ବ୍ଲା‌କ୍‌ମେଲିଂ କରି ଲୁଟନ୍ତି। ଖଣ୍ଡଗିରି ପୋଲିସ ସହ ସ୍ପେସାଲ୍‌ ସ୍କ୍ବାଡ୍‌ ମିଳିତ ଚଢ଼ଉ କରି ଘାଟିକିଆ ନିକଟସ୍ଥ ଏକ ପଡ଼ିଆରୁ ସେମାନଙ୍କୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *