Wed. Feb 19th, 2020

ହୋଟେଲ୍‌ରୁ ‘ଇରାନି’ ଗ୍ୟାଙ୍ଗ୍‌ର ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର : ପୋଲିସ ପରିଚୟ ଦେଇ ସୁନା ଗହଣା ଲୁଟ୍‌ କରୁଥିବା ‘ଇରାନି’ ଗ୍ୟାଙ୍ଗ୍‌ର ତିନିଜଣ ସଦସ୍ୟଙ୍କୁ ଚାଉଳିଆଗଞ୍ଜ ଥାନା ପୋଲିସ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ର ଏମ୍‌ଡି ମହମ୍ମଦ, ଏମ୍‌ଡି ସବର ଓ ଖଡ଼ଗପୁରର ଜଫର ଅଲ୍ଲୀ। ସେମାନଙ୍କଠାରୁ ଦୁଇଟି ସୁନା ଚେନ୍‌ ସମେତ ଗୋଟିଏ ହିରୋହୋଣ୍ଡା ସିବିଜେଡ୍‌ ବାଇକ୍‌ ଓ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି।

ଖବର ଅନୁଯାୟୀ ଗତ ଡିସେମ୍ବର ୫ ତାରିଖରେ ନୂଆପଡ଼ାର ଅମରେନ୍ଦ୍ର ପସାୟତ ଓଏମ୍‌ପି ଛକ ପାଖରେ ଯାଉଥିବା ବେଳେ ହଠାତ୍‌ ଏକ ବାଇକ୍‌ରେ ତିନି ଜଣ ଯୁବକ ଆସି ତାଙ୍କୁ ଅଟକାଇଥିଲେ। ସେମାନେ ନିଜକୁ ସ୍ପେସାଲ୍‌ ସ୍କ୍ୱାଡ୍‌ର ପୋଲିସ ପରିଚୟ କହିଥିଲେ ରାସ୍ତାରେ ଛିନ୍‌ତାଇ ହେଉଛି। ତେଣୁ ସୁନା ଅଳଙ୍କାର ଖୋଲି ଏକ ପୁଡ଼ିଆ କରି ନେବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ପସାୟତ ସୁନା ଅଳଙ୍କାର ଖୋଲି ଏକ ପୁଡ଼ିଆ କରିବା ପରେ ଯାଞ୍ଚ କରିବା ବାହାନାରେ ପୋଲିସ ପରିଚୟ ଦେଇଥିବା ଯୁବକମାନେ ଏହାକୁ ମାଗିନେଇ ଆଖି ପିଛୁଳାକେ ବଦଳାଇ ଦେଇଥିଲେ। ଘରେ ଯାଇ ଶ୍ରୀ ପଶାୟତ ପୁଡ଼ିଆ ଖୋଲିବାରୁ ସେଥିରେ ଇଟା ଗୁଣ୍ଡ ଓ ମାଟି ବାହାରିଥିଲା। ସେ ସମ୍ପର୍କରେ ଥାନାରେ ଏତଲା ଦେବାରୁ ପୋଲିସ ତଦନ୍ତ ଜାରି ରଖିଥିଲା।

କିଛିଦିନ ପରେ କଟକ ପୋଲିସକୁ ଆନ୍ଧ୍ରପ୍ରଦେଶ ପୋଲିସଠାରୁ ସୂଚନା ମିଳିଲା ଯେ ନୂଆପଡ଼ାର ଜିଲ୍ଲାର ‘ଇରାନି’ ଗ୍ୟାଙ୍ଗ୍‌ ଏଭଳି ଢଙ୍ଗରେ ଲୁଟ୍‌ ବା ଠକେଇ କରୁଛି। ଗ୍ୟାଙ୍ଗ୍‌ର ସଦସ୍ୟ ଯେଉଁ ସହରକୁ ଯାଆନ୍ତି ସେଠାକାର ହୋଟେଲ୍‌ରେ ଆଶ୍ରୟ ନେଇଥାନ୍ତି। ଦୁଇରୁ ତିନିଟି ଲୁଟ୍‌ ବା ଠକେଇ କରି ପଳାଇ ଆସନ୍ତି। କେବଳ ବାଇକ୍‌ରେ ସେମାନେ ଯାତାୟତ କରନ୍ତି। ଏହି ସୂଚନା ଆଧାରରେ ଚାଉଳିଆଗଞ୍ଜ ଥାନା ପୋଲିସ ସହରର କିଛି ହୋଟେଲ୍‌ ସହିତ ଯୋଗଯୋଗ କରିଥିଲା। ଲୁଟ୍‌ ହୋଇଥିବା ଦିନ ମାନଙ୍କରେ କଟକ ବାହାରର କେଉଁମାନେ ହୋଟେଲ୍‌ରେ ରହିଥିଲେ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକାରୁ ପୋଲିସକୁ ମିଳିଥିଲା ତିନିଜଣ ସନ୍ଦିଗ୍ଧଙ୍କନାଁ। ଏହି ବ୍ୟକ୍ତିମାନେ ପୁନର୍ବାର କଟକ ଆସିଲେ ଜଣାଇବା ପାଇଁ ସବୁ ହୋଟେଲ୍‌ ଓ ଲଜ୍‌କୁ କୁହାଯାଇଥିଲା। ଗତକାଲି ପୁରୀଘାଟ ଥାନା ଅନ୍ତର୍ଗତ ଶିବବଜାର ସ୍ଥିତ ଲର୍ଡସ ହୋଟେଲ୍‌ରେ ସେଇ ୩ଜଣ ରହିଥିବା ସୂଚନା ପାଇ ପୋଲିସ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *