Sun. Feb 23rd, 2020

ଉତ୍ତପ୍ତ ପ୍ଲାଜ୍‌ମାର ଚଳନ ସୂର୍ଯ୍ୟର ଗୋପନ ରହସ୍ୟ

ହାଓ୍ଵାଇ ଦ୍ୱୀପରେ ସ୍ଥାପିତ ‘ଡାନିଏଲ୍‌ କେ ଇନୋଇ ସୋଲାର୍‌ ଟେଲିସ୍କୋପ୍‌’ ନିକଟରେ ୩୦ କିଲୋମିଟର ଦୂରରୁ ଦିଶୁଥିବା ସୂର୍ଯ୍ୟପୃଷ୍ଠର ଚିତ୍ର ରିଲିଜ୍‌ କରିଛି। ପ୍ରାୟ ୮୭୦, ୦୦୦ ମାଇଲ୍‌ ବ୍ୟାସ ବିଶିଷ୍ଟ ସୂର୍ଯ୍ୟ ପୃଷ୍ଠର ଏହି ଚିତ୍ର ବୈଜ୍ଞାନିକମାନଙ୍କ ପାଇଁ ଖୁବ୍‌ ଗରୁତ୍ୱପୂର୍ଣ୍ଣ।

ଫଟୋରେ ସୂର୍ଯ୍ୟପୃଷ୍ଠରେ ‘ସେଲ୍‌’ ବା କୋଷ ଭଳି ଦିଶୁଛି। ଏହି ‘ସେଲ୍‌’ ଗୋଟିକର ଆକାର ପ୍ରାୟ ୧୮ ମାଇଲ୍‌ ହେବ। କୋଷ ଗୁଡ଼ିକରୁ ଉଦ୍‌ଗାରି ହେଉଛି ଫୁଟନ୍ତା ଉତ୍ତପ୍ତ ତରଳ ପଦାର୍ଥ ଓ ବାଷ୍ପ। ଯାହାକୁ ବିଜ୍ଞାନ-ଭାଷାରେ ‘ପ୍ଲାଜ୍‌ମା’ କୁହାଯାଏ। କୋଷ ଗୁଡ଼ିକର ଉଜ୍ଜ୍ୱଳ କେନ୍ଦ୍ରଗୁଡ଼ିକ ହିଁ ସେଥିରୁ ନିର୍ଗତ ହେଉଥିବା ଉତ୍ତପ୍ତ ତରଳ ପଦାର୍ଥର ଦୃଶ୍ୟ। ଏହାର ଚାରିପଟେ ଦିଶୁଥିବା ଫାଟଗୁଡ଼ିକରେ ନିର୍ଗତ ପ୍ଲାଜ୍‌ମା ଥଣ୍ଡା ହୋଇ ପୁଣି ଭିତରକୁ ପଶିଯାଉଛି। ହାଣ୍ଡିରେ ପାଣି ଗରମ ହୋଇ ଫୁଟିଲେ ଯେମିତି ଫୋଟକା ହୋଇ କ୍ଷଣିକରେ ଫୁଟିଯାଇ ପୁଣି ପାଣିରେ ମିଶିଯାଏ। ଏହି ଉତ୍ତପ୍ତ ଫୁଟନ୍ତା ପ୍ଲାଜ୍‌ମାର ଚଳନ ହେଉଛି ସୂର୍ଯ୍ୟର ଗୋପନ ରହସ୍ୟ। ଏହାର କାରଣ ହେଉଛି ପ୍ଲାଜ୍‌ମା ବୈଦ୍ୟୁତିକ ଭାବେ ଚାର୍ଜ ହୋଇଥିବାରୁ ଏହାର ଚଳନ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରି ପାରେ। ସୂର୍ଯ୍ୟର ଏହି ଚୁମ୍ବକୀୟ କ୍ଷେତ୍ର ହିଁ ସୌର ଝଡ଼ ସୃଷ୍ଟିର କାରଣ। ସୌର ଝଡ଼ ପୃଥିବୀର କୃତ୍ରିମ ଉପଗ୍ରହ ଓ ପାଓ୍ଵାର୍‌ ଗ୍ରିଡ୍‌ ସବୁକୁ ଅକାମି କରି ପାରିବ। ସୂର୍ଯ୍ୟ ପୃଷ୍ଠର କେଉଁ ଠାରେ ଏହି ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହେଉଛି ଓ କେବେ ବିପଜ୍ଜନକ ସୌର ଝଡ଼ ସୃଷ୍ଟି ହେବ ତାହା ବୈଜ୍ଞାନିକମାନେ ଅନୁଧ୍ୟାନ କରି ଜାଣି ପାରିବେ। ଏହାର ଅନୁଧ୍ୟାନ ପାଇଁ ଟେଲିସ୍କୋପ୍‌ ଉତ୍ତୋଳନ କରୁଥିବା ଫଟୋ ଖୁବ୍‌ ସହାୟକ ହେବ।

ହାଓ୍ଵାଇ ଦ୍ୱୀପ ମାଉଇର ୩୦୦୦ ମିଟର ଉଚ୍ଚ ଆଗ୍ନୟଗିରି ହାଲିଆକାଲା ଶୀର୍ଷରେ ଏହି ଦୂରବିକ୍ଷଣ ଯନ୍ତ୍ର ସ୍ଥାପନ କରାଯାଇଛି। ଏଥିରେ ଖଞ୍ଜାଯାଇଥିବା ୪ ମିଟର୍‌ ବିଶିଷ୍ଟ ମୁଖ୍ୟ ଦର୍ପଣଟି ବିଶ୍ୱର ସବୁ ଦୂରବିକ୍ଷଣରେ ଲାଗିଥିବା ଦର୍ପଣ ଠାରୁ ବଡ଼। ତାହାଛଡା ଏହି ଦୂରବିକ୍ଷଣରେ ଅନେକ ଯନ୍ତ୍ରପାତି ରହିଛି ଯାହା ଉଜ୍ଜ୍ୱଳ ଓ ରଙ୍ଗବିହୀନ ଆଲୋକର ଉପାଦାନକୁ ଅଧ୍ୟୟନ କରିପାରିବ। ସେଥିରୁ ସୂର୍ଯ୍ୟ ମଣ୍ଡଳର ଚୁମ୍ବକୀୟ ବଳ ବିଷୟରେ ସୂଚନା ମିଳିବ।

Leave a Reply

Your email address will not be published. Required fields are marked *