ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଆମପାଣି ଘାଟିରେ ଆଜି ଭୋରୁ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଘଟିଛି। ବସଟି ଓଲଟି ପଡିବାରୁ ହେଲପର ଓ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ ଦିଲଖୁସ ନାମକ ଘରୋଇ ବସ୍ ଭୁବନେଶ୍ୱରରୁ ମାଲକାନଗିରିକୁ ଯାଉଥିଲା। ଆମପାଣି ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟିପଡିବାରୁ ହେଲପର ସୂର୍ଯ୍ୟ ବାରିକ ଓ ଯାତ୍ରୀ ସୁଦୀପ ମହାନ୍ତି ଗୁରୁତର ହୋଇଛନ୍ତି। ବସରେ ପ୍ରାୟ ୩୦ରୁ ୪୦ଜଣ ଯାତ୍ରୀ ଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।