ଆନ୍ଧ୍ର : ସ୍କୁଲ ଖୋଲିବାର ୩ ଦିନରେ ୨୬୨ ଶିକ୍ଷାର୍ଥୀ ଓ ୧୬୦ ଶିକ୍ଷକଙ୍କୁ କରୋନା

ଅମରାବତୀ : କରୋନା ସଂକ୍ରମଣ ଭିତରେ ଆନ୍ଧ୍ର ସରକାର ନଭେମ୍ବର ୨ ତାରିଖରେ ରାଜ୍ୟରେ ୯ମ ଓ ୧୦ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିଥିଲେ। ଏବେ ଅଡୁଆରେ ପଡିଛନ୍ତି। ସ୍କୁଲ ଖୋଲିବାର ୩ ଦିନ ମଧ୍ୟରେ ୨୬୨ ଜଣ ଛାତ୍ରଛାତ୍ରୀ ଓ ୧୬୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

କମିଶନର ଅଫ ସ୍କୁଲ ଏଡୁକେସନ ଭି ଚିନ୍ନା ବୀରବାହାଦୁରଦୁ କହିଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଦୌ ଚିନ୍ତାଜନକ ନୁହେଁ। କାରଣ ଯେଉଁ ସଂଖ୍ୟାରେ ସ୍କୁଲକୁ ପିଲାମାନେ ଆସୁଛନ୍ତି ସେମାନଙ୍କ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ। ନଭେମ୍ବର ୪ରେ ସାରା ରାଜ୍ୟରେ ପ୍ରାୟ ୪ ଲକ୍ଷ ଶିକ୍ଷାର୍ଥୀ ସ୍କୁଲ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨୬୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହା ମୋଟ ଶିକ୍ଷାର୍ଥୀଙ୍କର ୦.୧ ପ୍ରତିଶତ ଠାରୁ କମ୍‌।

ସେ କହିଛନ୍ତି ପିଲାମାନେ ସ୍କୁଲକୁ ଆସି କରୋନାରେ ସଂକ୍ରମିତ ହୋଇଥିବା କହିବା ଭୁଲ। କାରଣ ପ୍ରତି ଶ୍ରେଣୀ ଗୃହରେ ମାତ୍ର ୧୫ରୁ ୧୬ ଜଣ ପିଲା ବସୁଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ୯ମ ଓ ୧୦ମ ଶ୍ରେଣୀ ପାଇଁ ୯.୭୫ ଲକ୍ଷ ପିଲା ପଞ୍ଜୀକୃତ କରିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୩.୯୩ ଲକ୍ଷ କ୍ଲାସ ଆସୁଛନ୍ତି। ସେହିପରି ୧.୧୧ ଲକ୍ଷ ଶିକ୍ଷକଙ୍କ ମଧ୍ୟରୁ ୯୯ ହଜାର ଶିକ୍ଷକ ସ୍କୁଲ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ୧୬୦ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି।

ମତାମତ ଦିଅନ୍ତୁ ।