ଆୟୁର୍ବେଦ ଡାକ୍ତରଙ୍କୁ ଅସ୍ତ୍ରୋପଚାର କରିବାକୁ ଅନୁମତି

ନୂଆଦିଲ୍ଲୀ : ଆୟୁର୍ବେଦ ଡକ୍ତରମାନଙ୍କୁ ତାଲିମ ଦିଆଯିବ। ସେମାନେ ନାସା ଗଳା କର୍ଣ୍ଣ, ଚକ୍ଷୁ, ଅସ୍ଥିଶଲ୍ୟ ଓ ଦନ୍ତ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରକାରର ସାଧାରଣ ଅସ୍ତ୍ରୋପଚାର କରିବେ। ଏଥିପାଇଁ ଆଇନସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସେଣ୍ଟ୍ରାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆନ୍‌ ମେଡିସିନ୍‌’ର ଅଧ୍ୟକ୍ଷ କହିଛନ୍ତି ତେବେ ଏହି ଅସ୍ତ୍ରୋପଚାର ସବୁ ଆୟୁର୍ବେଦ ପ୍ରତିଷ୍ଠାନ ଓ ଡାକ୍ତରଖାନାମାନଙ୍କରେ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ କରାଯାଉଛି। ଏହାକୁ ଆଇନସିଦ୍ଧ କରିବାକୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଇଣ୍ଡିଆନ୍‌ ସେଣ୍ଟ୍ରାଲ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିସିନ୍‌ (ସ୍ନାତକୋତ୍ତର ଆୟୁର୍ବେଦ ଶିକ୍ଷା) ରେଗୁଲେସନ୍‌ ୧୦୧୬’କୁ ସଂଶୋଧନ କରାଯାଇ ଯେଉଁ ପଦ୍ଧତି ସବୁ ସାମଲି କରାଯିବ ସେ ସବୁ ନଭେମ୍ବର ୧୯ ତାରିଖର ବିଜ୍ଞପ୍ତିରେ ତାଲିକାଭୁକ୍ତ ହୋଇଛି। କେନ୍ଦ୍ର ସରକାରଙ୍କ ମଞ୍ଜୁରିକ୍ରମେ ଏହି ସଂଶୋଧନ କରାଯାଇଥିବା ଏଥିରେ ଉଲ୍ଲେଖ ରହିଛି।

ସ୍ନାତକୋତ୍ତର ଶିକ୍ଷାରେ ‘ଶଲ୍ୟତନ୍ତ୍ର’ (ସାଧାରଣ ଅସ୍ତ୍ରୋପଚାର) ଓ ‘ଶାଲକ୍ୟତନ୍ତ୍ର’ (କର୍ଣ୍ଣ, ନାସା, ଗଳା, ମୁଣ୍ଡ ଓ ଚକ୍ଷୁ ଅସ୍ତ୍ରୋପଚାର) ଶିକ୍ଷାର୍ଥୀମାନେ ସ୍ୱତନ୍ତ୍ର ଭାବେ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ପଦ୍ଧତି ବିଷୟରେ ବାସ୍ତବ ତାଲିମ ପାଇବେ। ସାଧାରଣ ଅସ୍ତ୍ରୋପଚାର ପଦ୍ଧତିରେ ମୃତ ଟିସ୍ୟୁ ବାହାର କରିବା, ଚର୍ମ ପ୍ରତିରୋପଣ କରିବା, ଲାପ୍ରୋଟମି (ପେଟ କାଟି ଖୋଲିବା) ଓ ‘ଗ୍ୟାଷ୍ଟ୍ରୋ-ଇଣ୍ଟେଷ୍ଟାଇନାଲ୍‌’ (ଅନ୍ତଃନଳୀ) ଅସ୍ତ୍ରୋପଚାର ଆଦି ତାଲିମ ରହିବ। ‘ଶାକଲ୍ୟତନ୍ତ୍ର’ରେ ସେମାନେ ‘ଆଇରିସ୍‌ ପ୍ରୋଲାପ୍ସ’ର ଅସ୍ତ୍ରୋପଚାର, ‘ସ୍କ୍ଵିଣ୍ଟ୍‌’ (ଟେରା) ଅସ୍ତ୍ରୋପଚାର, ମୋତିଆବିନ୍ଦୁ ଅସ୍ତ୍ରୋପଚାର ଆଦି କ୍ଷେତ୍ରରେ ଉନ୍ନତ ଚକ୍ଷୁ ଅସ୍ତ୍ରୋପଚାର ଶିକ୍ଷା ଗ୍ରହଣ କରିବେ।

ମତାମତ ଦିଅନ୍ତୁ ।