ଆସନ୍ତାବର୍ଷରୁ ଛାତ୍ରଛାତ୍ରୀ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପାଠ ପଢିବେ

ନୂଆଦିଲ୍ଲୀ : ଆସନ୍ତା ଶିକ୍ଷାବର୍ଷରୁ ମାତୃଭାଷାରେ ପାଠ ପଢିବେ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ। ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଓ ଏନଆଇଟିରେ ମଧ୍ୟ ଆଞ୍ଚଳିକ ଭାଷା ଲାଗୁହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିୟାଲ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାକରୀ କହିଛନ୍ତି ସ୍କୁଲ୍ ଶିକ୍ଷା ବୋର୍ଡର ପାଠ୍ୟକ୍ରମ ଆକଳନ ପରେ ପ୍ରତିଯୋଗିତା ମୂଳକ ପରୀକ୍ଷା ନିମନ୍ତେ ସିଲାବସ୍ ପାଇଁ ଜାତୀୟ ପରୀକ୍ଷଣ ଏଜେନ୍ସି (ଏନଟିଏ) ସହଯୋଗ କରିବ ବୋଲି ନିଷ୍ପତ୍ତି ହୋଇଛି। ଏହାଛଡା ସମସ୍ତ ଛାତ୍ରବୃତ୍ତି ସୁନିଶ୍ଚିତ କରିବା ପାଇଁ ୟୁଜିସିକୁ ନିର୍ଦେଶ ଦିଆଯାଇଛି। ଅସୁବିଧାରେ ପଡୁଥିବା ଛାତ୍ରଛାତ୍ରୀଙ୍କ ହେଲ୍ପ ଲାଇନ୍ ନମ୍ବର ଜାରି କରିବାକୁ ମନ୍ତ୍ରାଳୟ ନିର୍ଦେଶ ଦେଇଛି।
ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୯ଟି ଆଞ୍ଚଳିକ ଭାଷାରେ ୨୦୨୧ଠାରୁ ଜେଇଇ ମେନ୍ ପରୀକ୍ଷା କରିବାକୁ ଏନଟିଏ ଘୋଷଣା କରିସାରିଛି। ସେହିପରି ଜେଇଇ ଆଡଭାନ୍ସ ଆଞ୍ଚଳିକ ଭାଷାରେ ହେବାକୁ ଥିବାବେଳେ ଆଇଆଇଟିରେ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ। କରୋନା ପାଇଁ ବିଭିନ୍ନ ବୋର୍ଡ ସ୍କୁଲ୍ ପାଠ୍ୟକ୍ରମ ହ୍ରାସ କରିଛନ୍ତି। ତେଣୁ ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ସମୟରେ ସିବିଏସଇ ଓ ସିଆଇଏସ୍ସିଇରେ ପାଠ୍ୟକ୍ରମ ସ୍ଥାନୀୟ ଭାଷାରେ କରିବାକୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।