ଆତ୍ମହତ୍ୟା କରିବାକୁ ଆସିଥିବା ଯୁବତୀଙ୍କୁ ମିଳିଲା ଜୀବନସାଥୀ

0

ବାଲେଶ୍ଵର : ପୌରଣିକ ମତ ଅନୁଯାୟୀ କିଏ କାହାକୁ ବିବାହ କରିବ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଏହାର ଅନେକ ପୂର୍ବରୁ ପ୍ରମାଣ ମିଳିସାରିଛି। କିନ୍ତୁ ଏକ ସଦ୍ୟ ଘଟଣା ବାଲେଶ୍ଵର ଜିଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି। ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଆସିଥିବା ଯୁବତୀ ପାଇଛନ୍ତି ଜୀବନସାଥୀ। ଏହି ଯୁବକ ଜଣକ ତାଙ୍କୁ ମରଣ ମୁହଁରୁ ଉଦ୍ଧାର କରିଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଲୋକେ କହୁଛନ୍ତି ଏ ଦୁଇଜଣଙ୍କର ବିବାହ ଏହି ପରିସ୍ଥତିରେ ହେବ ବୋଲି ବିଧାତା ସ୍ଥିର କରିଥିଲେ।

ଖବର ଅନୁଯାୟୀ ସୋର ବ୍ଲକ୍‌ ବାଳଙ୍ଗ ପଞ୍ଚାୟତ ପନଦା ଅଞ୍ଚଳର ନାରାୟଣ ଦାଶଙ୍କ ଝିଅ ତପସ୍ୱିନୀ। ତାଙ୍କ ବିବାହକୁ ନେଇ ଘରେ ଦେଖାଦେଇଥିଲା କଳି। ଏଥିରେ ମର୍ମାହତ ହୋଇଥିଲେ ତପସ୍ୱିନୀ। ଘରେ ସୃଷ୍ଟି ହେଉଥିବା ଅଶାନ୍ତିର ସମାଧାନ ପାଇଁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଘରଠାରୁ ୭ କିମି ଦୂର ମୁଳିସିଂ ଲେବଲ୍‌ କ୍ରସିଂ ଗେଟ୍‌ ନିକଟରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ତାଙ୍କ ଉଦ୍ଦେଶ୍ୟ ଜାଣିପାରି କିଛି ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଏତିକିବେଳେ ସେହିବାଟ ଦେଇ ଯାଉଥିଲେ କେଦାରପୁର ଅଞ୍ଚଳର ପୁରୁଷୋତ୍ତମ ସେଠୀଙ୍କ ପୁଅ ଖଗେନ୍ଦ୍ର। ସେ ଉଦ୍ୟମ କରି ତପସ୍ୱିନୀଙ୍କୁ ଟ୍ରେନ୍‌ ଆଗରୁ ଉଦ୍ଧାର କରିଥିଲେ।

ତପସ୍ୱିନୀଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିବା ପରେ ପରିସ୍ଥିତି ବଦଳି ଯାଇଥିଲା। ସେ ଜିଦ୍‌ କରିଥିଲେ ଖଗେନ୍ଦ୍ର ତାଙ୍କୁ ବିବାହ କରନ୍ତୁ ନହେଲେ ପୁଣି ଆତ୍ମହତ୍ୟା କରିବେ। ଖଗେନ୍ଦ୍ର ନିଜର ଜାତିଗୋତ୍ର କଥା ତାଙ୍କୁ କହିଥିଲେ। କିନ୍ତୁ ତପସ୍ୱିନୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିଲା ନାହିଁ। ଉଚ୍ଚ ଜାତିର ହୋଇଥିଲେ ମଧ୍ୟ ଖଗେନ୍ଦ୍ରଙ୍କୁ ବିବାହ ଜିଦ୍‌ରେ ଅଟଳ ରହିଥିଲେ। ତେଣୁ ଅନ୍ୟ କୌଣସି ଉପାୟ ନପାଇ ଖଗେନ୍ଦ୍ର ବାଧ୍ୟହୋଇ ତପସ୍ୱିନୀଙ୍କୁ ନେଇ ଘରକୁ ଯାଇଥିଲେ। ଉଭୟ ପରିବାର ସଦସ୍ୟ ଓ ଭଦ୍ରଲୋକଙ୍କ ଉପସ୍ଥିତିରେ ବୁଝାମଣା ପରେ ଖଗେନ୍ଦ୍ର-ତପସ୍ୱିନୀଙ୍କ ବିବାହ ସ୍ଥିର ହୋଇଥିଲା। ଗତ ରବିବାର ସ୍ଥାନୀୟ କ୍ଷେମେଶ୍ୱର ମନ୍ଦିରରେ ଉଭୟଙ୍କ ବିବାହ ବୈଦିକ ରୀତିରେ ବିବାହ ହୋଇଛି। ତପସ୍ୱିନୀଙ୍କ ହାତରେ ଶଙ୍ଖା ଓ ମୁଣ୍ଡରେ ସିନ୍ଦୂର ଦେଇ ତାଙ୍କୁ ଜୀବନସାଥୀ ଭାବେ ଖଗେନ୍ଦ୍ର ଗ୍ରହଣ କରିଛନ୍ତି। ଏହାକୁ ନେଇ ଉଭୟ ପରିବାର ଖୁସି ଥିବା ଜଣାପଡ଼ିଛି।

Leave A Reply

Your email address will not be published.