କବର ସ୍ଥଳୀରେ ଲଂଚ, ଡିନରର ମଜା

ମଶାଣି କିମ୍ବା କବରସ୍ଥାନ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ସଂଚାର ହୋଇଥାଏ । ଦିନରେ ସେହି ରାସ୍ତା ଦେଇ ଯିବାକୁ ଲୋକେ ଭୟ କରିଥାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତରେ ଏମିତି ଏକ ରେଷ୍ଟୁରାଂଟ ଅଛି ଯେଉଁଠି ଲୋକେ କବର ସ୍ଥାନରେ ବସି ଖାଦ୍ୟର ମଜା ନେଇଥାନ୍ତି । ଅବିଶ୍ୱାସ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ । ଗୁଜୁରାଟର ଅହମଦାବାଦରେ ରହିଛି ଏହି ରେଷ୍ଟୁରାଂଟ। ଯେଉଁଠି ଲୋକମାନେ କବର ଉପରେ ବସି ଖାଦ୍ୟର ମଜା ନିଅନ୍ତି ।


ଅହମଦାବାଦ ଟାଉନର ଲାଲ ଦରବାଜା ପାଖରେ ଏହି ଅଦ୍‌ଭୁତ ରେଷ୍ଟୁରାଂଟଟି ରହିଛି । ଏହାର ନାଁ ନ୍ୟୁ ଲକି ରେଷ୍ଟୁରାଂଟ । ବହୁ ପୁରୁଣା କବରସ୍ଥାନ ଉପରେ ନିର୍ମିତ ଏହି ରେଷ୍ଟୁରାଂଟରେ ୧୨ଟି କବର ରହିଥିବା ବେଳେ ସେଗୁଡ଼ିକୁ ଲୁହା ରେଲିଂ ଦ୍ୱାରା ଆବଦ୍ଧ କରି ରଖାଯାଇଛି । ରେଷ୍ଟୁରାଂଟ ଖୋଲିବା ସମୟରେ ଏହାର ମାଲିକ କୃଷ୍ଣନ କୁଟ୍ଟି ଚିନ୍ତା କରିଥିଲେ କିପରି ଏହି କବର ଗୁଡ଼ିକର ଠିକ୍ ଭାବେ ଉପଯୋଗ କରାଯାଇ ପାରିବ । ପରେ ସେ କବର ଗୁଡ଼ିକ ଚାରିପଟେ ଲୁହା ରେଲିଂ ବୁଲାଇବା ସହ ଏହାର ଚାରିପାଖେ ଟେବୁଲ୍ ଓ ଚେୟାର ପକାଇଥିଲେ । ପ୍ରଥମେ ରେଷ୍ଟୁରାଂଟକୁ ଲୋକେ ଆସିବେ ନା ନାହିଁ ସେ ଚିନ୍ତାରେ ପଡ଼ିଥିଲେ କୃଷ୍ଣନ । ମାତ୍ର ଏହି ରେଷ୍ଟୁରାଂଟକୁ ଯୁବକଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଲୋକେ ଆସିବାକୁ ଲାଗିଲେ। ରେଷ୍ଟୁରାଂଟି ଲୋକପ୍ରିୟ ହୋଇଗଲା। ମାଲିକ କୃଷ୍ଣନ ତାଙ୍କ ପାଇଁ ରେଷ୍ଟୁରାଂଟଟି ଶୁଭ ବୋଲି କହିଥିଲେ।


କୃଷ୍ଣନ କହନ୍ତି ଏଠାକୁ ଆସୁଥିବା ଲୋକମାନେ ଭଲ ଅନୁଭବ ନେଇ ଫେରିଥାନ୍ତି । କବର ଗୁଡ଼ିକ ପୂର୍ବଭଳି ସେହି ସ୍ଥାନରେ ରହିଛି। ଗ୍ରାହକମାନଙ୍କର କୌଣସି ଆପତି ନାହିଁ । ପ୍ରଥମେ ରେଷ୍ଟୁରାଂଟ ଖୋଲିବା ପରେ ଏହାକୁ ସଫା ସୁତୁରା କରାଯାଇ କବର ଉପରେ ଫୁଲ ଓ ଚାଦର ଚଢ଼ାଯାଇଥାଏ । ପରେ ରେଷ୍ଟୁରାଂଟ ସହିତ କବର ଗୁଡ଼ିକୁ ସଜାଯାଇଥାଏ । କୃଷ୍ଣନ କହିଛନ୍ତି ବିଖ୍ୟାତ ଚିତ୍ରକର ଏମ୍‌.ଏଫ୍‌. ହୁସେନ ୨୦୦୪ରେ ଏହି ରେଷ୍ଟୁରାଂଟକୁ ଆସିଥିଲେ । ସେ ଏଠାରେ ଖାଇବା ସହ ରେଷ୍ଟୁରାଂଟର ସାଜସଜ୍ଜା ଦେଖି ପ୍ରଶଂସା କରିଥିଲେ । ଆଉ ଖୁସି ହୋଇ ଏକ ଚିତ୍ର ଗିଫ୍ଟ ଦେଇଥିଲେ । ଯାହା ଆଜିବି ରେଷ୍ଟୁରାଂଟର କାନ୍ଥରେ ଶୋଭା ପାଉଛି ।


ଏଠାରେ ଥିବା କବର ଗୁଡ଼ିକ କାହାର ସେନେଇ କିଛି ଜାଣନ୍ତି ନାହିଁ କୃଷ୍ଣନ। ହେଲେ କିଛି ସ୍ଥାନୀୟ ଲୋକ କହନ୍ତି କବର ଗୁଡ଼ିକ ଷୋଡ଼ଶ ଶତାବ୍ଦୀର ଜଣେ ସୁଫି ସନ୍ଥଙ୍କ ଶିଷ୍ୟମାନଙ୍କର । ରେଷ୍ଟୁରାଂଟ ପାଖରେ ଏକ ଦରଗାହ ରହିଥିବାରୁ ଏହା ଲୋକଙ୍କୁ ଅନ୍ୟପ୍ରକାର ଅନୁଭୂତି ପ୍ରଦାନ କରିଥାଏ । ତେଣୁ ଆପଣ କେବେ ଗୁଜୁରାଟ ବୁଲିବାକୁ ଗଲେ ଏହି ସ୍ୱତନ୍ତ୍ର ରେଷ୍ଟୁରାଂଟକୁ ବୁଲିଯିବାକୁ ଜମା ଭୁଲନ୍ତୁ ନାହିଁ ।

ମତାମତ ଦିଅନ୍ତୁ ।