ଅନ୍‌ଲାଇନ୍‌ ଶିକ୍ଷାଦାନ ପାଇଁ ୪ରୁ ଶିକ୍ଷକଙ୍କୁ ତାଲିମ

ଭୁବନେଶ୍ୱର : ଆସନ୍ତା ୪ ତାରିଖ ଠାରୁ ଶିକ୍ଷକମାନଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ସମ୍ପର୍କରେ ତାଲିମ ଦିଆଯିବ। ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ତାଲିମର ସମୟ ଅବଧି ଦୁଇଘଣ୍ଟା। କରୋନା ପାଇଁ ଶିକ୍ଷାଦାନ ଯେପରି ପ୍ରଭାବିତ ନହେବ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ରବିବାର ଶ୍ରୀ ଦାଶ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟରୁ ଦୁଇଜଣ ଲେଖାଏଁ ଶିକ୍ଷକ, ୩୦ ଜିଲ୍ଲାର ୩୦ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜର ଶିକ୍ଷକଙ୍କୁ ଅନଲାଇନରେ ଶିକ୍ଷାଦାନ ପାଇଁ ତାଲିମ ଦିଆଯିବ। ବିଭାଗ ପକ୍ଷରୁ ଦିଆଯିବ ଏହି ତାଲିମ। ସେ କହିଲେ ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନେ ଦୁଇ ଦିନ ଭିତରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାଛଡା ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଜିରୋ ରେଜଲ୍ଟ ହୋଇଥିବା ୩୧ଟି ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ ଖୁବ୍ ଶୀଘ୍ର ଆଲୋଚନା କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ମତାମତ ଦିଅନ୍ତୁ ।