ଅଞ୍ଜନା ଗଣଦୁଷ୍କର୍ମ ମାମଲା : ଟିଆଇ ପରେଡରେ ‘ବିବନ’ ବୋଲି ଜଣଙ୍କୁ ଚିହ୍ନିଲେ ପୀଡ଼ିତା

ଭୁବନେଶ୍ଵର : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍ ବିବେକାନନ୍ଦ ବିଶ୍ଵାଳ ୨୨ ବର୍ଷ ପରେ ଗିରଫ ହୋଇଥିଲେ। ତାଙ୍କୁ ଚିହ୍ନଟ ପାଇଁ ଆଜି ମଧ୍ୟାହ୍ଣରେ ଝାରପଡ଼ା ଜେଲରେ ଟିଆଇ ପରେଡ୍ ହୋଇଯାଇଛି।
ଖବର ଅନୁଯାୟୀ ଝାରପଡ଼ା ଜେଲ ପରିସରରେ ଥିବା ହଲ୍ ଭିତରେ ଜେଏମ୍ଏଫ୍ସି ସୃଜାଲିନ ମହାନ୍ତିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ୍ କରାଯାଇଥିଲା। ବିବନ ସମେତ ୧୦ ଜଣ କଏଦୀଙ୍କୁ ଗୋଟିଏ ଧାଡ଼ିରେ ଛିଡ଼ା କରାଯାଇଥିଲା। ସେମାନଙ୍କ ଉଚ୍ଚତା ଓ ଶରୀରର ଗଠନ ପାଖାପାଖି ସମାନ ରହିଥିଲା। ତେବେ ଅଞ୍ଜନା ମିଶ୍ର ଜଣଙ୍କୁ ଚିହ୍ନଟ କରିଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଥିଲେ ହେଁ ଟିଆଇ ପରେଡ୍ ପରେ ଜେଲ୍ ବାହାରକୁ ଆସି ସେ ଏନେଇ କିଛି କହି ନାହାନ୍ତି। ସେ କହିଛନ୍ତି ଟିଆଇ ପରେଡ୍ ସମୟରେ ୧୦ ଜଣ ଅପରାଧୀ ଥିଲେ। ଏହାର ଫଳାଫଳ କୋର୍ଟରୁ ଜଣାପଡ଼ିବ। ମୁଁ କେମିତି କହିବି ବୋଲି ମତ ରଖିଥିଲେ।
ଟିଆଇ ପରେଡ୍ ସମୟରେ ମାଜିଷ୍ଟ୍ରେଟ ଓ ଜେଲ୍ର ଅଧିକାରୀ ଉପସ୍ଥିତ ଥିଲେ । ବ୍ୟବସ୍ଥା ଅନୁସାରେ, ପୀଡ଼ିତା ଧାଡ଼ିରେ ଛିଡ଼ା ହୋଇଥିବା କଏଦୀଙ୍କ ଭିତରୁ ଜଣଙ୍କୁ ଚିହ୍ନଟ କରିବେ। ଏହାର କାଗଜପତ୍ର ମଧ୍ୟ ରହିବ। ଯେଉଁ ଜେଲ ଅଧିକାରୀ ଉପସ୍ଥିତ ଥିବେ ସେ ଏଥିରେ ଦସ୍ତଖତ କରିବେ। କୋର୍ଟରେ ଯେତେବେଳେ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହେବ; ଜେଲ ଅଧିକାରୀ ସେହି ସମୟରେ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିବେ।
ଅନ୍ୟପକ୍ଷରେ ମାମଲାର ଅଧିକ ତଦନ୍ତ ଲାଗି ସିବିଆଇ ପକ୍ଷରୁ ବିବନର ୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା। କୋର୍ଟ ଦୁଇଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଛନ୍ତି। କୋଲକାତାରୁ ଆସି ଭୁବନେଶ୍ଵରରେ କ୍ୟାମ୍ପ ଅଫିସ ଖୋଲିଥିବା ତଦନ୍ତକାରୀ ଅଧିକାରୀଙ୍କ ସହ ୫ ଜଣିଆ ଟିମ୍ ବିବନକୁ ରିମାଣ୍ଡରେ ଆଣିବା ପରେ ଅଧିକ ତଦନ୍ତ କରି ତା ବିରୋଧରେ ପ୍ରମାଣ ଯୋଗାଡ଼ କରିବେ। ଏହି ସମୟ ଭିତରେ ବିବନର ଡାକ୍ତରୀମାଇନା କରାଯିବ। ଏହା ସହ ତାର ବୟାନ ରେକର୍ଡ କରାଯିବ। ବାରଙ୍ଗରେ ଯେଉଁଠି ଘଟଣା ଘଟିଥିଲା ସେଠାରେ ବିବନକୁ ସାଙ୍ଗରେ ଧରି ତଦନ୍ତକାରୀ ଟିମ୍ କ୍ରାଇମ ସିନ୍ ରିକ୍ରିଏସନ୍ କରିବ ବୋଲି ଜଣାପଡ଼ିଛି।