Breaking Newsଅପରାଧ

ଅନୁଭବଙ୍କ ନାଁ’ରେ ପୁଣି ଥାନାରେ ଅଭିଯୋଗ କଲେ ବର୍ଷା, ଘରେ ପହଞ୍ଚିଲା ପୋଲିସ

କଟକ : ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ପୁଣି ଚର୍ଚ୍ଚାକୁ ଆସିଛି। ସ୍ୱାମୀ ଅନୁଭବ ମହାନ୍ତି ଓ ଦୁଇ ସହଯୋଗୀଙ୍କ ନାଁରେ ବର୍ଷା ଗତକାଲି ବିଳମ୍ବିତ ରାତିରେ ପୁରୀଘାଟ ଥାନାରେ କରିଛନ୍ତି ଅଭିଯୋଗ। ରୁମ୍‌ରେ ଅନୁଭବ ତାଲା ପକାଇ ଦେବାରୁ ଶନିବାର ରାତିରେ ସେ ରାସ୍ତାରେ ଏକ ଘଣ୍ଟା ଛିଡ଼ା ହୋଇ ରହିଥିବା ଦର୍ଶାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁଭବ ଘରେ ରହିବାକୁ ବାଧା ଦେଉଥିବା ଏତଲା ପାଇବା ପରେ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିଛି।

ଦୁଇଦିନ ତଳେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବା ପାଇଁ ତଥା ତାଙ୍କୁ ବଦନାମ କରିବାକୁ ଏହି ଭିଡିଓକୁ ଭାଇରାଲ କରାଯାଇଥିବା ଅଭିଯୋଗ କରିଥିଲେ ବର୍ଷା।

ଅନ୍ୟପକ୍ଷରେ ଏକ ଭାଇରାଲ ଅଡିଓକୁ ନେଇ ଡିଜିପି ଅଭୟଙ୍କୁ ଚିଠି ଲେଖି ଏହାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ଅନୁଭବ। ସେ ଲେଖିଛନ୍ତି ଏହି ଅଡିଓଟି ମାସେ ଦୁଇ ମାସ ହେଲାଣି ସୋସିଆଲ ମିଡିଆ ତଥା ଅନ୍ୟାନ୍ୟ ମିଡିଆରେ ଭାଇରାଲ ହେଉଥିବାରୁ ଏହା ତାଙ୍କୁ ଭାରି ବିବ୍ରତ କରିଛି। ସମ୍ଭବତଃ ଅଡିଓଟି ବର୍ଷା ପ୍ରିୟଦର୍ଶିନୀ, ତାଙ୍କ ବଡ଼ ଭଉଣୀ ବନାନୀ ସାହୁ ଓ ଦେବଯାନୀ ସାହୁ ଗୌଡ଼ଙ୍କ ମଧ୍ୟରେ ଟେଲିଫୋନ୍‌ରେ ହୋଇଥିବା ବାର୍ତ୍ତାଳପର। ଏହି ଟେଲିଫୋନ୍ ବାର୍ତ୍ତାଳପରେ ବ୍ୟବହାର ହୋଇଥିବା ଭାଷା ଅତି ଅପମାନଜନକ ଓ ଘୃଣ୍ୟ। ଏହି ବାର୍ତ୍ତାଳପରେ ତାଙ୍କ ବିରୋଧରେ ତଥା ତାଙ୍କ ପରିବାର ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ରଚାଯାଉଥିବା ଭଳି ଜଣାପଡ଼ୁଛି। ଏଥିରେ ପ୍ରକୃତରେ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ପରିବାର ଲୋକଙ୍କ ସ୍ୱର ଅଛି ନା ନାହିଁ ତା’ର ତଦନ୍ତ କରାଇବାକୁ ସେ ଡିଜିପିଙ୍କୁ ଅନୁରୋଧ କରିଛନ୍ତି।

ମତାମତ ଦିଅନ୍ତୁ ।

Back to top button