ଅରୁଣାଚଳ ସୀମା ନିକଟରେ ଚୀନର ରେଳପଥ ନିର୍ମାଣ ପ୍ରସ୍ତୁତି

ବେଜିଙ୍ଗ୍ : ଅରୁଣାଚଳ ପ୍ରଦେଶ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଚୀନ୍‌ ସିଚୁଆନ୍‌-ତିବ୍ବତ ରେଳପଥ ନିର୍ମାଣ କରିବାକୁ ପ୍ରସ୍ତୁତି କରୁଛି। ଏହି ରେଳପଥ ତିବ୍ବତ ଓ ଚୀନ୍‌ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଚୀନ୍‌ ରେଳବାଇ ଶନିବାର ଘୋଷଣା କରିଛି ସିଚୁଆନ୍‌-ତିବ୍ବତ ରେଳପଥର ୟା’ଆନ୍‌-ଲିଞ୍ଝି ସେକ୍ସନ୍‌ ଲାଗି ଦୁଇଟି ସୁଡ଼ଙ୍ଗ, ଗୋଟିଏ ସେତୁ ଓ ପାୱାର୍‌ ସପ୍ଲାଏ ପ୍ରୋଜେକ୍ଟ୍‌ ନିର୍ମାଣ କରାଯିବ।

ସୂଚନାଯୋଗ୍ୟ ଲିଞ୍ଝି ଅରୁଣାଚଳ ପ୍ରଦେଶ ସୀମାନ୍ତରେ ଅବସ୍ଥିତ। ଅରୁଣାଚଳ ପ୍ରଦେଶ ଦକ୍ଷିଣ ତିବ୍ବତ ଅଂଶ ବୋଲି ଚୀନ୍‌ ଦାବି କରୁଥିବା ବେଳେ ଭାରତ ଏହାକୁ ବିରୋଧ କରୁଛି। କ୍ବିଙ୍ଘାଇ-ତିବ୍ବତ ରେଳପଥ ପରେ ତିବ୍ବତରେ ସିଚୁଆନ୍‌-ତିବ୍ବତ ରେଳପଥ ହେଉଛି ଦ୍ଵିତୀୟ ପ୍ରକଳ୍ପ। ବିଶ୍ଵର ସବୁଠୁ ସକ୍ରିୟ ଥିବା ଭୂତାତ୍ତ୍ୱିକ ଅଞ୍ଚଳ ‘କ୍ବିଙ୍ଘାଇ-ତିବ୍ବତ ପ୍ଲେଟ୍ୟୁ’ ମଧ୍ୟ ଦେଇ ଏହାର ନିର୍ମାଣ ହେବ ବୋଲି ଚୀନ୍‌ର ରାଷ୍ଟ୍ରାୟତ ସମ୍ବାଦପତ୍ର ‘ଚାଇନା ନିଉଜ୍‌’ ରିପୋର୍ଟ କରିଛି।

ସିଚୁଆନ୍‌ ପ୍ରଦେଶର ରାଜଧାନୀ ଚେଙ୍ଗଡୁ ପ୍ରଦେଶରୁ ଆରମ୍ଭ ହେଉଥିବା ସିଚୁଆନ୍‌-ତିବ୍ବତ ରେଳପଥରେ ଲାସାକୁ ଯାତ୍ରା କରିବା ସହଜ ହେବ। ଏବେ ଚେଙ୍ଗ୍‌ଡୁରୁ ଲାସାକୁ ଯିବା ନିମନ୍ତେ ୪୮ ଘଣ୍ଟା ସମୟ ଲାଗୁଛି। ନୂଆ ରେଳପଥ ନିର୍ମାଣ ହେଲେ ମାତ୍ର ୧୩ ଘଣ୍ଟା ଲାଗିବ। ୧୦୧୧ କିଲୋମିଟର୍‌ ଦୀର୍ଘ ଏହି ରେଳପଥରେ ଘଣ୍ଟାପ୍ରତି ୧୨୦ରୁ ୨୦୦ କିଲୋମିଟର୍‌ ବେଗରେ ଟ୍ରେନ୍ ଗତି କରିବ। ଏଥିପାଇଁ ୩୧୯.୮ ବିଲିୟନ୍ ଡଲାର୍‌ ଖର୍ଚ୍ଚ ହେବ ବୋଲି ‘ଗ୍ଲୋବାଲ୍‌ ଟାଇମ୍ସ୍‌’ରେ ପ୍ରକାଶ ପାଇଛି।

ମତାମତ ଦିଅନ୍ତୁ ।