ଅସଲ ଲେଖକ ହିଁ ସମୟର ସେନାପତି

॥ ମାୟାଧର ନାୟକ ॥
ରୁଷିଆର ମହାନ୍ କଥାକାର ଗର୍କୀଙ୍କ ବିଶ୍ୱ ବିଖ୍ୟାତ ଉପନ୍ୟାସ ‘ମଦର୍‌’। ଏ ଉପନ୍ୟାସର ମହାନାୟିକା ବାଟ ଚାଲିବାରେ ବିଶ୍ୱାସ କରୁଥିବା ସେଇମା, ଯିଏ ମୁଣ୍ଡେଇଥିବା ପସରା ଭିତରେ ସେଦିନ ଥିଲା ବିପ୍ଳବକୁ ଦୀର୍ଘଜୀବୀ କରିବା ପାଇଁ ପ୍ରେରଣା ଦାୟକ ପ୍ରଚାରପତ୍ର ସବୁ। ପୁଅ ସାମିଲ୍‌ ହୋଇଥିବା ଦୂରାନ୍ତରର ବିପ୍ଳବୀ ସଂଗଠନକୁ ହସ୍ତାନ୍ତର କରିଦେବା ଉଦ୍ଦେଶ୍ୟରେ ନିଜ ପସରାର ଗୁଡ଼ିଏ ଜିନିଷପତ୍ର ତଳେ ମାଆଟି ଛୁପାଇ ରଖୁଥିଲା ସେସବୁ ଗୁପ୍ତ ପ୍ରଚାରପତ୍ର। ଗୁଇନ୍ଦା ପୁଲିସର ଆଖି ଆଉ ପ୍ରତିକ୍ରିୟାଶୀଳ ଶାସକ ଦଳର ଚର-ଅନୁଚରମାନଙ୍କ ନଜରକୁ ଫାଙ୍କିଦେଇ ନିୟମିତ ସେ ସବୁ ବୈପ୍ଳବିକ କାର୍ଯ୍ୟକ୍ରମର ନିର୍ଦ୍ଦେଶନାମା ମାଆ ମାର୍ଫତ୍‌ରେ ପହଂଚାଉଥିଲା ଠିକଣା ଜାଗାରେ। ମୁଣ୍ଡ ଉପରର ପସରା ଭିତରେ ଲୁଚାଇ ରଖିଥିବା ସେ ଅଗ୍ନିଗର୍ଭ ପ୍ରଚାରପତ୍ରକୁ କ’ଣ ମାଆ ପଢୁଥିଲା କେଭେଁ ?

ଏ ପ୍ରଶ୍ନ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନ। ଏପରି ପ୍ରଶ୍ନ ଖୋଦ୍ ଲେଖକ ପଚାରି ନାହାନ୍ତି କେଉଁଠି କିମ୍ବା କୌଣସି ପାଠକ ପାଠିକା ନିଭୃତ ମନରେ ଉଠାଇଛନ୍ତି କି ଉଠାଇ ନାହାନ୍ତି ମତେ ଜଣାନାହିଁ, ମାତ୍ର ଯାହାର ଊତ୍ତର ପ୍ରତ୍ୟେକ ଯୁଗରେ ଆଗାମୀ ଇତିହାସର ହିଁ ଅସଲ ଦାୟବଦ୍ଧତା। ‘ଲେଖାଲେଖି କାହାପାଇଁ’ ପ୍ରଶ୍ନର ଉତ୍ତର ଖୋଜିଲା ବେଳେ ଆମ ସମସ୍ତଙ୍କୁ, ବିଶେଷକରି ମୋର ସମକାଳର ଲେଖକ ଲେଖିକା ବିରାଦର ମାନଙ୍କୁ ମୁଁ ଗର୍କୀଙ୍କର ସେଇ ‘ମଦର୍‌’ର ମୁହଁକୁ ଏତେବର୍ଷ ପରେ ଆଉ ଥରେ ଫେରି ଚାହିଁବାକୁ ଅନୁରୋଧ କରୁଛି।

ମାଆମାନେ ଆଜି ବି ପସରା ମୁଣ୍ଡେଇ ଚାଲିଛନ୍ତି। ହେଲେ ମାଆର ସନ୍ତାନମାନେ ଏବେ କେଉଁଠି ? ଦୀର୍ଘଜୀବୀ ବିପ୍ଳବ କ’ଣ ଅମର ହୋଇ ସାରିଛି ଇତି ମଧ୍ୟରେ ? ଆଗାମୀ ଇତିହାସ ପାଇଁ ଆମର ଅଂଗୀକାରର ଦିନସବୁ କ’ଣ ସରିଯାଇଛି ? ବିପ୍ଳବର କାର୍ଯ୍ୟ ନିର୍ଘଂଟା କ’ଣ ତା’ର ଶେଷ ପାରାଗ୍ରାଫ୍‌ରେ ପହଂଚି ଯାଇଛି ? ଏବେ କ’ଣ ଚାଲିଛି ଖାଲି ଖେଳ ପିରିୟଡ୍‌ ? ପଡ଼ିଆରେ ଜର୍ସି ପିନ୍ଧି ରେଫରୀର ହୁଇସିଲ୍‌କୁ ଅପେକ୍ଷା ? ଆମ ସାହିତ୍ୟ କ୍ଲାସ୍‌ର ଛୁଟି ଘଂଟା ବାଜିବାର ଶବ୍ଦ ସବୁଠି ଶୁଭୁଛି। ମାତ୍ର ଟିକିଏ କାନ ଡେରିଲେ ଶୁଣି ପାରିବେ ଯେ ଗୋଟିଏ ଚାପା କାନ୍ଦଣାର ସ୍ୱର ଏ ଛୁଟି ଘଂଟାର ଶବ୍ଦକୁ କାଟି ଦୂରରୁ ଆହୁରି ଦୂରକୁ ଚାଲିଯାଉଛି। ହଜି ଯାଉଛି ହର୍‌ଦମ୍‌ ହସଖୁସିର ହୋହଲ୍ଲା ଆର ପଟର ଅସରନ୍ତି ହାହାକାର ଆଡ଼କୁ। କାନ୍ଦୁଛିକିଏ ? ହସୁଛି କିଏ ? ମାଆ କାନ୍ଦୁଛି ତ ହସୁଛି ସନ୍ତାନ। ଇଏ ଦୁଇଟି ପକ୍ଷ। କେଉଁ ପକ୍ଷ ପାଇଁ ଲେଖିବେ ? କାହା ପାଇଁ ଲେଖାଲେଖି ?

ପ୍ରତ୍ୟେକ ଲେଖକ ଲେଖିକା ନୀରବରେ ନିଜକୁ ଏ ପ୍ରଶ୍ନ ପଚାରିବାର ବେଳ ଆସିଯାଇଛି। ମୋ ବିଚାରରେ, କାନ୍ଦୁଥିବା ମାଆମାନଙ୍କ ଓଠରେ ଧାରେ ହସ ଆଉ ହସୁଥିବା ସନ୍ତାନମାନଙ୍କ ହୃଦୟରେ ଟୋପାଏ ଦିଟୋପା ଲୁହକୁ ପାଛୋଟି ଆଣି ପାରୁଥିବା କାନ୍ଦ ଯଦି ହୋଇ ପାରନ୍ତା ଲେଖାଲେଖିର ଲକ୍ଷ୍ୟ, ତା’ହେଲେ ‘କାହା ପାଇଁ’ ରତ୍ତତର ଖାତା ପୂରା କରିବାଟା ଆଉ କାହାରି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇପାରନ୍ତା ନାହିଁ।

ଏବେ ହସ କ୍ଳବ୍‌ର ଯୁଗ। ହସ ପାଇଁ ଆସର। ହସ ପାଇଁ ହରେକ୍‌ ଯୋଜନା ଚାରିଆଡ଼େ। ବୈଜ୍ଞାନିକ କହୁଛି-ହସ। ଡାକ୍ତରକହୁଛି-ହସ। ବନ୍ଧୁ କହୁଛି-ହସ। ହସକୁ କସରତର ସ୍ତରକୁ ନେଇଯାଇ ତାଲିମ୍‌ଦାତା ଦଳ ବି ସାଇ ବସ୍ତିଠୁ ସହର ସାରା ହସର ବ୍ୟାୟାମଶାଳା ବସାଇ ସମସ୍ତଙ୍କୁ ଡାକି କହୁଛନ୍ତି-ହସ। ହସିଲେ ହୃତ୍‌ପିଣ୍ଡ ତାଜା ରହିବ। ରକ୍ତଚାପ ରହିବ ଠିକ୍‌ଠାକ୍। ମୁହଁର ମାଂସପେଶୀ ହାସଲ କରିବ ସଠିକ୍‌ ଚାଳନା। ଅତୁଟ ସ୍ୱାସ୍ଥ୍ୟ ହୋଇ ଉଠିବ ସୁଲଭ। ସହରକୁ ନୂଆ ଯୋଗୀ ଆସି ପ୍ରଚାର କରୁଛନ୍ତି, ହସବି ଗୋଟିଏ ପ୍ରକାର ଯୋଗ। ଏତେ ନିଃଶ୍ୱାସ ପ୍ରଶ୍ୱାସ ରୁନ୍ଧିବା ନାସିକା ରନ୍ଧ୍ରରେ ପବନକୁ ଫାଶ ପକାଇ ଯୋଗ ପ୍ରାଣାୟମ କରିବା ଅପେକ୍ଷା, ବରଂ ଦଶମିନିଟ୍‌ ହସ। ଯୋଗ ମାର୍ଗକୁ ସୁରୁଖୁରୁ ଯାତ୍ରା ସଂଭବପର ଏ ବିନା ଖର୍ଚ୍ଚର କେଇ ମିନିଟ୍‌ ହସରେ। ଆଖିକାନ ବୁଜି ନୀରବ ଧ୍ୟାନ କରିବାଠୁ ଆଖି ପାଟି ମେଲି ଆଁ-ଖୋଲା ସଶବ୍ଦ ହସ ସହସ୍ର ଗୁଣେ ଭଲ। ହସ-ହସ-ହସ।

ରାଜଧାନୀର ଜନ ସମାବେଶରେ ସଭାପତିତ୍ୱ କରି ପୁରୁଣା ପୁରୁଖା ନେତାବି ନୂଆ ଲେଖକ ଲେଖିକା ମାନଙ୍କୁ ପରାମର୍ଶ ଦେଉଛନ୍ତି-ହାସରସ ସୃଷ୍ଟିକର। ହାସ୍ୟ ହିଁ ଲାସ୍ୟ। ହାସ୍ୟହିଁ ଭାଷ୍ୟ। ହାସ୍ୟହିଁ ରହସ୍ୟ। ଯଦି ହାକିମ ଆଉ ପିଅନ ପରସ୍ପରକୁ ଦୁଇ ମିନିଟ୍‌ ଚାହିଁ ପ୍ରତିଦିନ ହସିବେ, ତାହେଲେ ଅଫିସ୍‌ରେ ତାଲା ବନ୍ଦର ଦିନ ଆସିବ ନାହିଁ କି ହରତାଳର ଦିପହର ଦିଶିବ ନାହିଁ। ପିଅନର ଛୁଟି ଦରଖାସ୍ତ ଆଉ ହାକିମର ଛଟା ଦସ୍ତଖତ ମଝିରେ ଛୁଂଚି ମୁନର ଦୂରତା ରହିବ ନାହିଁ। ଆମର ଆଉ ଫକିର ମୋହନ, ପ୍ରେମଚଂଦ, ଶରତ୍‌ଚନ୍ଦ୍ର, ନଜରୁଲ, ସଚ୍ଚି ରାଉତରା ଦରକାର ନାହିଁ- ଦରକାର ନିର୍ଧୂମ୍‌ ହାସ୍ୟରସର ଧୁମ୍‌ଧାମ୍‌ ସାହିତ୍ୟକାର। ହସର ସାହିତ୍ୟ ବଜାର, ହସର ହାଟ ବସାଅ ଗ୍ରାହକ ପାଠକବର୍ଗ ପାଇଁ। ହସ ହିଁ ଅସଲ ରସ।

ହସିବାକୁ ଇଚ୍ଛାହୁଏ ଖୁବ୍। ହେଲେ ହସି ପାରେନା ମୋଟେ। ବସିବସି ଭାବେ ଗୋଟିଏ କାନ୍ଦୁରା ମଣିଷର କଥା, ଯିଏ ନିଜେବି ନିଜର ପଚାଶ ପୂରୁପୂରୁ ଦିନେ ସାରା ଓଡ଼ିଆ ଜାତିକୁ କନ୍ଦାଇ କନ୍ଦାଇ ଚାଲିଗଲା ଚୁପ୍‌ଚାପ୍। କୌଣସି ବ୍ୟକ୍ତି ଗତ ମାଲିକାନାର ମୋହ ନଥିଲା ତା’ର। ମଣିଷଗଢ଼ା କାରଖାନା ଗଢ଼ିଥିଲା ସତ୍ୟବାଦୀରେ, ନଥିଲା କିନ୍ତୁ ଶିଳ୍ପପତି। ସ୍ୱାଧୀନତାର ସତ୍ୟବଦ୍ଧ ସ୍ୱର ଶୁଣାଇବାକୁ ନିଅଁ ପକାଇଥିଲା ନିଆରା ସାମ୍ବାଦିକତାର, ହେବାକୁ ଚାହିନଥିଲା କିନ୍ତୁ କସ୍ମିନ୍‌ କାଳେ ମାଲିକ। ଗଲା ଆଗରୁ ଟ୍ରଷ୍ଟ୍‌ ହାତରେ ଟେକି ଦେଇଗଲା ଖବର କାଗଜ। ସର୍ବସ୍ୱାନ୍ତ ମଣିଷର ସାଥୀ ସେ, ଦୀନଦୁର୍ଗତର ବନ୍ଧୁ, ଉତ୍କଳମଣୀ ଗୋପବନ୍ଧୁ। କାରାରେ ଥାଇ ଲେଖିଥିଲା କବିତା, ବନ୍ୟା ଧାରାରେ ନାଆ ବାହି ବାଂଟିଥିଲା ବଂଚିବାର ଚୁଡ଼ା ଚାଉଳ, ସାରା ଓଡ଼ିଆ ଜାତିର ଆତ୍ମା, ହୃଦୟ, ବିବେକକୁ ମଣିଷ ହେବାର ମନ୍ତ୍ରପାଠରେ କରିଥିଲା ଆନ୍ଦୋଳିତ। ‘ଲେଖାଲେଖି କାହାପାଇଁ’ ପ୍ରଶ୍ନ ଯଦି ତାକୁ ପଚରା ଯାଇଥାନ୍ତା, ଉତ୍ତରଟା ତାକୁ ଦେବାକୁ ପଡ଼ିନଥାନ୍ତା କଦାପି। ତା’ ତରଫରୁ ଉତ୍ତର ଦେଇଥାନ୍ତେ ଓଡ଼ିଶାର ବନ୍ୟା, ବାତ୍ୟା, ବିପତି ଏବଂ ଚିଲିକା ଚଢେଇଠୁ ଆରମ୍ଭ କରି ମୂଲ ଲାଗୁଥିବା ମାଟିର ମଣିଷ, ଫଟା ମାଟିର ଚାଷୀ, ଜେନାପୁରବାସୀ ପର୍ଯ୍ୟନ୍ତ କେତେ କିଏ। ଯାହାଯାହା ପାଇଁ ସେ କାନ୍ଦୁଥିଲା, ସ୍ୱପ୍ନର ଖସଡ଼ା ତିଆରି କରୁଥିଲା, ଓଡ଼ିଶା ଓ ଓଡ଼ିଆକୁ ଗୋଟିଏ ନାବରେ ବସାଇବାକୁ ଅନୁରୋଧ କରିଚାଲୁଥିଲା, ସେଇମାନେ ହିଁ ତା’ ଲେଖାଲେଖି କାହାପାଇଁ ପ୍ରଶ୍ନର ଉତ୍ତରଦାୟୀ।

ଲେଖାଲେଖି କାହା ପାଇଁ ? ସମକାଳର ଓଡ଼ିଆ ଲେଖକ ଲେଖିକାମାନଙ୍କ କଣ୍ଠ ସ୍ୱରରେ କେତେକଣ ଉତ୍ତର ଶୁଣାଯାଇ ପାରେ ମଂଚରେ, ମିଳନୀରେ, ନାନା ଶେଷର ବିବାସରୀୟ ସାକ୍ଷାତକାରରେ। ମାତ୍ର ସେ ସବୁ ଉତ୍ତର କେତେ ଅଂଶରେ ଅସଲ ସ୍ୱର ? ସାହିତ୍ୟ ଏବେ ଯେଉଁଠି ମନର କଥା ଆଉ ମୁହଁର କଥା ମଧ୍ୟରେ ତାଳମେଳ ନରଖି କେବଳ ମଖମଲୀ ମୁଖାର କଥା ପାଲଟି ଯାଇଛି, ସେଠି ପ୍ରଶ୍ନର ଓକାଲତ୍‌ନାମା ରଦ୍ଦ ଏବଂ ଉତ୍ତର ଗୁଡ଼ାକ କାଠଗଡ଼ା ଡେଇଁ ଫେରାର୍ ଆସାମୀ ! ଛାତିରେ ହାତ ଦେଇ ଆଜି କେତେଜଣ କହିବେ-ଆମେ ଲେଖୁଛୁ ଟୁକୁରା ଟୁକୁରା ଭଙ୍ଗା ସ୍ୱପ୍ନର ମାଆମାନଙ୍କ ପାଇଁ ? ବାପ-ମାଆଙ୍କ ରାଣ ଖାଇ କେତେଜଣ ଲେଖିକା ବି କହିବେ-ଆମେ ଲେଖୁଛୁ ଅମର୍ଯ୍ୟାଦାରେ ଭୂଲୁଣ୍ଠିତା ସେଇ ଭାଷାହୀନା ନ୍ୟାୟ ପ୍ରତୀକ୍ଷିତା ମହିଳାମାନଙ୍କ ପାଇଁ ? ଦେଶର ନାରୀ ପାଇଁ ସାହିତ୍ୟରେ ଯଦି ସମ୍ମାନ ଜନକ ନାରା ନ ଶୁଭେ, ସେସବୁ ସାହିତ୍ୟ ନାଆଁରେ ଲେଖାଲେଖିଟା ତେବେ କାହାପାଇଁ ଆଉ କେତେଦିନ ?

ଆମର ସାହିତ୍ୟ ଏବେ ନୂଆ ପରିଭାଷାରେ ନାମିତ। ଆମେ ଆଉ ସାହିତ୍ୟ ନ କହି ସବୁଠି କହିଲୁଣି ଲେଖାଲେଖି। ଦୁଇଟା ଯାକ ଏକା କଥା ନୁହେଁ ବୋଲି ମୋର ବିନମ୍ର ମତ। ସାହିତ୍ୟ କହିଲେ ଗୋଟିଏ ଯୋଗ, ଗୋଟିଏ ଜୀବନ ମାର୍ଗ, ଗୋଟିଏ ଏକାନ୍ନଭୋଜୀ ଅଭିବାଞ୍ଛନାଶ୍ରିତ ଅଭିବ୍ୟକ୍ତି- ଯାହା ବ୍ୟକ୍ତିକୁ ଲେଖକରେ ପରିଣତ କରୁକରୁ ପରିଶେଷରେ କରାଏ ସମୂହର ସଂବେଦନଶୀଳ ଅଂଶ-ବିଚ୍ଛିନ୍ନ ଏକକ ନୁହେଁ ମୋଟେ। ଯିଏ ଅସଲ ଲେଖକ ସେ କେଭେ ଲେଖେନାହିଁ କାହା ପାଇଁ-କାରଣ ସେ ଯାହା ଲେଖେ ସେଥିରେ ସ୍ୱୟଂ ସମୟ ହିଁ ଲେଖି ଚାଲୁଥାଏ ନିଜସ୍ୱ କଥନ, ଅସମାପ୍ତ ଆତ୍ମଚରିତର ସୂକ୍ଷ୍ମ ଶ୍ରୁତ ଲିଖନ।

ଲେଖାଲେଖି କଥାଟା ସାହିତ୍ୟର ସଚ୍ଚା ନାମାନ୍ତର ନୁହେଁ। ଏଥିରେ ସାହିତ୍ୟ ଗତ ଦାୟିତ୍ୱ ଯେତେ ନାହିଁ, ସେତେ ଅଛି ଏକ ବ୍ୟକ୍ତିଗତ ସ୍ପୃହାର ଶାବ୍ଦିକ ସମରାଭ୍ୟାସ ମାତ୍ର। ଯୁଦ୍ଧ ନାହିଁ, ଶିବିର ନାହିଁ, ସାମ୍ମୁଖ୍ୟ ନାହିଁ, ଆହ୍ୱାନ ନାହିଁ – ଅଥଚ ଅଂଗୀକାରହୀନ ଏକ ଅଭ୍ୟାସର ଅଂଗଚାଳନା- ଆକାଶକୁ ଅସ୍ତ୍ର ଉତ୍ତୋଳନ -ଶୂନ୍ୟତାକୁ ବଦ୍ଧମୁଷ୍ଟି ପ୍ରଦର୍ଶନ। ସାହିତ୍ୟବୋଧ ଅପେକ୍ଷା ଏ ଧାରାରେ ଏବେ ଅନୁପ୍ରବେଶ କରିଛି ଅରୁଚିକର ଅନେକ ପ୍ରକାର ଆଭିମୁଖ୍ୟ-ଯେମିତି ମଂଚ ଦଖଲ, ପୁରସ୍କାର ହାସଲ, ପ୍ରଶଂସାପତ୍ର/ମାନପତ୍ର ଆଦାୟର ନୟାନ୍ତ ନକଲ। ଏଇଭଳି ସ୍ଥୂଳ, ନ୍ୟସ୍ତସ୍ୱାର୍ଥ, ଇତର ପର୍ଯ୍ୟାୟକୁ ଆସି ସାହିତ୍ୟ ଯଦି ନିଜପାଇଁ ଏ ନୂତନ ନାମକରଣ ଏହି ଲେଖାଲେଖି ରୂପକ ବଜାର ବୁଲା ବେଶପଟା ମଡ଼ାଇ କ୍ରମେ ଦେଖାଦେଖି, ଟେକାଟେକି ଆଦତ୍ ଆଦରି ବସେ ଏବଂ ଭିତର ଫମ୍ପା ଥାଇ କେବଳ ବାହାରଟା ଚମ୍ପାରଙ୍ଗ ବୋଳି ବିକୃତିପୂର୍ଣ କୃତି ପ୍ରକାଶର ପ୍ରକ୍ରିୟା ବଜାୟ ରଖେ, ତା’ହେଲେ ସେଠି-ଏ ଲେଖାଲେଖି ଯେପରି କେବେ ବି ନହେଉ କାହା ପାଇଁ ! ଏପରି ଲେଖକ ଲେଖିକା ଆମ ସାହିତ୍ୟ ରୁଚିର ପରିପନ୍ଥୀ-ତେଣୁ ଯଥାଶୀଘ୍ର ପରିତ୍ୟଜ୍ୟ-ଅନ୍ତତଃ ଆମ ସାଂସ୍କୃତିକ ମୂଲ୍ୟବୋଧର ସର୍ବନିମ୍ନ ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିକୋଣରୁ।

ଯାଜପୁରରୋଡ, ଯାଜପୁର
ମୋ- ୯୮୬୧୦୩୪୧୬୩

ମତାମତ ଦିଅନ୍ତୁ ।