ଅଟୋ ଚାଳକଙ୍କୁ ୪.୩୯ କୋଟିର ଟ୍ୟାକ୍ସ ନୋଟିସ୍

ଜୟପୁର : ରାଜସ୍ଥାନର ବାରମେର ଜିଲ୍ଲାରେ ଏକ ଅଟୋ ରିକ୍ସା ଡ୍ରାଇଭରଙ୍କୁ ଆୟକର ବିଭାଗ ୪.୩୯ କୋଟି ଟଙ୍କାର ଟ୍ୟାକ୍ସ ଡିମାଣ୍ଡ ନୋଟିସ୍ କରିଛି। ତାଙ୍କ ନାମରେ ଏକ କମ୍ପାନୀ ରହିଛି ଯାହାର ବାର୍ଷିକ ଆୟ ୩୨.୬୨ କୋଟିରୁ ଅଧିକ ବୋଲି ଦର୍ଶଯାଇଛି। ମାମଲା ବୁଝିବା ପରେ ଅଟୋ ରିକ୍ସା ଚାଳକ ଥାନାକୁ ଯାଇ ତାଙ୍କ କାଗଜପତ୍ରର ଦୁରୁପଯୋଗ କରାଯାଇଥିବା ଅଭିଯୋଗ କରିଛନ୍ତି। କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ ମାମଲା ରୁଜୁ କରି ନାହିଁ।

ତଦନ୍ତରୁ ଜଣା ପଡିଛି ଦିଲ୍ଲୀର ଏକ କମ୍ପାନୀ ଅଟୋ ଚାଳକଙ୍କ କାଗଜପତ୍ରର ଦୁରୁପଯୋଗ କରିଛି। ଜିଏସଟି ଅଧିକାରୀ ଦିଲ୍ଲୀ ପ୍ରଶାସନ ସାମ୍ନାରେ ଏହି ଅଭିଯୋଗ ଉଠାଇଛନ୍ତି। ଅଟୋ ଚାଳକଙ୍କ ନାମ ଗାଜେଦନ ଚାରନ। ସେ ବାରମେର ଜିଲ୍ଲା ବାଖାସର ଥାନା ଅନ୍ତର୍ଗତ ପାନୋରିଆ ଅଞ୍ଚଳର। ନିକଟରେ ତାଙ୍କୁ ୪.୩୯ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍ ମିଳିଥିଲା। ଏହି ଟ୍ୟାକ୍ସ ଡିମାଣ୍ଡ ୩୨.୬୮ କୋଟି ଟଙ୍କାର ନେଣଦେଣ ଆଧାରରେ କରାଯାଇଥିଲା।

ଚାରନ କହିଛନ୍ତି ମୁଁ ଜଣେ ସାଧାରଣ ଅଟୋ ଚାଳକ। ମାସକୁ ୧୦ରୁ ୧୫ ହଜାର ଟଙ୍କା ଆୟ କରେ। ମୁଁ କେବେ କୌଣସି କମ୍ପାନୀ କରିନାହିଁ। ଏମିତି ଲାଗୁଛି କିଏ ମୋର କାଗଜପତ୍ରର ଦୁରୁପଯୋଗ କରି ନକଲି କମ୍ପାନୀ ତିଆରି କରିଛି। ପୋଲିସଠାରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଅଣଦେଖା କରୁଥିବା ସେ କହିଛନ୍ତି।

ଚାରନ କାଗଜପତ୍ର ଦେଇ ଏକ ଘରୋଇ ବୀମା କମ୍ପାନୀରୁ ଋଣ ନେଇଥିଲେ। ନକଲି କମ୍ପାନୀ କରିଥିବା ଲୋକେ ଏହି ଫାଇନାନ୍ସ କମ୍ପାନୀରୁ ତାଙ୍କ କାଗଜପତ୍ର ନେଇ ଯାଇଛନ୍ତି। ଯୋଧପୁରର ଜିଏସଟି ଅଧିକାରୀ ଏବେ ଦିଲ୍ଲୀ ଅଧିକାରୀଙ୍କ ସାମ୍ନାରେ ଏହି ପ୍ରସଙ୍ଗ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button