Breaking Newsବିଶେଷ

ବଦଳିବ ମନ୍ତ୍ରିମଣ୍ଡଳ ରୂପରେଖ

ଭୁବନେଶ୍ଵର : ରାଜ୍ୟରେ ଆଉ କରୋନାର ସେତେଟା ପ୍ରଭାବ ନାହିଁ। ପରିସ୍ଥିତି ସ୍ଵାଭାବିକ ଆଡକୁ ଗତି କରୁଥିବା ବେଳେ ଟିକା ଆସିବା ସମୟ ପାଖେଇ ଗଲାଣି। ମନ୍ଦିର ଖୋଲିଛି। ସ୍କୁଲ ଖୋଲିବ। ମୋଟାମୋଟି ଭାବେ କହିବାକୁ ଗଲେ ଲୋକଙ୍କ ମନରୁ କରୋନା ଭୟ ଦୂରେଇ ଯାଇଛି। ଏବେ ଆରମ୍ଭ ହୋଇଛି ସେଇ ପୁରୁଣା ଚର୍ଚ୍ଚା ମନ୍ତ୍ରିମଣ୍ଡଳ ଅଦଳବଦଳ। କୁହାଯାଉଛି ନିକଟରେ ଏନେଇ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ। ଯଦିଓ ତାରିଖ କାହାକୁ ଜଣାନାହିଁ। କିନ୍ତୁ ମନ୍ତ୍ରିମଣ୍ଡଳ ରୂପରେଖ ବଦଳିବ ବୋଲି ରାଜନୈତିକ ମହଲରେ ଜୋରଦାର ଆଲୋଚନା ହେଉଛି। କିଏ ବାଦ ପଡିବେ ଓ କାହାକୁ ସାମିଲ କରାଯିବ ତାହାର ହେଉଛି ତର୍ଜମା।

ଓଡିଶାରେ ଚାଲିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ସରକାର। ଦ୍ଵିତୀୟ ବର୍ଷ ପୂରଣ ହେବାକୁ ଆଉ କିଛିମାସ ବାକି ଅଛି। କରୋନା ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ସ୍ଥିତି ବଦଳାଇଦେଲା ମହାମାରୀ। ଏବେ ସ୍ଥିତି ସୁଧୁରିବାରୁ ପୁଣି ମନ୍ତ୍ରିମଣ୍ଡଳ କଥା ଉଠିଛି। ଏହାକୁ ଉଡା ଖବର ବୋଲି କୁହାଯାଇ ପାରିବ ନାହିଁ। ସମ୍ଭବତଃ ନିକଟରେ ମନ୍ତ୍ରିମଣ୍ଡଳର ଅଦଳବଦଳ ହେବ। ଏହାର କାରଣ ହେଲା ଚଳିତ ମାସରୁ ଆରମ୍ଭ ହେଉଛି ଲୋକସଭାରେ ବଜେଟ ଅଧିବେଶନ। ଓଡିଶାରେ ଫେବୃଆରୀ ଶେଷ ସପ୍ତାହରୁ ଆରମ୍ଭ ହୋଇପାରେ ବିଧାନସଭାର ବଜେଟ ଅଧିବେଶନ। ସେଥିପାଇଁ ଏଇ ମାସରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନହେଲେ ବଜେଟ ଅଧିବେଶନ ସରିବା ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରିବ ନାହିଁ। ତେଣୁ ଜାନୁଆରୀ ହିଁ ଉପଯୁକ୍ତ ସମୟ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଏଥର ଅନେକ ମନ୍ତ୍ରୀ ବିଦାହେବେ। କେତେକଙ୍କର ବିଭାଗ ବଦଳିବ। ଯୁବ ବିଧାୟକମାନଙ୍କୁ ବାଛିବେ ମୁଖିଆ। ବୟସ୍କ ଓ ପୁରୁଖାଙ୍କୁ ଦଳୀୟ କାର୍ଯ୍ୟରେ ନିଯୋଜିତ କରାଯିବ। ବିବାଦୀୟ ଓ ଅପାରଗ ହଟିବେ। ଯେଉଁମାନଙ୍କ କାର୍ଯ୍ୟକଳାପ ସ୍ଵଚ୍ଛ ନୁହେଁ ସେମାନେ ବିଦାହେବେ। କେବଳ ରାଜନୈତିକ ଦଳ ନୁହେଁ ବିଭିନ୍ନ ମହଲରେ ମଧ୍ୟ ଅନୁରୂପ ଆଲୋଚନା ହେଉଛି। ତେବେ ଏପରି ଆକଳନ ଭୁଲ ନୁହେଁ। ଏଥିରେ କିଛି ବାସ୍ତବତା ରହିଛି। କାରଣ ବିବାଦ ପାଇଁ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ବଢୁଛି। ସରକାରଙ୍କୁ ବଦନାମ କରିବା ପାଇଁ ବିରୋଧୀଙ୍କୁ ମିଳୁଛି ମଉକା। ଏହାର ପରିସମାପ୍ତି ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ଅଦଳବଦଳ ବିଷୟରେ ଚିନ୍ତା କରିପାରନ୍ତି। ନଚେତ ବଜେଟ ଅଧିବେଶନରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ।

ସେହିପରି ବର୍ତ୍ତମାନର ମନ୍ତ୍ରିମଣ୍ଡଳରେ କିଛି ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଆଦୌ ସନ୍ତୋଷଜନକ ନୁହେଁ। ସେମାନଙ୍କ ପାଖରେ ବିଭାଗ ପରିଚାଳନାର ଦକ୍ଷତା ନାହିଁ। ଆଉ କେତେକ ରାଜ୍ୟର ସ୍ଵାର୍ଥ ଅପେକ୍ଷା ନିଜର ଆୟକୁ ଅଧିକ ଗୁରୁତ୍ଵ ଦେଉଛନ୍ତି। ସେଥିପାଇଁ ତୃତୀୟ ମହଲାରୁ ଫାଇଲ ଫେରିଛି। ତେଣୁ ଏହି ବର୍ଗର ମନ୍ତ୍ରୀମାନେ ନବୀନଙ୍କ ହିଟ୍ ଲିଷ୍ଟରେ ରହିଛନ୍ତି। ଏବେ ନିଜ ସୁରକ୍ଷା ପାଇଁ ଯେତେ ଉଦ୍ୟମ କଲେ ମଧ୍ୟ ପଦବୀ ବଞ୍ଚାଇବା ସମ୍ଭବ ହୋଇନପାରେ।

ଆହୁରି କୁହାଯାଉଛି ମନ୍ତ୍ରୀ ହେବା ପାଇଁ ଅନେକ ଆଶାୟୀ ରହିଛନ୍ତି। କିନ୍ତୁ ଖୁଲୁମଖୁଲା ଲବି କରିବାକୁ ସାହସ ଯୁଟାଇ ପାରୁ ନାହାନ୍ତି। ହେଲେ ଯାହା ସୂଚନା ମିଳିଛି ଯେଉଁ ମନ୍ତ୍ରୀ ହଟିବେ ସେହି ଜିଲ୍ଲାରୁ ନୂଆ ମୁହଁକୁ ଗୁରୁତ୍ଵ ଦିଆଯିବ। ଏହାର କାରଣ ହେଲା ଆଗକୁ ପୌର ନିର୍ବାଚନ। ନିର୍ମଳ ଭାବମୂର୍ତ୍ତି ଥିବା ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନିତ କଲେ ବିରୋଧୀଙ୍କୁ କହିବାକୁ ସୁଯୋଗ ମିଳିବନି। ସେ ଦୃଷ୍ଟିରୁ ଅଧିକାଂଶ ପୁରୁଣା ନେତା ମନ୍ତ୍ରିମଣ୍ଡଳକୁ ଫେରିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ଭବତଃ ହୋଇନପାରେ। ମୁଖ୍ୟମନ୍ତ୍ରୀ ପୌର ନିର୍ବାଚନରେ ନୂଆ ନେତାଙ୍କ ଇମେଜକୁ ପରଖିବାର ଅଧିକ ସମ୍ଭାବନା ରହିଛି। ତେବେ ଏସବୁ ଆକଳନ। ନବୀନ କେଉଁ ନିଷ୍ପତ୍ତି ନେବେ ତାହା କାହାକୁ ଜଣାନାହିଁ। ଏବେ ଦେଖିବାର କଥା ମନ୍ତ୍ରିମଣ୍ଡଳ ଅଦଳବଦଳ କେବେ ହେଉଛି ଓ ନବୀନ କେଉଁମାନଙ୍କୁ ବିଶ୍ଵାସକୁ ନେଇ ନିଜ ଟିମରେ ସାମିଲ କରୁଛନ୍ତି।

ମତାମତ ଦିଅନ୍ତୁ ।

Back to top button