ବଢୁଛି ଖାଦ୍ୟ ଓ ପୋଷଣ ସମସ୍ୟା

॥ ଗୋପାଳ ମହାପାତ୍ର ॥
ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟରେ ଗତବର୍ଷ ଆମେ ୧୦୨ ନମ୍ବରରେ ଥିଲେ ଓ ଏହା ପୁଣି ନାଇଜର ଏବଂ ସିଏରା-ଲିଓନ ଦେଶ ମଝିରେ । ଏବର୍ଷ ଆମେ ଅଛେ ୯୪ ସ୍ଥାନରେ ଆଙ୍ଗୋଲୋ ଏବଂ ସୁଡାନ ଦେଶ ମଝିରେ । ଗତବର୍ଷର ରିପୋର୍ଟରେ ୧୧୭ଟି ଦେଶ ବାବଦରେ ତଥ୍ୟ ପ୍ରଦାନ କରାଯାଇଥିବାବେଳେ ଏବର୍ଷ ୧୦୭ଟି ଦେଶ ବାବଦରେ ତଥ୍ୟ ପ୍ରଦାନ କରାଯାଇଛି । ଗତବର୍ଷ ଆମର (ଦେଶର) ‘ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଭାଲ୍ୟୁ’ ୩୦.୩ ଥିଲା । କିନ୍ତୁ ଏବର୍ଷ ମଧ୍ୟ ୨୭.୨ ରହିଛି। ଗତବର୍ଷ ଆମେ ସିରିୟସ କ୍ୟାଟୋଗୋରିରେ ଥିଲେ ଏବର୍ଷ ସେହି କ୍ୟାଟୋଗୋରିରେ ଅଛେ । ଏବର୍ଷ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ବା ଯେଉଁ ତଥ୍ୟ ପ୍ରକାଶ କରାଯାଇଛି ତାହା ୨୦୨୦ବର୍ଷର ନୁହେଁ । ଆମେ ଏକଥା ମଧ୍ୟ କହିପାରିବା ଯେ,କରୋନାର ପ୍ରଭାବ ପ୍ରସଙ୍ଗରେ ରିପୋର୍ଟରେ କିଛି ଉଲ୍ଲେଖ କରାଯାଇନାହିଁ। ଯଦି କରୋନା ପ୍ରସଙ୍ଗରେ ବିଶ୍ଲେଷଣ କରାଯାଇଥାନ୍ତା ତେବେ ହୁଏତ ଆମ ସ୍ଥାନ ଆହୁରି ତଳକୁ ଖସିଆସିଥାନ୍ତା ନହେଲେ ଆମ ସ୍ଥାନ ଉପରେ ରହିଥାନ୍ତା । କଥା ହେଉଛି ‘ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ’ ଜର୍ମାନୀର ପ୍ରତିଷ୍ଠିତ ବେସରକାରୀ ସଂସ୍ଥା ବେଲତୁଗେରାହିଲଫେ ଏବଂ ‘କନସର୍ଣ୍ଣ ୱାର୍ଲ୍ଡୱାଇଡ୍‌’ର ସମ୍ମିଳିତ ପ୍ରୟାସରେ ପ୍ରସ୍ତୁତ କରାଯାଇଥାଏ । ଏହି ସଂସ୍ଥା ୨୦୦୦ ମସିହା ଠାରୁ କ୍ଷୁଧା ଓ ପୋଷଣ ପ୍ରସଙ୍ଗରେ ଜାତିସଂଘ ଏବଂ ଏଥିସହିତ ଜଡ଼ିତ ଅନେକ ଆନ୍ତର୍ଜାତିକ ଏଜେନ୍ସୀ ଦ୍ୱାରା ପ୍ରତିବର୍ଷ ପ୍ରଦାନ କରାଯାଉଥିବା ତଥ୍ୟକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ କରିଥାଏ । ‘ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ’ ଏକ ଏଭଳି ସୂଚକାଙ୍କ ଯାହା ଖାଦ୍ୟ ଓ ପୋଷଣ ସୁରକ୍ଷାର ତତ୍କାଳିକ ମାନଦଣ୍ଡ ଏବଂ ଏହାର ଦୂରଗାମୀ ପ୍ରଭାବ ଉଭୟ ସମ୍ପର୍କରେ ସ୍ପଷ୍ଟଚିତ୍ର ପ୍ରଦାନ କରିଥାଏ । ଏହି ରିପୋର୍ଟ ଆମକୁ ପ୍ରତିବର୍ଷରେ ତଥ୍ୟ ପ୍ରଦାନ କରିଥାଏ । ରିପୋର୍ଟରୁ ପୂର୍ବବର୍ଷ ଓ ଚଳିତବର୍ଷ ମଧ୍ୟରେ ଥିବା ଫରକ୍ ଆମକୁ ଜଣାପଡିଯାଏ ।

୨୦୦୦ମସିହା ଠାରୁ ବେଲତୁଗେରାହିଲଫେ ଓ କନସର୍ଣ୍ଣ ୱାର୍ଲ୍ଡ ୱାଇଡ୍ ଯେଉଁ ରିପୋର୍ଟ ପ୍ରସ୍ତୁତ କରିବା ସହ ପ୍ରକାଶ କରି ଆସୁଛି ତାକୁ ସମୀକ୍ଷା କଲେ ସ୍ପଷ୍ଟ ଯେ ଆଙ୍ଗୋଲା ଭଳି ଦେଶ ୨୦୦୦ରୁ ୨୦୨୦ ମଧ୍ୟରେ ସେ ଦେଶର ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଭାଲ୍ୟୁକୁ ୬୪.୯ରୁ ୨୬.୮ପର୍ଯ୍ୟନ୍ତ ନେଇ ଆସିବାରେ ସକ୍ଷମ ହୋଇଛି । ଅନ୍ୟପକ୍ଷରେ ଆମେ (ଆମଦେଶ) ସେହି ୨୦ବର୍ଷର ଅବଧି ମଧ୍ୟରେ ଏହି ହାରକୁ ୩୮.୯ରୁ ୨୭.୨ରେ ପହଞ୍ଚାଇ ପାରିଛେ । ରିପୋର୍ଟରୁ ଭାରତରେ କ୍ଷୁଧା ଏବଂ କୁପୋଷଣ ପ୍ରସଙ୍ଗରେ ଯାହା ତଥ୍ୟ ମିଳୁଛି ତାହା ହେଉଛି ଦେଶରୁ କ୍ଷୁଧା ଏବଂ କୁପୋଷଣ ଭଳି ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ ଯେଉଁ ପଦକ୍ଷେଫ ନିଆଯାଇଛି ତାହା ପର୍ଯ୍ୟାପ୍ତ ନୁହେଁ । ରିପୋର୍ଟରେ ଯେଉଁ ଗ୍ରାଫିକ୍ ପ୍ରଦାନ କରାଯାଇଛି ସେଥିରୁ ଜଣାପଡୁଛି ଯେ, ୨୦ବର୍ଷ ମଧ୍ୟରେ ଏ ପ୍ରସଙ୍ଗରେ ଯେତେସବୁ ଯୋଜନା କରାଯାଇଛି । ତାହା ସଫଳ ହୋଇପାରିନାହିଁ ଅଥବା ଆନ୍ତରିକତାର ଅଭାବରୁ ଯୋଜନା ସବୁ ଫେଲ୍ ମାରିଛି । କ୍ଷୁକ୍ଷା ଓ ପୋଷଣ ସମସ୍ୟା ଅଧିକ ଥିବା ଦେଶଗୁଡ଼ିକ ହେଉଛି ଋଡ, ମାଡାଗାସ୍କର, ହାଇତି, ଲେସୋଥୋ, କଙ୍ଗୋ, ଉତ୍ତର-କୋରିଆ ଏବଂ ନାଇଜେରିଆ ପ୍ରଭୃତି । ଆମେ ବା ଭାରତ ଏସବୁ ଦେଶମାନଙ୍କ ସହ ରହିଛି । ଏସବୁ ଦେଶର ‘ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଭାଲ୍ୟୁ’ ୨୦ବର୍ଷ ମଧ୍ୟରେ ୫ରୁ ୧୦ପ୍ରତିଶତ କମିଛି। ଏସବୁ ଦେଶକୁ ରିପୋର୍ଟରେ ସିରିୟସ ଓ ଆଲାରମିଙ୍ଗ୍ ଶ୍ରେଣୀରେ ସ୍ଥାନିତ କରାଯାଇଛି । ସବୁଠାରୁ ଅଧିକ ଦୁଃଖଦାୟକ କଥା ହେଉଛି ଗ୍ରାଫିକ୍ସରେ ଆମ ଦେଶ ପାଖରେ ଯିଏ ଅଛି ସେ ଦେଶ ହେଉଛି ଉତ୍ତରକୋରିଆ । ଆମ ପଡ଼ୋଶୀ ଦେଶ ନେପାଳ, ଭୁଟାନ, ବଙ୍ଗଳାଦେଶ ଓ ପାକିସ୍ଥାନ କ୍ଷୁଧା ଏବଂ କୁପୋଷଣ ମାମଲାରେ ଆମ ଠାରୁ ଭଲ ପ୍ରଦର୍ଶନ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ରିପୋର୍ଟରେ ଏକଥା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ, ଆମ ଦେଶ ଭାରତ ଭିତରେ ଆଉ ଏକ ଭାରତ ରହିଛି ଯେଉଁଠି ରୁଆଣ୍ଡ ଓ ଋଡ଼ ଭଳି ଦେଶରେ ଥିବା କ୍ଷୁଧା କୁପୋଷଣ ଭଳି ସମସ୍ୟା ରହିଛି । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟରେ ଭୋଜନ (ଖାଦ୍ୟ) ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି ଓ ଆଶଙ୍କା ପ୍ରକାଶ ପାଇଛି । ଭାରତର କେତେକ ଅଞ୍ଚଳ ‘ଷ୍ଟେଟିଙ୍ଗ୍‌’ (ଉଚତା ଏବଂ ବୟସ ଅନୁପାତ) ପ୍ରସଙ୍ଗରେ ରାଷ୍ଟ୍ରୀୟ ସ୍ତର ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ସ୍ୱାସ୍ଥ୍ୟ, ପୋଷଣ, ଭୋଜନ ପାଇଁ ଅଧିକ ତତ୍ପରତା ଆବଶ୍ୟକ । ପରିବେଶ, ବଜାର, ସାମାଜିକ ସୁରକ୍ଷା ଏବଂ ସାମୁଦାୟିକ ଭାଗିଦାରୀ ଆଦିକୁ ସମସ୍ତଙ୍କ ପାଇଁ ଭୋଜନ (ଖାଦ୍ୟ) ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ଗ୍ରହଣ କରାଯାଇଥାଏ । ପ୍ରାକୃତିକ ସଂସାଧନର ଦୁରୂପଯୋଗ, ପ୍ରଦୂଷଣ, ବ୍ୟବସାୟୀଙ୍କ ଅଧିକ ଲାଭ କରିବାର ଇଚ୍ଛା ଭଳି ଘଟଣା ଆମ ଦେଶର ସମସ୍ତଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥାକୁ ସୁଚାରୁ ରୂପେ ଚଳାଇବା ବାଟରେ ପ୍ରତିବନ୍ଧକ ସାଜିଛି । ଗତବର୍ଷର ‘ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ’ରେ ବଦଳୁଥିବା ଭୁ-ପରିଦୃଶ୍ୟ କାରଣରୁ କ୍ଷୁଧା ବା ଅନାହାରର ସମସ୍ୟା ବଢିବାରେ ଲାଗିଛି ବୋଲି ଉଲ୍ଲେଖ କରାଯାଇଥିଲା । ଏବର୍ଷର ରିପୋର୍ଟରେ ଭୁ-ପରିଦୃଶ୍ୟ, ଜମି, ପାଣି ଉପରେ ଅଧିକାର, ପରିବେଶ ଏବଂ ଲୋକଙ୍କ ମଧ୍ୟରେ ଅସମାନତା କଥା ଅଧିକ ଭାବରେ ଦର୍ଶାଯାଇଛି । ଏହି ରିପୋର୍ଟରେ ଯେଉଁ ସବୁ ଦେଶମାନଙ୍କ ଉପରେ ବିଶ୍ଲେଷଣ କରାଯାଇଛି ସେହି ବିଶ୍ଲେଷଣରୁ ଉପରୋକ୍ତ କଥା ପ୍ରସଙ୍ଗରେ ସ୍ପଷ୍ଟ ଜଣାପଡ଼େ । କଙ୍ଗୋରେ ଯେଉଁଠି ସେ ଦେଶର ଅଧିକ ଲୋକ ଚାଷ ଉପରେ ନିର୍ଭର କରନ୍ତି ସେଠାକାର ସମସ୍ତ ଘରୋଇ ଉତ୍ପାଦ (ଜିଡିପି) ଖନନ ଉଦ୍ୟୋଗରୁ ଆସିଥାଏ । ଏଣୁ ସରକାର ଖନନ ଉଦ୍ୟୋଗ ଉପରେ ଅଧିକ ଧ୍ୟାନ ଦେଉଥିବାବେଳେ ଖାଦ୍ୟ (ଭୋଜନ) ପ୍ରସଙ୍ଗ ଉପରେ କମ୍ ଧ୍ୟାନ ଦେଇଥାନ୍ତି । ଖନନ କାରଣରୁ ପରିବେଶ, ସ୍ୱାସ୍ଥ୍ୟ ଭଳି ସମସ୍ୟା କଥାକୁ ସେ ଦେଶର ସରକାର ପୁରାପୁରି ଭୁଲିଯାଉଛନ୍ତି । କିନ୍ତୁ ନେପାଳର ସ୍ଥିତି ସମ୍ପୂର୍ଣ୍ଣ ବିପରୀତ । ନେପାଳରେ କୃଷିକ୍ଷେତ୍ର ଏବଂ ଜଙ୍ଗଲ ଅଧିକ । ପର୍ଯ୍ୟଟନ ଉଦ୍ୟୋଗକୁ ଛାଡ଼ିଦେଲେ ନେପାଳରେ ଖଣି ଏବଂ ଅତ୍ୟାଧୁନିକ ଉଦ୍ୟୋଗର ଭୂମିକା ତୁଳନାତ୍ମକ ଭାବରେ କମ୍ ରହିଛି । ପ୍ରଦୂଷଣ ଏବଂ ପରିବେଶ ପରିପ୍ରେକ୍ଷୀରେ ପର୍ଯ୍ୟଟନ ଅଧିକ ସମ୍ବେଦନଶୀଳ ଉଦ୍ୟୋଗ ଅଟେ ।

ଏ ଯେଉଁ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ କରାଯାଇଛି ସେ ବାବଦରେ ଆମ ଦେଶର ସରକାର ଅଧିକ ସମୀକ୍ଷା କରିବା ଆବଶ୍ୟକ । ଅନାହାର ବା କ୍ଷୁଧା ପ୍ରସଙ୍ଗରେ ୨୦୦୦ ଠାରୁ ଏଯାବତ୍ ଯେଉଁ ଦେଶମାନଙ୍କରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ ସେ ସବୁ ଦେଶରେ ଖନନ (ଖଣି ଉଦ୍ୟୋଗ)କୁ ଅର୍ଥବ୍ୟବସ୍ଥାର ମୂଳପିଣ୍ଡ ବୋଲି ଧରାଯାଇଥାଏ । ଯେହେତୁ କୃଷିକୁ ଯେଉଁ ସବୁ ଦେଶମାନଙ୍କରେ ଗୁରୁତ୍ୱ ଦିଆଯାଉନାହିଁ ସେ ସବୁ ଦେଶରେ ଖାଦ୍ୟ ଶସ୍ୟର ଅଭାବ ରହିବ ଏଣୁ ଅନାହାର ଅର୍ଦ୍ଧାହାର ସମସ୍ୟା ଦେଖାଯିବ । ଆମ ଦେଶରେ ଏବେ ଲୋକସଂଖ୍ୟା ୧୩୫ କୋଟି ଟପିଲାଣି । ଦେଶରେ ଖାଦ୍ୟ ଶସ୍ୟର ଉତ୍ପାଦନ ମଧ୍ୟ ଅଧିକ ହେଉଛି ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି । ଯଦି ସରକାର କହୁଛନ୍ତି ଦେଶରେ ଖାଦ୍ୟଶସ୍ୟର ଅଭାବ ନାହିଁ ତେବେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ଭୁଲ୍ କହୁଛି? ଏସବୁ ତର୍ଜମା କରିବାର ବିଷୟ । କିନ୍ତୁ ସରକାର ଏ ଦିଗରେ ଅଧିକ ପଦକ୍ଷେପ ଗ୍ରହଣ କରନ୍ତୁ ଓ ଯୋଜନାର ରୂପାୟନ ଦିଗରେ ପଦକ୍ଷେପ ନିଅନ୍ତୁ । ଏହା ହୋଇପାରିଲେ ଆଗାମୀ ବର୍ଷର ରିପୋର୍ଟ ଭାରତ ପ୍ରସଙ୍ଗରେ ସକାରାତ୍ମକ ତଥ୍ୟ ପ୍ରକାଶ କରିବ ନିଶ୍ଚୟ ।
ରାମଚନ୍ଦ୍ରପୁର, ରଣପୁର
ମୋ – ୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।