ବାହାଘର ପରେ ପ୍ରେମିକ ସହ ପଳାଇଲା କନ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ଏକ ଚର୍ଚ୍ଚିତ ଘଟଣା ଘଟିଛି। ବିବାହ ସରିବା ପରେ ପ୍ରେମିକ ସହିତ କନ୍ୟା ଫେରାର ହୋଇଯାଇଛି। ଏ କଥା ପରିବାରଲୋକେ କିମ୍ବା ବନ୍ଧୁବାନ୍ଧବ କେହି କିପରି ଜାଣିପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଖବର ଅନୁଯାୟୀ ଝିଅଟି ଛପିୟା ଥାନା ଅଞ୍ଚଳର। ତାଙ୍କ ବିବାହ ମନକାପୁର ଅଞ୍ଚଳର ଜଣେ ଯୁବକଙ୍କ ସହିତ ଠିକ ହୋଇଥିଲା। ନିର୍ଦ୍ଧାରିତ ତାରିଖ ରାତିରେ ପରିବାର ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ବାହାଘର ସରିବା ପରେ ସମସ୍ତେ ଆରାମ କରିବାକୁ ଚାଲିଯାଇଥିଲେ। ହେଲେ କନ୍ୟାର ଉଦ୍ଦେଶ୍ୟ ଥିଲା ଭିନ୍ନ। ରାତିରେ ସୁଯୋଗ ନେଇ ସେ ପ୍ରେମିକ ସହ ଫେରାର ହୋଇଯାଇଥିଲା। ସକାଳୁ ସମସ୍ତେ ଉଠି ଝିଅକୁ ବିଦା କରିବାକୁ ଖୋଜିବା ବେଳେ ପାଇ ନଥିଲେ। ପରେ ଘଟଣା ସମ୍ପର୍କରେ ଜଣାପଡିଲା।
ଝିଅ ପ୍ରେମିକ ସହିତ ଫେରାର ହୋଇଥିବା ଜାଣିବା ପରେ ପରିବାର ଲୋକେ ମୁଣ୍ଡରେ ହାତ ଦେଇଥିଲେ। ବାଧ୍ୟ ହୋଇ ବର ପକ୍ଷଙ୍କ ସହିତ ଆପୋଷ ବୁଝାମଣା କଲେ। ଏଥିରେ ଗାଁ ଲୋକେ ସହଯୋଗ କରିବାରୁ ବିବାଦ ତୁଟିଲା। କଥା ହେଲା କେହି କାହା ବିରୁଦ୍ଧରେ ମାମଲା ରୁଜୁ କରିବେନି। ତେବେ କିଏ ସେଇ ପ୍ରେମିକ ଝିଅର ଘରଲୋକମାନେ କହିବାକୁ ମନା କରିଦେଇଛନ୍ତି। କିନ୍ତୁ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଲୋକେ କହୁଛନ୍ତି ବାହା ହେବାକୁ ଯାଇଥିବା ବର ବିଚରା ଶିଶୁପାଳ ହୋଇ ଫେରିଲା।