ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ବିପିୟୁଟି ଛାତ୍ରଛାତ୍ରୀ

ଭୁବନେଶ୍ୱର : ବିପିୟୁଟି ଛାତ୍ରଛାତ୍ରୀମାନେ ଫାଇନାଲ୍ ସେମିଷ୍ଟର୍ ପରୀକ୍ଷା ଦାବିରେ ଆଜି ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରାଉ କରିଛନ୍ତି।

ଚଳିତ ବର୍ଷ ଅଗଷ୍ଟ ମାସ ଅନଲାଇନ ପରୀକ୍ଷାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିଲେ। ବିଭାଗ ପକ୍ଷରୁ କୁହାଯାଇଥିଲା ବିକଳ୍ପ ବ୍ୟବସ୍ଥା ଭାବେ ଅଫଲାଇନ ପରୀକ୍ଷା କରାଯିବ। ଏହି ପରୀକ୍ଷା ଏଯାଏ ହୋଇପାରି ନାହିଁ। ଉଚ୍ଚଶିକ୍ଷା ଲାଗି ଓଜେଇଇ ପରୀକ୍ଷା ଦେଇ ଭଲ ରାଙ୍କ ପାଇଥିଲେ ମଧ୍ୟ ଶେଷ ସେମିଷ୍ଟର ପରୀକ୍ଷା ହୋଇ ନଥିବାରୁ ଛାତ୍ରଛାତ୍ରୀମାନେ ଆଡମିଶନ କରିପାରି ନାହାନ୍ତି। ତେଣୁ ତୁରନ୍ତ ଫାଇନାଲ ସେମିଷ୍ଟର ପରୀକ୍ଷା ସହ ଓଜେଇଇ କାଉନସେଲିଂ ତାରିଖକୁ ଘୁଞ୍ଚାଯିବାକୁ ସେମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଛାତ୍ରଛାତ୍ରୀମାନଙ୍କ ସହିତ ଏନେଇ ଆଲୋଚନା କରବା ପରେ ସପ୍ତାହକ ଭିତରେ ପରୀକ୍ଷା ଓ କାଉନସେଲିଂ ତାରିଖ ନେଇ ନିଷ୍ପତ୍ତି ନିଆଯିବ ବୋଲି ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଅନଲାଇନ୍ କି ଅଫଲାଇନରେ ପରୀକ୍ଷା ହେବ କୌଣସି ନିଷ୍ପତ୍ତି ହୋଇନାହିଁ। ମୁଖ୍ୟମନ୍ତ୍ରୀ ଏହା ଉପରେ ନିଷ୍ପତ୍ତି ନେବେ। ତେବେ ଅଫଲାଇନ୍ ପରୀକ୍ଷା ପାଇଁ ପ୍ରସ୍ତାବ ଦିଆଯାଇଛି ଆଗାମୀ ସପ୍ତାହକ ଭିତରେ ସ୍ପଷ୍ଟ ହେବ। ଓଜେଇଇ କାଉନସିଲରେ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ଦେବା ନେଇ ଆଲୋଚନା କରିବୁ ବୋଲି କହିଛନ୍ତି।

ମତାମତ ଦିଅନ୍ତୁ ।