ବଜାରରେ ମହଙ୍ଗା ହେଲା ଡାଲି

ନୂଆଦିଲ୍ଲୀ : କରୋନା ସଂକ୍ରମଣ ସମୟରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏକମାସରୁ ଅଧିକ ହେବ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ଡାଲି ମହଙ୍ଗା ହୋଇଛି। ଦେଶର ରାଜଧାନୀ ଦିଲ୍ଲୀ ସମେତ ବଡ ସହର ଗୁଡିକରେ ଡାଲି ଦାମ ୧୫ ରୁ ୨୦ ଟଙ୍କା ବୃଦ୍ଧି ପାଇଛି। ଗତ ବର୍ଷ ଏହି ସମୟରେ ବୁଟ ଡାଲି ଦାମ କିଲୋ ପ୍ରତି ୭୦-୮୦ ଟଙ୍କା ରହିଥିଲା। ବର୍ତ୍ତମାନ ୧୦୦ ଟଙ୍କା ତପିଛି। ହରଡ ଡାଲି ଦାମ ୧୧୫ ଟଙ୍କାରେ ବିକ୍ରି ହେଉଛି।

ବ୍ୟବସାୟୀଙ୍କ ଦାବି ସରକାରୀ ସଂସ୍ଥା ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନକୁ ସପ୍ଲାଏ ବଢାଇବା ପାଇଁ ଷ୍ଟକ ରିଲିଜ କରିବା ଉଚିତ। ସପ୍ଲାଏ ହ୍ରାସ ପାଇଥିବା ବେଳେ ଚାହିଦା ଲଗାତାର ବୃଦ୍ଧି ପାଉଛି। ସେଥିପାଇଁ ୨୦୨୦-୨୧ ପାଇଁ ଆମଦାନୀ କୋଟା ଜାରି କରିବାକୁ ବ୍ୟବସାୟୀ ଦାବି କରିଛନ୍ତି। ସେମାନେ କହିଛନ୍ତି ଲକଡାଉନ ସମୟରେ ହରଡ ଡାଲି କିଲୋ ୯୦ ଟଙ୍କା ଥିଲା। ପରେ ହ୍ରାସ ପାଇଁ ୮୨ ଟଙ୍କା ହୋଇଥିଲା। ବର୍ତ୍ତମାନ ଦାମ ବଢିଯାଇଛି। ପାର୍ବଣ ଋତୁ ଯୋଗୁଁ ଡାଲିର ଚାହିଦା ବୃଦ୍ଧି ପାଇଛି। ତେବେ ସରକାରଙ୍କ କହିବାନୁଯାୟୀ ଯୋଗାଣ ଅବସ୍ଥା ଠିକ ଅଛି। ଆଗାମୀ ୩ ମାସରେ ଖରିଫ ଋତୁ ଫସଲ ବଜାରକୁ ଆସିବା ଆରମ୍ଭ ହୋଇଯିବ।

ନିକଟରେ କୃଷି କମିଶନର ଏସ.କେ ମାଲହୋତ୍ରା ଭାରତୀୟ ଡାଲି ଓ ଶସ୍ୟ ସଂଘ (ଆଇପିଜିଏ) ଦ୍ୱାରା ଆୟୋଜିତ ଏକ ୱେବିନାରରେ କହିଥିଲେ ଖରିଫ ଋତୁରେ ଡାଲି ଉତ୍ପାଦନ ୯୩ ଲକ୍ଷ ଟନ ହେବ ବୋଲି ଅନୁମାନ କରାଯାଉଛି। ହରଡ ଡାଲି ଉତ୍ପାଦନ ଗତ ବର୍ଷ ୩୮.୩ ଲକ୍ଷ ଟନ ହୋଇଥିବାବେଳେ ଚଳିତ ବର୍ଷ ୪୦ ଲକ୍ଷ ଟନ ହୋଇଛି।

ମତାମତ ଦିଅନ୍ତୁ ।