ପୁରୀ : ବଙ୍ଗୀୟ ଭକ୍ତଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ

ଭୁବନେଶ୍ଵର : ପୁରୀରେ ବଙ୍ଗୀୟ ଭକ୍ତଙ୍କୁ ଆକ୍ରମଣ । ପଶ୍ଚିମ ଦ୍ବାରରେ କାର୍ଯ୍ୟରତ ପୋଲିସ ମାଡ଼ ମାରିବା ସହ ଭୁଲ ମଗାଇଥିବା ନେଇ ଅଭିଯୋଗ ଆଣିଛନ୍ତି ଭକ୍ତ।
ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ପ୍ରିୟବ୍ରତ ସାହୁ ତାଙ୍କ ପରିବାର ସହ ଶୁକ୍ରବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ଦର୍ଶନ ସାରି ପଶ୍ଚିମ ଦ୍ବାର ଦେଇ ସେ ତାଙ୍କ ପରିବାର ସହ ଫେରିଥିଲେ। ତେବେ ତାଙ୍କ ପରିବାରର ଜଣେ ବରିଷ୍ଠ ନାଗରିକ ତଥା ବୟସ୍କା ବୃଦ୍ଧା ଥିବାବେଳେ ପଶ୍ଚିମ ଦ୍ବାର ଗୁମୁଟ ତଳେ ତାଙ୍କୁ ବସାଇ ବାହାରକୁ ଅଟୋ ଡାକିବାକୁ ଆସିଥିଲେ ପ୍ରିୟବ୍ରତ । ଅଟୋ ଆସିବା ପରେ ବୟସ୍କା ବୃଦ୍ଧାଙ୍କୁ ଆଣିବା ପାଇଁ ଗୁମୁଟ ପାଖକୁ ଯିବା ସମୟରେ ପୋଲିସ ତାଙ୍କୁ ଅଟକାଇ ଥିଲା । ବାରମ୍ବାର ନେହୁରା ହୋଇଥିଲେ ମଧ୍ୟ ପୋଲିସ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ ମାରିଥିବା ଅଭିଯୋଗ କରିଛନ୍ତି ପ୍ରିୟବ୍ରତ । ପଶ୍ଚିମ ଦ୍ବାରରେ କର୍ତ୍ତବ୍ୟରତ ପୋଲିସମାନଙ୍କର ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ଘଟଣାର ତଦନ୍ତ ହେବ ବୋଲି ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି ।