ବାରିପଦା : ଅଟୋକୁ ଧକ୍କାଦେଲା ଟ୍ରକ୍, ୨ ମୃତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋକୁ ପଛ ପଟୁ ଧକ୍କାଦେଇ ଟ୍ରକ୍ ଓଲଟିପଡିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ବିଶୋୟୀ ଦୋପଟ୍ଟା ଗାଁର ୧୨ ଜଣ ଆଜି ସକାଳେ ଏକ ଅଟୋରେ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ଶୁଳିଆପଦା ଯାଉଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୪ ଜଣ ମହିଳା, ୪ ଜଣ ପୁରୁଷ ଓ ୪ ଜଣ ୧୦ରୁ ୧୨ ବର୍ଷର ପିଲା। ଅଟୋଟି ବାଙ୍ଗିରିପୋଷି ଘାଟିରେ ଓହ୍ଲାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ପଛ ପିଟିବା ସହିତ କିଛି ବାଟ ଘୋଷାରି ନେଇଥିଲା। ଏହାପରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ପିଲା ଓ ଜଣେ ପୁରୁଷଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ଖବର ପାଇ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଅନ୍ୟ ଆହତମାନଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଦୁର୍ଘଟଣା ଘଟାଇ ଟ୍ରକ୍‌ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାଯାଇଛି।

ମତାମତ ଦିଅନ୍ତୁ ।