ବାରିପଦା ସହରରେ ପଶିଲା ବନ୍ୟା ପାଣି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଶଂ ଜିଲ୍ଲାରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଦେଇ ପ୍ରବାହିତ ଜରାଳି ଓ ସରାଳି ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ବାଲେଶ୍ୱର ଜିଲ୍ଲାର ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି।

ଖବର ଅନୁଯାୟୀ ଜରାଳି ଓ ସରାଳି ନଦୀର ପାଣି ବାରିପଦା ସହରର ତଳିଆ ଅଞ୍ଚଳରେ ପଶିଛି। ପାଣି ଘେରରେ ୩, ୧୦, ୧୫, ୧୬ ଓ ୧୭ ନମ୍ବର ୱାର୍ଡ ବାସିନ୍ଦା ରହିଛନ୍ତି। ତହସିଲଦାର, ଉପଜିଲ୍ଲାପାଳ ଓ ଏଡିଏମ୍‌ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ବୋଲି କୁହାଯାଇଛି।

ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି। ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲିଠାରୁ ବର୍ଷା ଯୋଗୁ ନଦୀର ଜଳସ୍ତର ବଢ଼ୁଛି। ନଦୀର ମଥାନୀଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବସ୍ତା ବ୍ଳକ୍‌ର ୧୦ଟି ପଞ୍ଚାୟତରେ ବନ୍ୟା ଆଶଙ୍କା ଦେଖା ଦେଇଛି।

ମତାମତ ଦିଅନ୍ତୁ ।