ବରିଷ୍ଠ ଆଇନଜୀବି ପ୍ରଶାନ୍ତ ଭୂଷଣଙ୍କୁ ୧ଟଙ୍କା ଜୋରିମାନା

ନୂଆଦିଲ୍ଲୀ : ନ୍ୟାୟପାଳିକା ବିରୋଧରେ ଟୁଇଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାର ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସେପ୍ଟେମ୍ବର ୧୫ସୁଦ୍ଧା ଟଙ୍କା ୧ଟଙ୍କା ଜରିମାନା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଯଦି ଏହି ସମୟ ମଧ୍ୟରେ ସେ ଜରିମାନା ଜମା କରିବାରେ ବିଫଳ ହୁଅନ୍ତି ତେବେ ତିନିମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ଏବଂ ତିନିମାସ ପାଇଁ ତାଙ୍କୁ ପେସାରୁ ବଞ୍ଚିତ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପ୍ରଶାନ୍ତ ଭୂଷଣଙ୍କୁ ଚଳିତ ମାସ ଆରମ୍ଭରେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ଟୁଇଟ ପାଇଁ କ୍ଷମା ମାଗିନେବାକୁ କହିଥିଲେ। ମାତ୍ର ଅଦାଲତ ଅବମାନନା ମାମଲାରେ ସୁପ୍ରିମ କୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ପ୍ରଶାନ୍ତ ଭୂଷଣ ମନା କରି ଦେଇଥିଲେ। କ୍ଷମା ମାଗିବାକୁ ତାଙ୍କ ବିବେକ ଅନୁମୋଦନ କରୁନାହିଁ। ଯଦି ସେ କ୍ଷମା ମାଗିବେ ଏହା ତାଙ୍କ ଅନ୍ତରାତ୍ମା ପ୍ରତି ଅବମାନନା ହେବ ବୋଲି ସେ କହିଥିଲେ। ଆଉ କହିଥିଲେ ସୁପ୍ରିମ୍‌ କୋର୍ଟଙ୍କ ଗରିମା କ୍ଷୁଣ୍ଣ ହେବା ଉଦ୍ଦେଶ୍ୟରେ ସେ କୌଣସି ଟ୍ଵିଟ୍‌ କରି ନଥିଲେ। କୋର୍ଟଙ୍କ ପ୍ରତି ତାଙ୍କ ମନରେ ସର୍ବଦା ସମ୍ମାନ ରହିଛି। ଯାହା ଟ୍ଵିଟ୍‌ କରିଥିଲେ ତାହା ତାଙ୍କର ବାକ୍‌ ସ୍ଵାଧୀନତା ପରିସରଭୁକ୍ତ ବୋଲି ସେ କହିଥିଲେ।

ମତାମତ ଦିଅନ୍ତୁ ।