ବାତା ସହରରେ ବିସ୍ଫୋରଣ : ୨୦ ମୃତ, ଅନେକ ଆହତ

0

ମାଲାବୋ : ଆଫ୍ରିକୀୟ ଦେଶ ଇକ୍ୱାଟରିୟାଲ୍‌ ଗିନି ଅନ୍ତର୍ଗତ ବାତା ସହରରେ ଥିବା ଏକ ସାମରିକ ଘାଟିରେ ରବିବାର ଅପରାହ୍ନରେ ସରିଜ୍‌ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୨୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହା କୌଣସି ଆକ୍ରମଣ ନୁହେଁ ବୋଲି ପ୍ରତିରକ୍ଷା ଅଧିକାରୀମାନେ ସ୍ଥାନୀୟ ଦୂରଦର୍ଶନ କେନ୍ଦ୍ର ‘ଟିଭିଜିଇ’କୁ କହିଛନ୍ତି।

‘ଟିଭିଜିଇ’ ପ୍ରସାରଣ କରିଥିବା ଦୃଶ୍ୟରେ ଉଦ୍ଧାରକାରୀ ଦଳ ଭଙ୍ଗାରୁଜା କଂକ୍ରିଟ୍‌ ଗଦାରୁ ଲୋକମାନଙ୍କୁ ଟାଣି ବହାର କରୁଛନ୍ତି। କେତେକଙ୍କୁ ବେଡ୍‌ସିଟ୍‌ରେ ଗୁଡ଼ାଇ ନେଉଥିବା ଦେଖାଯାଇଛି। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କଥାକୁ ଉଦ୍ଧାର କରି ‘ଟିଭିଜିଇ’ କହିଛି ଏହି ଅଘଟଣରେ ୪୨୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ପିଲାମାନଙ୍କ ସମେତ ଅନେକ ଆହତ ବ୍ୟକ୍ତିଙ୍କୁ ପିକ୍‌-ଅପ୍‌ ଟ୍ରକ୍‌ରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଉଥିବା ‘ଟିଭିଜିଇ’ ପ୍ରସାରଣ କରିଛି।

ଅନ୍ୟପକ୍ଷରେ ରିପୋର୍ଟ ହୋଇଛି କ୍ଷତାକ୍ତ ବ୍ୟକ୍ତିମାନେ ଭର୍ତ୍ତି ହୋଇଥିବାରୁ ଡାକ୍ତରଖାନାର ଓ୍ଵାର୍ଡ ରକ୍ତରଞ୍ଜିତ। କେତେକ ଚଟାଣ ଓ ଟେବୁଲ୍‌ ଉପରେ ଶୋଇ ଚିକିତ୍ସା ନିମନ୍ତେ ଅପେକ୍ଷା କରିଛନ୍ତି। ସେହିପରି ବିସ୍ଫୋରଣ ଅଞ୍ଚଳରେ ଘରର ଟିଣ ଛପର ସବୁ ଉଡ଼ିଯାଇଥିବା ବେଳେ ମୋଡ଼ିମକଚି ହୋଇ ଭଙ୍ଗାରୁଜା ଇଟାମାଟି ମଧ୍ୟରେ ପଡ଼ିଥିବା ଦେଖାଯାଇଥିଲା। ଅଧିକାଂଶ ଘରର କେବଳ କାନ୍ଥ ରହିଥିବା ଦେଖାଯାଉଛି। ଆକାଶକୁ ଘନକଳା ରଙ୍ଗର ଧୂଆଁ କୁଣ୍ଡଳୀ ଉଠୁଥିବା ବେଳେ ଦମକଳବାହିନୀର କର୍ମଚାରୀମାନେ ବିସ୍ଫୋରଣଜନିତ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

Leave A Reply

Your email address will not be published.