ବାତ୍ୟାକୁ ନେଇ ମିଛ ଖବର ଗଣମାଧ୍ୟମ ପ୍ରସାରଣ ନକରୁ : ଏସଆରସି

ଭୁବନେଶ୍ୱର : ପ୍ରାକ୍ ମଡେଲ୍ ଆଧାରରେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ଦ୍ୱାରା ବାତ୍ୟାକୁ ନେଇ ଯେଉଁ ସବୁ ଖବର ପ୍ରସାରଣ ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା. ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ସେଭଳି କୌଣସି ପୂର୍ବ ଅନୁମାନ କରିନାହିଁ ବୋଲି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସ୍ପଷ୍ଟ କରିଛନ୍ତି।

ବୁଧବାର ଶ୍ରୀ ଜେନା ଏକ ଭିଡିଓ ସନ୍ଦେଶ ଜାରି କହିଛନ୍ତି ଏକ ପ୍ରାକ୍ ମଡେଲ୍‌କୁ ଆକଳନ ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଭାଗରେ ୨୨ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ୨୫ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି। ଯଦି ଏହା ବାତ୍ୟାର ରୂପ ନିଏ ତା’ହେଲେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। କିନ୍ତୁ ଏହି ଲଘୁଚାପର ସ୍ଥିତି ଓ ରୂପରେଖ କ’ଣ ହେବ, ତାହା ପ୍ରକୃତରେ ବାତ୍ୟାର ରୂପ ନେବକି ନାହିଁ, ଯଦି ନେବ କେଉଁ ଦିଗରେ ଗତି କରିବ ଓ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେ ନେଇ ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ କୌଣସି ଆକଳନ କରିନି।

ବିଶେଷକରି କିଛି ଟିଭି ଚ୍ୟାନେଲ ଓ ୱେବପୋର୍ଟାଲରେ ବାତ୍ୟାକୁ ନେଇ ଯେଉଁ ଖବର ପ୍ରକାଶ କରାଯାଉଛି। ଯାହାକୁ ସେ ନାପସନ୍ଦ କରିଛନ୍ତି। ଶ୍ରୀ ଜେନା କହିଛନ୍ତି ବାତ୍ୟାର ସମ୍ଭାବନାକୁ ନେଇ ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ କୌଣସି ତଥ୍ୟ ଦେଇନାହାନ୍ତି। ଗଣମାଧ୍ୟମଗୁଡ଼ିକ ବାତ୍ୟା ଖବର ପ୍ରସାରଣବେଳେ ସମ୍ବେଦନଶୀଳ ଓ ଦାୟିତ୍ୱବାନ୍ ହେବାର ଆବଶ୍ୟକତା ରହିଛି।

ଏପର୍ଯ୍ୟନ୍ତ ଏକ ପ୍ରାକ୍ ମଡେଲ୍‌କୁ ଆକଳନ କରାଯାଉଛି। ଏହି ଲଘୁଚାପ ସମ୍ପର୍କରେ ସେ ନିଜେ ବ୍ୟକ୍ତିଗତ ଭାବେ ଆଜି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ଭୁବନେଶ୍ୱର ପାଣିପାଗ ନିର୍ଦ୍ଦେଶକ, ମୁଣ୍ଡଳୀସ୍ଥିତ ଏନଡିଆରଏଫ ମୁଖ୍ୟ, ଓଡ୍ରାଫ ମୁଖ୍ୟ, ଅଗ୍ନିଶମ ସେବା ଡିଜିଙ୍କ ସହ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏବେ କେବଳ ପ୍ରାକ୍ ମଡେଲକୁ ନେଇ ବାତ୍ୟା ସମ୍ପର୍କରେ ଚର୍ଚ୍ଚା ହେବା ଉଚିତ୍ ନୁହେଁ। ପାଣିପାଗ ବିଭାଗ ମଧ୍ୟ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ କିଛି କହିନାହାନ୍ତି।

ଯଦି ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନିଏ ଓ ସ୍ଥଳଭାଗ ଛୁଏଁ ତା’ହେଲେ ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ରାଜ୍ୟର ଜିଲ୍ଲାଗୁଡ଼ିକ ସବୁବେଳେ ଏସବୁ ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିଥାନ୍ତି। ଶ୍ରୀ ଜେନା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରି କହିଛନ୍ତି ଯଦି ବାତ୍ୟା ଆସେ ସେଥିପାଇଁ ଆତଙ୍କିତ ହେବାର କୌଣସି କାରଣ ନାହିଁ। ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। କାହାରି କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button