ବାୟୁରେ ୬୦ ମିନିଟ୍‌ ସକ୍ରିୟ ରହୁଛି କରୋନାର ନୂଆ ଷ୍ଟ୍ରେନ

0

ନୂଆଦିଲ୍ଲୀ : ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ତା’ର ରୂପ ବଦଳାଉଛି। ଏହାଦ୍ୱାରା ଅଧିକ ଲୋକଙ୍କୁ କରୁଛି ସଂକ୍ରମିତ। ଏବେ ପୁଣି ଚିନ୍ତା ବଢାଇଲାଣି ଶ୍ରୀଲଙ୍କାରେ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ। ଯାହା ବାୟୁରେ ପ୍ରାୟ ୬୦ ମିନିଟ୍‌ କାଳ ସକ୍ରିୟ ରହୁଛି। ସଂସ୍ପର୍ଶରେ ଆସୁଥିବା ଲୋକେ ହେଉଛନ୍ତି ସଂକ୍ରମିତ।

ଶ୍ରୀ ଜୟୱେର୍ଦ୍ଧନାପୁରା ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ନୀଲିକା ମାଲାଭିଗେ କହିଛନ୍ତି ଶ୍ରୀଲଙ୍କାରେ ଠାବ ହୋଇଥିବା କରୋନା ଭାଇରସ ଷ୍ଟ୍ରେନ ଠାରୁ ଏବେ ଚିହ୍ନଟ ନୂଆ ଷ୍ଟ୍ରେନ ଅଧିକ ମାରାତ୍ମକ। ଏହା କ୍ଷିପ୍ର ବେଗରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ କରୁଛି। ବାୟୁରେ ରହିଛି ସଂକ୍ରମଣ କରିବାର କ୍ଷମତା। ଏହାର ଡ୍ରପଲେଟ୍‌ ପ୍ରାୟ ଘଣ୍ଟାଏ କାଳ ବାୟୁମଣ୍ଡଳରେ ସକ୍ରିୟ ରହି ଘୂରିବୁଲୁଥିବା ସେ ସୂଚନା ଦେଇଛନ୍ତି।

କରୋନା ନୂଆ ଷ୍ଟ୍ରେନ ଚିହ୍ନଟ ନେଇ ସୂଚନା ମିଳିବା ପରେ ଶ୍ରୀଲଙ୍କା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚିନ୍ତା ବଢିଯାଇଛି। ନୂଆ ଷ୍ଟ୍ରେନ ସମ୍ପର୍କରେ ମନ୍ତ୍ରାଳୟ ସମସ୍ତଙ୍କୁ ସଚେତନ କରିଥିବା ବେଳେ ନୂଆ ଗାଇଡଲାଇନ ଜାରି କରିଛି। ଏହା ମେ’ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିରେ ସବୁ ଅନୁଷ୍ଠାନ କ୍ଷମତାର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ସମସ୍ତ ପ୍ରକାରର ପର୍ବପର୍ବାଣୀ ଓ ସମାବେଶକୁ ବ୍ୟାନ କରାଯାଇଛି। ପବ୍ଲିକ ହେଲଥ ଇନସପେକ୍ଟର ଉପୁଲ ରୋହାନା କହିଛନ୍ତି ଏହି ଷ୍ଟ୍ରେନ ଏବେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ଅଧିକ ମାତ୍ରାରେ ଯୁବପିଢ଼ିଙ୍କୁ ସଂକ୍ରମିତ କରୁଛି। ଆଗକୁ ଅର୍ଥାତ ଦୁଇରୁ ତିନି ସପ୍ତାହ ପରେ ପ୍ରକୃତି ସ୍ଥିତିର ସାମ୍ନା କରିବାକୁ ପଡ଼ିବ।

Leave A Reply

Your email address will not be published.