ଭାରତ ସୀମା ନିକଟରୁ ଚୀନ୍ ଛାଡୁଛି ମିସାଇଲ୍

ନୂଆଦିଲ୍ଲୀ : ସୀମାକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ ବଢି ଚାଲିଛି। ଏଭଳି ସମୟରେ ଚୀନ ସେନା ପିପୁଲ୍ସ ଲିବେରେସନ ଆର୍ମି ଭାରତୀୟ ସୀମାର ଅତି ନିକଟରୁ ମିସାଇଲ ଛାଡିଛି। ରକେଟ ଲଞ୍ଚର ଦ୍ୱାରା ଲଗାତାର କରୁଛି ଗୋଳାବାରୁଦ ଫାୟାର। ଭାରତ ଉପରେ ଚାପ ସୃଷ୍ଟି କରିବ ଏହି ଯୁଦ୍ଧାଭ୍ୟାସର ଉଦ୍ଦେଶ୍ୟ। ତେବେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଦାବି କରିଛି ଏହି ଅଭ୍ୟାସରେ ୯୦ ପ୍ରତିଶତ ନୂଆ ଅସ୍ତ୍ର ବ୍ୟବହାର କରାଯାଇଛି।

ଗ୍ଲୋବାଲ ଟାଇମ୍ସ କହିବା ଅନୁଯାୟୀ ପିଏଲଏର ତିବ୍ବତ ଥିଏଟର କମାଣ୍ଡ ତରଫରୁ ଅଭ୍ୟାସ କରାଯାଇଥିଲା। ଏହି ଯୁଦ୍ଧାଭ୍ୟାସ ୪ ହଜାର ୭୦୦ ମିଟର ଉଚ୍ଚରେ କରାଯାଇଥିଲା। ତାହାର ଏକ ଭିଡିଓ ଗ୍ଲୋବାଲ ଟାଇମ୍ସ ଜାରି କରିଛି। ଏଥିରେ ଚୀନ ସେନାର ଅନ୍ଧାରରେ ଆକ୍ରମଣ ଓ ଡ୍ରୋନ ସାହାଯ୍ୟରେ ହମଲା କରିଥିବା ଦେଖିବାକୁ ମିଳିଛି। ଭିଡିଓରେ ଚୀନ ସେନା ଏକ ପାହାଡିଆ ଅଞ୍ଚଳକୁ ଧ୍ଵଂସ କରୁଥିବା ନଜର ଆସିଛି।

ଅନ୍ୟପକ୍ଷରେ ଶୁକ୍ରବାର ଦିନ ଏସିଆ ସୋସାଇଟିର ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କହିଥିଲେ ଶାନ୍ତି ଓ ସ୍ଥିରତା ପାଇଁ ୧୯୯୩ ମସିହା ପରଠାରୁ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତିନାମା ହୋଇଛି। ଏହି ଚୁକ୍ତିନାମାରେ ସୀମା ପରିଚାଳନା ଠାରୁ ଆରମ୍ଭ କରି ସୈନିକଙ୍କ ଆଚରଣ ପର୍ଯ୍ୟନ୍ତ ସବୁକିଛିକୁ ସାମିଲ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଯାହା ଘଟିଛି ତାହା ସମସ୍ତ ଚୁକ୍ତିନାମାକୁ ମୂଲ୍ୟହୀନ ପ୍ରମାଣିତ କରିଛି। ସେ କହିଛନ୍ତି ସୀମାରେ ବହୁ ସଂଖ୍ୟାକ ଚୀନ ସେନା ମୁତୟନ ଚୁକ୍ତିର ବିପରୀତ। ଉଭୟ ଦେଶର ସେନା ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ରହିଲେ ଯାହା ଘଟେ ତାହା ହିଁ ଜୁନ ୧୫ ତାରିଖରେ ଘଟିଥିଲା। ଏହି ବ୍ୟବହାର ୩୦ ବର୍ଷର ସମ୍ପର୍କକୁ ପ୍ରଭାବିତ କରୁଛି ବୋଲି ଜୟଶଙ୍କର କହିଛନ୍ତି।

ମତାମତ ଦିଅନ୍ତୁ ।