ଭାରତର କମାଣ ନିରୋଧୀ ମିସାଇଲ୍‌ ‘ଧ୍ରୁବାସ୍ତ୍ର’ର ପରୀକ୍ଷା ସଫଳ

ବାଲେଶ୍ଵର : ଓଡିଶାର ଇଣ୍ଟେରିମ୍ ଟେଷ୍ଟ୍‌ ରେଞ୍ଜ୍‌ରେ ଭାରତର କମାଣ-ନିରୋଧୀ ଗାଇଡେଡ୍ ମିସାଇଲ୍‌ ‘ଧ୍ରୁବାସ୍ତ୍ର’ର ପରୀକ୍ଷା ସଫଳ ହୋଇଛି। ସଂପୂର୍ଣ୍ଣ ସ୍ଵଦେଶୀ ଜ୍ଞାନକୌଶଳରେ ତିଆରି ଏହି ମିସାଇଲ ଆଖି ପିଛୁଳାକେ ଶତ୍ରୁ ଶିବିରକୁ ଧ୍ଵଂସ କରିବାକୁ ସକ୍ଷମ। ପୂର୍ବରୁ ଏହାର ନାମ ନାଗ ରଖାଯାଇଥିଲା ଯାହାକୁ ପରିବର୍ତ୍ତନ କରାଯାଇ ଧ୍ରୁବାସ୍ତ୍ର କରାଯାଇଛି। ଯାହାର ଲକ୍ଷ୍ୟଭେଦୀ କ୍ଷମତା ୪ କିମି ରୁ ୭ କିମି ପର୍ଯ୍ୟନ୍ତ ରହିଛି।

ଖବର ଅନୁଯାୟୀ ଜୁଲାଇ୧୫ ଓ ୧୬ ତାରିଖ ଦିନ ଏହି ମିସାଇଲ୍ ‘ହେଲିକପ୍ଟର୍-ଲଞ୍ଚଡ୍ ନାଗ ମିସାଇଲ୍ (ହେଲିନା) ପ୍ରତ୍ୟକ୍ଷ ଓ ଊର୍ଦ୍ଧ୍ବ ଆକ୍ରମଣ ଶୈଳୀ ପରୀକ୍ଷା କରାଯାଇଥିଲା। ବିନା ହେଲିକପ୍ଟରରେ ହୋଇଥିଲା ଏହି ପରୀକ୍ଷା। ‘ହେଲିନା’ ହେଉଛି ତୃତୀୟ ପିଢ଼ିର ‘ଫାୟାର୍ ଆଣ୍ଡ୍ ଫର୍ଗେଟ୍’ ଶ୍ରେଣୀୟ କମାଣ-ନିରୋଧୀ ଗାଇଡେଡ୍ ମିସାଇଲ୍ ସିଷ୍ଟମ୍। ଯାହାକୁ ଆଡ୍‌ଭାନ୍‌ସଡ୍ ଲାଇଟ୍ ହେଲିକପ୍ଟର୍‌ରେ ଖଞ୍ଜାଯାଇ ପାରିବ। ଦିନହେଉ କିମ୍ବା ରାତିରେ ଏହାକୁ ନିକ୍ଷେପ କରିହେବ। ଏହାର ବିଶେଷତ୍ତ୍ଵ ହେଲା ପାରମ୍ପରିକ ଆଚ୍ଛାଦନ ତଥା ବିସ୍ଫୋରକ ପ୍ରତିକ୍ରିୟାଶୀଳ ଆଚ୍ଛାଦନ ଥିବା କମାଣକୁ ଧ୍ଵଂସ କରିପାରିବ। ଗତବର୍ଷ ପୋଖରାନ୍ ଫାଇରିଙ୍ଗ୍ ରେଞ୍ଜ୍‌ରେ ଡିଆର୍‌ଡିଓ ନାଗ ମିସାଇଲ୍‌ର ତିନିଟି ସଫଳ ପରୀକ୍ଷା କରିଥିଲା।

ମତାମତ ଦିଅନ୍ତୁ ।