ଭିସା କଟକଣା ହଟିଲା : ପର୍ଯ୍ୟଟକଙ୍କୁ ଭାରତ ମନା

ନୂଆଦିଲ୍ଲୀ : ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ (ଅସିଆଇ) ଓ ପର୍ସନ୍ ଅଫ୍ ଇଣ୍ଡିଆ ଓରିଜିନ୍ (ପିଆଇଓ) ଜାର୍ଡ଼ଧାରୀ ଓ ଅନ୍ୟ ସମସ୍ତ ବିଦେଶୀ ନାଗରିକଙ୍କୁ ଭାରତ ଆସିବାକୁ ଅନୁମତି ମିଳିଛି।

ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ଏକ ବିଜ୍ଞପ୍ତି ଜାରିକରି କହିଛି ପର୍ଯ୍ୟଟକ ଭିସା ବ୍ୟତୀତ ଓସିଆଇ, ପିଆଇଓ କାର୍ଡଧାରୀ ଓ ଅନ୍ୟ ବିଦେଶୀ ନାଗରିକଙ୍କୁ ଯେକୌଣସି ଉଦ୍ଦେଶ୍ୟରେ ଭାରତକୁ ଆସିପାରିବେ। ଅଧିକୃତ ବିମାନବନ୍ଦର ଓ ସିପୋର୍ଟ ଇମିଗ୍ରେସନ୍ ଚେକ୍ ପୋଷ୍ଟ ମାଧ୍ୟମରେ ଦେଶରେ ପ୍ରବେଶ କରିପାରିବେ। ସେହିପରି ଇଲେକ୍ଟ୍ରୋନିକ, ପର୍ଯ୍ୟଟନ ଓ ଚିକିତ୍ସା ଶ୍ରେଣୀକୁ ଛାଡି ସମସ୍ତ ଭିସା ତତ୍କାଳ ପ୍ରଭାବକୁ ପୁନଃସ୍ଥାପନା କରିବାକୁ ନିଷ୍ପତ୍ତି ହୋଇଛି। ଚିକିତ୍ସା ଉପଚାର ପାଇଁ ଭାରତ ଆସିବାକୁ ଇଛୁକ ବିଦେଶୀ ନାଗରିକ ମେଡିକାଲ ଭିସା ପାଇଁ ମେଡିକାଲ ଆଟେଣ୍ଡେଣ୍ଟ ସମେତ ଆବେଦନ କରିପାରିବେ।

ସବୁ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଗାଇଡଲାଇନ୍ କଡାକଡି ପାଳନ କରିବାକୁ ହେବ। ଏମଏଚଏ କହିଛି ଯଦି ଭିସା ଅବଧି ସମାପ୍ତ ହୋଇଯାଇଛି ତାହେଲେ ଉପଯୁକ୍ତ ଶ୍ରେଣୀର ନୂଆ ଭିସା ଭାରତୀୟ ମିଶନ କିମ୍ବା ଡାକ ଦ୍ୱାରା ପ୍ରାପ୍ତ କରିପାରିବେ। କୋଭିଡ୍-୨୯କୁ ଦୃଷ୍ଟିରେ ରଖି ଭାରତ ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରୁ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ଯିବା ଆସିବା ଉପରେ କଟକଣା ଲଗାଇଥିଲେ।

ସୂଚନାଯୋଗ୍ୟ ବିଦେଶରେ ବସବାସ କରୁଥିବା ଓ ସେଠାକାର ନାଗରିକତା ପ୍ରାପ୍ତ କରିଥିବା ଭାରତୀୟଙ୍କ ପାଇଁ ଓସିଆଇ କାର୍ଡ ଜାରି କରାଯାଇଥାଏ। ଭାରତୀୟ ଗୃହ ମନ୍ତ୍ରାଳୟ ୱେବସାଇଟ ଅନୁଯାୟୀ ଓସିଆଇ କାର୍ଡ ଧାରକଙ୍କ ପାଖରେ ଭାରତୀୟ ନାଗରିକଙ୍କ ଭଳି ସବୁ ଅଧିକାର ରହିଛି। କିନ୍ତୁ ସେମାନେ ନିର୍ବାଚନ ଲଢ଼ି ପାରିବେନି କିମ୍ବା ଭୋଟ ଦେଇପାରିବେ ନାହିଁ। ସରକାରୀ ଚାକିରୀ କିମ୍ବା ସାମ୍ବିଧାନିକ ପଦବୀରେ ରହି ପାରିବେନି। ଏପରିକି ଚାଷ ଜମି କିଣି ପାରିବେ ନାହିଁ। ହେଲେ ଓସିଆଇ କାର୍ଡଧାରୀ ଭାରତରେ ସାରା ଜୀବନ ରହିବା, କାମ କରିବା ଏବଂ ସବୁ ପ୍ରକାର ଆର୍ଥିକ ନେଣଦେଣ କରିବାକୁ ସୁବିଧା ଦେଇଥାଏ। ପିଆଇଓ କାର୍ଡ ପାସପୋର୍ଟ ଭଳି ୧୦ ବର୍ଷ ପାଇଁ ଜାରି କରାଯାଇଥାଏ।

ମତାମତ ଦିଅନ୍ତୁ ।