ଭୁବନେଶ୍ଵର-କଟକ କୋଭିଡ ନିୟମ ପାଳନ ଉପରେ ପ୍ରତ୍ୟକ୍ଷ ଦୃଷ୍ଟି ଦେବାକୁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର : ରାଜ୍ୟର ଅନ୍ୟ ଅଞ୍ଚଳମାନଙ୍କରେ କୋଭିଡ ନିୟମର କଡାକଡି ଅନୁପାଳନ ସନ୍ତୋଷଜନକ। କିନ୍ତୁ ଭୁବନେଶ୍ଵର-କଟକରେ କମିଶନରେଟ ଅଞ୍ଚଳରେ ଏହା ସେତେଟା ଉତ୍ସାହଜନକ ନଥିବାରୁ କମିଶନରେଟ ଅଞ୍ଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପ୍ରତ୍ୟକ୍ଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର କୋଭିଡ ପରିଚାଳନା ଵିଷୟରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ଏହି ଅବସରରେ ମନରେଗା ସମେତ ଅନ୍ୟ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଯେପରି ଗାଁ ଲୋକମାନେ କିପରି ଅଧିକରୁ ଅଧିକ ରୋଜଗାର ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୃଷି, ମତ୍ସ୍ୟଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ପାଇଁ ସେ ଘୋଷଣା କରିଥିବା ପ୍ୟାକେଜକୁ ଠିକ୍‌ ଭାବରେ କାର୍ଯ୍ୟ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଛଡା ଚାଷୀ, ମିଶନ ଶକ୍ତିର ମା’ ମାନେ, ଏମଏସଏମଇ ଓ ବୁଣାକାରମାନଙ୍କୁ ଅଧିକ ଋଣ ସହାୟତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଭାରତର ପ୍ରଥମ ତୈମାସିକ ଆର୍ଥିକ ଅଭିବୃଦ୍ଧି ବିଯୁକ୍ତ ୨୩ ପ୍ରତିଶତ ଥିବାରୁ ଆମର ଲୋକମାନଙ୍କୁ ଏହାର କୁପ୍ରଭାବରୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଆରୋପ କରିଥିଲେ। ସ୍ଵାସ୍ଥ୍ୟ ବିଭାଗର ଡାକ୍ତର, ସ୍ଵାସ୍ଥ୍ୟକର୍ମୀଙ୍କ ସମେତ ସମସ୍ତ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ। ରାଜ୍ୟରେ କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୧.୨୫ ହଜାରରେ ପହଞ୍ଚିଥିବାରୁ ଓ କେବଳ ଗତ ୫ ସପ୍ତାହ ମଧ୍ୟରେ ଏକ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ କୋଭିଡ ଯୋଦ୍ଧା ତଥା ଡାକ୍ତର, ସ୍ଵାସ୍ଥ୍ୟକମୀମାନଙ୍କୁ ସେମାନଙ୍କ କାମ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ, ଭୁବନେଶ୍ଵର-କଟକର ପୋଲିସ କମିଶନର କୋଭିଡ ନିୟମ କଡାକଡି ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ଯୋଗ ଦେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମୃତ୍ୟୁହାର କମ ଥିବା ସୂଚନା ଦେଇଥିଲେ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ଵତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ବୈଠକ ସଂଚାଳନା କରିଥିଲେ।

ମତାମତ ଦିଅନ୍ତୁ ।