ଭୂତ ଛଡାଇବା ପାଇଁ ଗୁଣିଆର ମାଡ ଓ ନିଆଁ ଝାସ: ମହିଳା ଗୁରୁତର

ମାଲକାନଗିରି : ଗୁଣିଆ ମାଡ଼ରେ ମହିଳା ଗୁରୁତର ଆହତ। ଭୂତ ଛଡାଇବା ପାଇଁ ଗୁଣିଆ ମହିଳାଙ୍କୁ ନିଆଁର ଝାସ ଦେବା ସହ ଘୁଷୁରୀ ବିଷ୍ଠା ଖୁଆଇଥିବା ଅଭିଯୋଗ ହୋଇଛି। ଏବେ ଅବସ୍ଥା ଗୁରୁତର। ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ମାଲକାନଗିରି ବ୍ଲକ ଏମଭି – ୬ ଗାଁର ଜଣେ ମହିଳା ସପ୍ତାହ ତଳେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ଭୂତ ଲାଗିଥିବା ସଦେହ କରିଥିଲେ ପରିବାର। କାରଣ ତିନିମାସ ତଳେ ତାଙ୍କର ଜଣେ ସଂପର୍କୀୟ ମହିଳାଙ୍କର ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ଘରକୁ ଯାଇଥିଲେ ଏହି ମହିଳା। ସେଠାରୁ ଫେରି ଅସୁସ୍ଥ ହୋଇପଡିଥିଲେ। ହଠାତ୍ ଦେହ ଖରାପ ହେବାରୁ ମୃତ ମହିଳାଙ୍କ ଆତ୍ମା ତାଙ୍କ ଦେହରେ ଆସିଥିବା ପରିବାର ଲୋକେ ସନ୍ଦେହ କରି ଗୁଣିଆକୁ ଡାକିଥିଲେ। ଗୁଣିଆ ଆସି ମହିଳାଙ୍କୁ ନିସ୍ତୁକ ମାଡ ମାରିବା ସହ ମୁହଁରେ ନିଆଁର ଝାସ ଦେଇଥିଲା। ଏପରିକି ଭୂତ ନ ଛାଡ଼ିବାରୁ  ଗୁଣିଆ ତାଙ୍କୁ ଘୁଷୁରି ବିଷ୍ଠା ଖୁଆଇ ଥିଲେ। ନିଆଁ ଝାସରେ ମହିଳାଙ୍କ ମୁହଁ ପୋଡିଯାଇଛି। ଶରୀର ହୋଇଯାଇଛି କ୍ଷତବିକ୍ଷତ। ଏ ବିଷୟରେ ଜାଣିବା ପରେ ଗତକାଲି ଆଶା ଓ ଅଙ୍ଗନବାଡି ଦିଦିଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ପହଞ୍ଚି ତାଙ୍କ ପରିବାରକୁ ବୁଝାଇଥିଲେ। ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ଗୁରୁତର ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।