Breaking Newsଦେଶ-ବିଦେଶ

ବିବାହ ପୂର୍ବରୁ ଘୋଷଣା କରିବାକୁ ହେବ ଜାତି ଓ ଆୟ

ଗୌହାଟୀ : ଆସାମ ସରକାର ଏକ ନୂଆ ବିବାହ ଆଇନ ଲାଗୁ କରିବାକୁ ଯାଉଛନ୍ତି। ଏଥିରେ ବିବାହ ପୂର୍ବରୁ ବର-କନ୍ୟା ନିଜର ଆୟ ଓ ଧର୍ମ ସମ୍ପର୍କରେ ଘୋଷଣା କରିବେ। କେଉଁ ସୂତ୍ରରୁ ଆୟ କରୁଛନ୍ତି ତାହା ମଧ୍ୟ ଜଣାଇବେ। ଏହି ଘୋଷଣା ବାଧ୍ୟତାମୂଳକ କରାଯିବ ବୋଲି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

ସୋମବାର ଗୌହାଟୀଠାରେ ଶ୍ରୀ ବିଶ୍ୱଶର୍ମା ଦେଇଥିବା ସୂଚନା ଅନୁଯାୟୀ ଆସାମ ସରକାର ନୂଆ ବିବାହ ଆଇନ ଲାଗୁ କରିବେ। ଉତ୍ତର ପ୍ରଦେଶ କିମ୍ବା ମଧ୍ୟପ୍ରଦେଶରେ ଲାଗୁ ହୋଇଥିବା ଆଇନ ପରି ଏହା ହେବନାହିଁ। ମହିଳା ସଶକ୍ତୀକରଣ ଦିଗରେ ଆସମ ସରକାରଙ୍କ ଆଇନ ସହାୟକ ହେବ। ସେ କହିଲେ ଜଣଙ୍କ ଧର୍ମ କ’ଣ, ସେକଥା ବାହାଘର ପୂର୍ବରୁ ଘୋଷଣା କରାଯିବା ଉଚିତ। ସେହିପରି କ’ଣ କାମ କରୁଛି, ଆୟ କେତେ ଓ ଏହାର ଉତ୍ସ ସମସ୍ତେ ଜାଣିବା ଆବଶ୍ୟକ। ଏହାଛଡା ଘରେ କେତେ ଲୋକ ଅଛନ୍ତି ସେକଥା ମଧ୍ୟ କୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଶ୍ରୀ ବିଶ୍ୱଶର୍ମା କହିଲେ ଅନେକ ସମୟରେ ଦେଖାଯାଉଛି ଜଣେ ଝିଅ ନିଜ ଧର୍ମର ଲୋକଙ୍କୁ ବିବାହ କରୁଥିଲେ ମଧ୍ୟ ଶାଶୂ ଘରକୁ ଯାଇ ଦେଖୁଛି ସ୍ୱାମୀ ଖରାପ କାମରେ ନିୟୋଜିତ ଅଛନ୍ତି। ନୂଆ ଆଇନ ଏହାକୁ ରୋକିବାରେ ସହାୟକ ହେବ। ଏନେଇ ଡ୍ରାଫ୍ଟ ପ୍ରସ୍ତୁତି ଆରମ୍ଭ ହୋଇଛି। କେବଳ ପ୍ରେମ ବିବାହ ନୁହେଁ, ଆରେଞ୍ଜ ମ୍ୟାରେଜ କରୁଥିବା ବର-କନ୍ୟା ମଧ୍ୟ ନିଜ ଧର୍ମ ସମ୍ପର୍କରେ ଫର୍ମ ପୂରଣ କରି ଉଭୟ ଉଭୟଙ୍କୁ ଦେବେ। ଏହାଛଡା ବାହାଘର ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଭାବୀ ପତ୍ନୀ ଯାହା ଜାଣିବା ଦରକାର ସେ ସବୁ ଫର୍ମରେ ରହିବ। ବିବାହର ଗୋଟିଏ ମାସ ପୂର୍ବରୁ ଏସବୁ ପ୍ରକ୍ରିୟା ଶେଷ କରିବାକୁ ପଡିବ।

ମତାମତ ଦିଅନ୍ତୁ ।

Back to top button