ବିବାହର ୭୨ ଘଣ୍ଟା ମଧ୍ୟରେ ମଥାରୁ ଲିଭିଗଲା ସିନ୍ଦୁର

ଲକ୍ଷ୍ନୌ : କରୋନା ମହାମାରୀ ସମୟରେ ଅନେକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। କିଏ ସ୍ଵାମୀ ଓ ଆଉ କିଏ ପତ୍ନୀଙ୍କୁ ହରାଉଛି। ପୁଅ-ଝିଅଙ୍କ ମୃତ୍ୟୁରେ କିଏ କରୁଛି ଆତ୍ମହତ୍ୟା। କେବଳ ସେତିକି ନୁହେଁ ପିତା-ମାତା ଆରପାରିକୁ ଚାଲିଯିବାରୁ ଅନାଥ ହୋଇଯାଉଛନ୍ତି ପିଲା। ଏପରି ଘଟଣା ପାଇଁ ପରିବାର ହୋଇଯାଉଛି ଉଚ୍ଛନ୍ନ। ସେହିପରି ଏକ ଦୁଃଖଦ ଘଟଣା ଉତ୍ତରପ୍ରଦେଶ ବିଜନୋରରେ ଘଟିଛି। ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ଲିଭିଯାଇଛି ନବବଧୂ ମଥାର ସିନ୍ଦୁର।

ଖବର ଅନୁଯାୟୀ ଉତ୍ତରପ୍ରଦେଶ ବିଜନୋର ସହର ବାସିନ୍ଦା ଅର୍ଜୁନଙ୍କର ଏପ୍ରିଲ ୨୫ରେ ନିକଟସ୍ଥ ଚାନ୍ଦପୁରର ବବଲିଙ୍କ ସହ ବିବାହ ହୋଇଥିଲା। ଧୂମଧାମରେ ବିବାହ ସାରି ବର-କନ୍ୟା ଘରକୁ ଫେରିଥିଲେ। ଅର୍ଜୁନଙ୍କ ଘରେ ସୃଷ୍ଟି ହୋଇଥିଲା ଆନନ୍ଦର ପରିବେଶ। କିନ୍ତୁ ଚଉଠି ରାତିରେ ଅର୍ଜୁନ ହୋଇଥିଲେ ଅସୁସ୍ଥ। ହଠାତ ଭୀଷଣ ଜ୍ୱର ଆସିବାରୁ ତାଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସରକାରୀ ହସ୍ପିଟାଲରେ କରୋନା ପରୀକ୍ଷା କରାଯିବାରୁ ପଜିଟିଭ ଚିହ୍ନଟ ହେବାରୁ ଅର୍ଜୁନଙ୍କୁ କୋଭିଡ-୧୯ ୱାର୍ଡରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କରୋନା ପାଖରେ ସେ ହାରିଯାଇଥିଲେ। ଅକ୍ସିଜେନ ଅଭାବ ଥିଲା ଏହାର କାରଣ। ପରିବାର ଲୋକଙ୍କ କହିବା ଅନୁଯାୟୀ ହସ୍ପିଟାଲରେ ଅକ୍ସିଜେନ କମ ଥିବାରୁ ଜୀବନ-ମୃତ୍ୟୁ ସହ ସଂଘର୍ଷ କରି ୨୯ ଏପ୍ରିଲ ସକାଳେ ଅର୍ଜୁନଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଉଭୟ କନ୍ୟା ଓ ବରଙ୍କ ପରିବାରରେ ଖେଳିଯାଇଥିଲା ଶୋକର ଛାୟା।

Leave a Reply

Your email address will not be published. Required fields are marked *

Back to top button