ବିଚିତ୍ର ନିୟମ : ବରଗଡ଼ ଡାକ୍ତରଖାନା ବାରଣ୍ଡା ଓ ଅଟୋରେ ଜନ୍ମହେଲେ ଶିଶୁ

ବରଗଡ଼ : ସ୍ୱାସ୍ଥ୍ୟ ସେବାରେ ନିଯୋଜିତ ସମସ୍ତଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦିଆଯାଇଛି। ସେମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ଯୁଦ୍ଧର ସମ୍ମୁଖରେ ରହିଛନ୍ତି। ସାଧାରଣ ଲୋକଙ୍କ ସେବା ପାଇଁ ନେଇଛନ୍ତି ଶପଥ। କିନ୍ତୁ କରୋନା ଭୟ ପାଇଁ ଢେଙ୍କାନାଳ ଘଟଣା ପରି ଅନ୍ୟ କେତେକ ସ୍ଥାନରେ ଚିକିତ୍ସାରେ ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ବରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଅନୁରୂପ ପରିସ୍ଥିତି। ପ୍ରସବ ଯନ୍ତ୍ରଣା ପାଉଥିବା ଦୁଇଜଣ ମହିଳାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇନାହିଁ। ଜଣେ ଅଟୋରେ ଓ ଆଉ ଜଣେ ମହିଳା ଡାକ୍ତରଖାନା ବାରଣ୍ଡାରେ ଶିଶୁ ଜନ୍ମ ଦେଇଥିବା ଜଣାପଡିଛି। ଏପରି ଘଟିବାର କାରଣ ହେଲା ନିୟମ ହୋଇଛି କୋଭିଡ ଟେଷ୍ଟ ନ କଲେ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇପାରିବେ ନାହିଁ।

ଖବର ଅନୁଯାୟୀ ବରଗଡ ତୋରା ଗାଁର ନେତ୍ରାନନ୍ଦ ମହାପାତ୍ର ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ପ୍ରଥମେ କୋଭିଡ ଟେଷ୍ଟ କରିବାକୁ କହିଥିଲେ। କିନ୍ତୁ ସେଠାରେ କେହି ଉପସ୍ଥିତ ନଥିବା ବେଳେ ପ୍ରସୂତୀ କକ୍ଷ ବନ୍ଦ ରହିଥିଲା। ଅଭିଯୋଗ କଲେ ମଧ୍ୟ କେହି ଶୁଣିନଥିଲେ। ଫଳରେ ହସ୍ପିଟାଲ ପରିସରରେ ପ୍ରସବ ଯନ୍ତ୍ରଣାରେ ମହିଳା ଜଣକ ଅନେକ ସମୟ ଛଟପଟ ହେବା ପରେ ଏକ ଅଟୋରେ ସନ୍ତାନ ଜନ୍ମ ଦେଇଥିଲେ।

ସେହିପରି ନୂଆ ଗୁଡେସିରା ଗାଁର ଭାବିନ୍ଦ୍ର ମିନା ତାଙ୍କ ପତ୍ନୀଙ୍କୁ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। କୋଭିଡ ପରୀକ୍ଷା ପାଇଁ ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଯାହାଫଳରେ ଭାବିନ୍ଦ୍ରଙ୍କ ପତ୍ନୀ ଡାକ୍ତରଖାନା ପରିସରରେ ବନ୍ଦ ହୋଇପଡିଥିବା ମାତୃ ମଙ୍ଗଳ କେନ୍ଦ୍ର ବାରଣ୍ଡାରେ ସନ୍ତାନ ଜନ୍ମ କରିଥିଲେ। ଏହି ଦୁଇଟି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ମତାମତ ଦିଅନ୍ତୁ ।