ବିହାର ମହାମେଣ୍ଟ ବିଫଳତା ପାଇଁ ତାଙ୍କ କଂଗ୍ରେସ ଦାୟୀ

ପାଟଣା : ବିହାର ବିଧାନସଭା ନିର୍ବାଚନରେ ମହାମେଣ୍ଟ ବିଫଳତା ପାଇଁ କଂଗ୍ରେସ ଦାୟୀ। ଏହା ସ୍ଵୀକାର କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତାରିକ ଅନଓ୍ୱର।

କଂଗ୍ରେସ ମହାସଚିବ ତାରିକ ଅନଓ୍ୱର ଟ୍ୱିଟ୍ କରି କହିଛନ୍ତି ଆମକୁ ସତକୁ ସ୍ୱୀକାର କରିବାକୁ ପଡ଼ିବ। କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଯୋଗୁ ବିହାରରେ ସରକାର ଗଠନ କରିବାରୁ ମହାମେଣ୍ଟ ବଞ୍ଚିତ ହେଲା। କଂଗ୍ରେସ ଏହି ପ୍ରସଙ୍ଗରେ ନିଶ୍ଚିତ ଆତ୍ମଚିନ୍ତନ କରିବା ଦରକାର। କେଉଁଠି ଭୁଲ୍ ରହିଗଲା ଦଳ ତାହା ଜାଣିବା ଉଚିତ୍। ସେ କହିଛନ୍ତି ବିହାରରେ ଏଆଇଏମ୍ଆଇଏମ୍ ୫ଟି ଆସନରେ ବିଜୟୀ ହେବା ଶୁଭ ସଙ୍କେତ ନୁହେଁ। କାରଣ ଏଆଇଏମ୍ଆଇଏମ୍ ଯେଉଁ ସବୁ ଆସନରେ ବିଜୟୀ ହୋଇଛି ସେଠାରେ କଂଗ୍ରେସର ସ୍ଥିତି ଭଲ ଥିଲା। ହେଲେ ଏଆଇଏମ୍ଆଇଏମ୍ ସେହି ଆସନଗୁଡ଼ିକୁ ଦଖଲ କରିଛି।

ସୂଚନାଯୋଗ୍ୟ ବିହାର ବିଧାନସଭା ନିର୍ବାଚନରେ ଆରଜେଡି ସର୍ବାଧିକ ୭୫ଟି ଆସନରେ ବିଜୟୀ ହୋଇଛି। ୭୪ଟି ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି। ୪୩ଟି ଆସନ ଜିତି ଜେଡିୟୁ ତୃତୀୟରେ ରହିଥିବା ବେଳେ କଂଗ୍ରେସ ୧୯ଟି, ସିପିଆଇଏମ୍ଏଲ୍ ୧୨ଟି, ଏଆଇଏମ୍ଇଆଇଆମ୍ ୫ଟି, ଭିଆଇପି ୪ଟି, ହାମ୍ ୪ଟି, ସିପିଆଇ ୨ଟି, ସିପିଆଇଏମ୍ ୨ଟି, ବିଏସପି, ଏଲଜେପି ଓ ସ୍ୱାଧୀନ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ମୋଟ୍ ୨୪୩ ଆସନରୁ ଏନଡିଏ ୧୨୫ଟି ଆସନରେ ବିଜୟୀ ହୋଇଥିବା ବେଳେ ମହାମେଣ୍ଟକୁ ମିଳିଛି ୧୧୦ଟି ଆସନ। ଅନ୍ୟାନ୍ୟ ଦଳ ମିଶି ୮ଟି ଆସନ ପାଇଛନ୍ତି।

ମତାମତ ଦିଅନ୍ତୁ ।