ବିଜେଡ଼ିକୁ ସଫଳତା : ତିର୍ତ୍ତୋଲରୁ ବିଜୟ ଓ ବାଲେଶ୍ଵରରୁ ଜିତିଲେ ସ୍ୱରୂପ

ଭୁବନେଶ୍ଵର : ବାଲେଶ୍ଵର ସଦର ଓ ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନରେ ବିଜେଡିକୁ ମିଳିଛି ସଫଳତା। ଦୁଇଟି ଆସନ ହାସଲ କରିବାକୁ ବିଜେଡି ସକ୍ଷମ ହୋଇଛି। ହାତଛଡା ହୋଇଛି ବିଜେପିର ବାଲେଶ୍ଵର ସଦର ନିର୍ବାଚନମଣ୍ଡଳୀ। ବାଲେଶ୍ଵର ସଦର ଓ ତିର୍ତ୍ତୋଲରେ ଶାସକ ଦଳର ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇଥିଲେ ମଧ୍ୟ ବିଜେପି ପଛରେ ରହିଯାଇଛି। ବାଜିମାତ କରିଛି ବିଜେଡି। ଏହା ପ୍ରମାଣିତ କରିଛି ବିରୋଧୀଙ୍କ ଉପରେ ରାଜ୍ୟବାସୀଙ୍କର ଭରସା ନାହିଁ। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଜାୟ ରହିଛି।

ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧୭୦୩ଟି ଭୋଟରେ ବିଜୟୀ ହୋଇଛନ୍ତି। ବିଜୟଙ୍କୁ ୮୮୩୧୦ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ରାଜକିଶୋର ବେହରାଙ୍କୁ ୪୬୬୦୭ ଭୋଟ ମିଳିଛି। ସେହିପରି ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ୧୩୧୯୫ ଭୋଟରେ ବିଜେପିର ମାନସ ଦତ୍ତଙ୍କୁ ପରାଜିତ କରି ବିଜୟ ଲାଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ୱରୂପ କୁମାର ଦାସ ଓ ବିଜୟ ଶଙ୍କର ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ନବୀନ ଲେଖିଛନ୍ତି ଏହି ବିଜୟ ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ।

ସେ ଟୁଇଟ୍ କରି ଲେଖିଛନ୍ତି, କୋଭିଡ-୧୯ ସଙ୍କଟ ସମୟରେ ମତଦାନ କରି ଆମକୁ ଆଶୀର୍ବାଦ କରିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀ ବିଶେଷ କରି ମହିଳାମାନଙ୍କୁ ମୋର କୃତଜ୍ଞତା ଜଣାଉଛି। ଏ ବିଜୟ ଆପଣମାନଙ୍କର ବିଜୟ। ଆପଣମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ବିଜୁ ଜନତା ଦଳ ସର୍ବଦା ସଂକଳ୍ପବଦ୍ଧ।

ସୂଚନାଯୋଗ୍ୟ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୭୪, ୮୧୫ (୪୭.୨୬%) ଭୋଟ ପାଇଁ ବିଜୟୀ ହୋଇଥିଲେ। ବିଜେଡ଼ି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କୁ ମିଳିଥିଲା ୬୧,୪୦୯ (୩୮.୭୯%) ଭୋଟ। ମଦନ ମୋହନ ୧୩,୪୦୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। କଂଗ୍ରେସର ମାନସ ରଂଜନ ଦାସ ପଟ୍ଟନାୟକଙ୍କୁ ପାଇଥିଲେ ୧୯,୭୦୪ (୧୨.୪୫%) ଭୋଟ।

ସେହିପରି ତିର୍ତ୍ତୋଲରେ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁଚରଣ ଦାସ ୯୩,୯୬୭ (୫୪.୧୮%) ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ମିଳିଥିଲା ୫୩,୫୮୧ (୩୦.୯%) ଭୋଟ। ବିଷ୍ଣୁ ଦାସ ୪୦,୩୮୬ ଭୋଟ ବ୍ୟବଧାନରେ ବିଜୟଲାଭ କରିଥିବା ବେଳେ କଂଗ୍ରେସର ଦେବୀ ପ୍ରସାଦ ମଲ୍ଲିକଙ୍କୁ ୨୩,୮୦୯ (୧୩.୭୩%) ଭୋଟ ମିଳିଥିଲା।

ମତାମତ ଦିଅନ୍ତୁ ।