Breaking Newsବିଶେଷ

ବିରୋଧ ପ୍ରଦର୍ଶନର ବର୍ଷ ୨୦୨୦

ବର୍ଷ ୨୦୨୦ର ପ୍ରାରମ୍ଭ ଅର୍ଥାତ୍ ଜାନୁଆରୀ ମାସରେ ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣ (ଏନଆରସି)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଦିଲ୍ଲୀର ଶାହିନବାଗ ଠାରେ ହଜାର ହଜାର ଲୋକ ବିରୋଧ ପ୍ରଦର୍ଶନ କରିଥିଲେ । ବୟସ୍କ ଓ ମହିଳାମାନେ ମଧ୍ୟ ପ୍ରଚଣ୍ଡ ଥଣ୍ଡା (ଶୀତ) ସତ୍ତ୍ୱେ ଧାରଣାରେ ସାମିଲ ହୋଇଥିଲେ । ଏହି ଧାରଣାକୁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମର୍ଥନ ମିଳିଥିଲା । ବର୍ଷର ଶେଷରେ ଅର୍ଥାତ୍ ଡିସେମ୍ବର ମାସରେ ତିନି ନୂଆ କୃଷି ଆଇନକୁ ରଦ୍ଦ କରାଯିବା ଦାବିରେ କୃଷକମାନେ ଦେଶ ବ୍ୟାପି ବିରୋଧ ପ୍ରଦର୍ଶନ କରୁଛନ୍ତି ଯାହାର ପ୍ରତିକାତ୍ମକ ଚିତ୍ର ଦିଲ୍ଲୀର ସିଂଘୁ ସୀମାରେ ଦେଖାଯାଇଛି । ଦିଲ୍ଲୀ ସୀମାରେ ହଜାର ହଜାର ପୁରୁଷ ମହିଳା ଧାରଣାରେ ବସିଛନ୍ତି । ଏହି ଆନ୍ଦୋଳନକୁ ମଧ୍ୟ ଆନ୍ତର୍ଜାତୀୟ ସ୍ତରରୁ ସମର୍ଥନ ମିଳୁଛି । ଏ ଦୁଇ ଆନ୍ଦୋଳନ ଭିତରେ ବର୍ଷ ମଧ୍ୟରେ ଅନେକ ଛୋଟ ବଡ଼ ବିରୋଧ ପ୍ରଦର୍ଶନ ଓ ଆନ୍ଦୋଳନ ହୋଇଛି । ସେ ସବୁ ମଧ୍ୟରେ ରହିଛି ହାଥରସ୍ କାଣ୍ଡ ଯେଉଁ ଘଟଣାରେ ଜନୈକା ଦଳିତ ଯୁବତୀଙ୍କୁ ସାମୁହିକ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏ ଘଟଣାରେ ପୋଲିସର ଉଦାସୀନତାକୁ ନେଇ ପ୍ରଶ୍ନ ଉଠିଥିଲା । ଶ୍ରମ ଆଇନ ସଂଶୋଧନକୁ ନେଇ ଦେଶରେ ଶ୍ରମିକମାନେ ବିୋରଧ ପ୍ରଦର୍ଶନ କରିଥିଲେ । ଏଲୋପାଥିକ ଡାକ୍ତରମାନେ ମିକ୍ସୋପାଥୀ ବା ଆୟୁର୍ବେଦ ଡାକ୍ତରମାନଙ୍କୁ ୫୮ ପ୍ରକାରର ସର୍ଜରୀ (ଅପରେସନ) କାରିବାର ଅନୁମତି ଦିଆଯିବା ଘଟଣାକୁ ବିରୋଧ କରି ଥିଲେ । ଡାକ୍ତରମାନେ ମଧ୍ୟ ପିପିଲ କିଟସ, ବେତନ ଆଦିକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ୨୦୨୦ ବର୍ଷରେ ବିରୋଧ ପ୍ରଦର୍ଶନର ଏକ ଲମ୍ବା ତାଲିକା ରହିଛି । ଏଣୁ ଏହି ବର୍ଷକୁ ବିରୋଧ ପ୍ରଦର୍ଶନର ବର୍ଷ ବୋଲି ମଧ୍ୟ କୁହାଯାଇପାରେ ।

୨୦୨୦ରେ କରୋନା ଭାଇରସ ସଂକ୍ରମଣ କାରଣରୁ ପାଖାପାଖି ଦେଢ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମଣ କାରଣରୁ ମାର୍ଚ୍ଚ ୨୫ତାରିଖ ଠାରୁ ମଇ ମାସ ୩୧ପର୍ଯ୍ୟନ୍ତ ଦେଶରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଜୁନ ମାସ ୧ତାରିଖ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ଅନଲକ୍ ଘୋଷଣା କରାଯାଇଥିଲା । ଲକଡାଉନ ସମୟରେ ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକ ଜୀବିକା ହରାଇଥିଲେ । ଲକଡାଉନ କାରଣରୁ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଭୁଷୁଡି ଯାଇଥିଲା ଏବଂ ଜିଡିପି ମାଇନ୍ସ ୨୩.୫ ପ୍ରତିଶତ ସ୍ତରକୁ ଖସି ଆସିଥିଲା । କିନ୍ତୁ ଏଭଳି ଅବ୍ୟବସ୍ଥା ମଧ୍ୟରେ ରାଜନୀତି କିନ୍ତୁ ଠିକ୍ ଚାଲିଥିଲା । ଦିଲ୍ଲୀ ଓ ବିହାରରେ ବିଧାନସଭା ନିର୍ବାଚନ ହୋଇଥିଲା । ମଧ୍ୟପ୍ରଦେଶର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ପରେ ତାଙ୍କ ସମର୍ଥନ ବିଧାୟକମାନେ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହି କାରଣରୁ କମଳନାଥଙ୍କ ସରକାର ଭାଙ୍ଗି ଯାଇଥିଲା ଓ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନର ସୁଯୋଗ ମିଳିଥିଲା । ରାଜସ୍ଥାନରେ ମଧ୍ୟ ସଚିବ ପାଇଲଙ୍କ କାନ୍ଧରେ ବନ୍ଧୁକ ଥୋଇ ମଧ୍ୟପ୍ରଦେଶ ଭଳି ଘଟଣା ଘଟାଇବାର ଉଦ୍ୟମ ହୋଇଥିଲା । କିନ୍ତୁ ବହୁ କଷ୍ଟରେ ଅଶୋକ ଗେହେଲଟ କଂଗ୍ରେସ ସରକାରକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ।
ଦିଲ୍ଲୀ ବିଧାନସଭା ନିର୍ବାଚନକୁ ବିଜେପି ଶାହିନବାଗ୍ ପ୍ରସଙ୍ଗ କରି ଲଢିବାକୁ ଚାହିଁଥିଲା ଏବଂ ଆମ ଆଦମୀ ପାର୍ଟି ନିର୍ବାଚନରେ ୫ବର୍ଷର ସୁଶାସନର କଥା ଉଠାଇଥିଲା । ଦିଲ୍ଲୀ ଜନସାଧାରଣ ଅରବିନ୍ଦ କେଜ୍ରିୱାଲଙ୍କୁ ୬୨ଟି ଆସନରେ ଜିତାଇ ପୁଣି ସରକାର ଗଠନର ସୁଯୋଗ ଦେଇଥିଲେ । କିନ୍ତୁ ନିର୍ବାଚନ ପ୍ରଚାର ବେଳେ ଯେଉଁ ସାମ୍ପ୍ରଦାୟିକ ନିଆଁ ଲଗାଇ ଦିଆଗଲା ତାର ପରିଣାମ ଭୟଙ୍କର ହୋଇଥିଲା ଓ ଦଙ୍ଗା ଘଟି ୫୩ବ୍ୟକ୍ତିଙ୍କର ଜୀବନ ଯାଇଥିଲା । ଏପରିକି ବହୁ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ବିହାରରେ ମଧ୍ୟ ନୀତିଶ କୁମାରଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇଛନ୍ତି ସେଠାକାର ଭୋଟର । କିନ୍ତୁ ନୀତିଶଙ୍କ ଦଳ ଜନତା ଦଳ (ୟୁ) ପୂର୍ବ ଠାରୁ କମ୍ ଆସନ ପାଇଛି । କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଚିରାଗ ପାଶୱାନ ଏନଡିଏ ମେଣ୍ଟରୁ ଓହରି ଯାଇଥିଲେ ଓ ଜନତା ଦଳ (ୟୁ)ର ପ୍ରାର୍ଥୀଙ୍କ ବିପକ୍ଷରେ ଲୋକ ଜନଶକ୍ତି ପାର୍ଟିର ପ୍ରାର୍ଥୀ ଦେଇଥିଲେ । ପରାଜୟ ସତ୍ତ୍ୱେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ତେଜସ୍ୱୀ ଯାଦବ ବିହାରର ଶକ୍ତିଶାଳୀ ନେତା ଭାବେ ଉଭା ହୋଇଛନ୍ତି । ବଡ଼ କଥା ହେଉଛି ବିହାର ବିଧାନସଭା ନିର୍ବାଚନରେ ରୋଜଗାର ଥିଲା ମୁଖ୍ୟ ପ୍ରସଙ୍ଗ । ସବୁଦିନ ଓବୈସିଙ୍କ ଦଳ ବିହାରରେ ପ୍ରଥମ ଥର ୫ଟି ଆସନରେ ବିଜୟୀ ହୋଇଥିଲା । ଆରଜେଡି ନେତୃତ୍ୱରେ ମହାମେଣ୍ଟ ସାମାନ୍ୟ ଫରକରେ ସରକାର ଗଠନ କରିବାରେ ଅକ୍ଷମ ହୋଇଥିଲା ।

୨୦୧୪ରେ ଶାସନ ଗାଦୀକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ସହ ସମ୍ପର୍କ ସୁଧାରିବାର ପ୍ରୟାସ କରିଥିଲେ । ଏପରିକି ୨୦୧୭ର ଡୋକଲାମ ଗତିରୋଧ ସତ୍ତ୍ୱେ ମୋଦୀ ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଚୀନ ଏହାକୁ ଭାରତର ଦୁର୍ବଳତା ଭାବି ଫାଇଦା ଉଠାଇବା ପାଇଁ ଉଦ୍ୟମ କରିଥିଲା । ଏବର୍ଷ ମଇ ମାସରେ ଚୀନ ଲଦାଖର ପୂର୍ବାଞ୍ଚଳରେ ଅନୁପ୍ରବେଶ ପାଇଁ ଉଦ୍ୟମ କଲା ଓ ସୀମାରେ ଅଧିକ ପରିମାଣରେ ସେନା ଓ ଯୁଦ୍ଧ ସରଞ୍ଜାମ ଠୁଳ କଲା । ଜୁନ୍ ୧୫ତାରିଖ ମଧ୍ୟ ରାତ୍ରିରେ ୨୦ ଭାରତୀୟ ଜବାନ ବିରଗତି ପ୍ରାପ୍ତ କରିବା ପରେ ଭାରତ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଥିଲା । ଚୀନକୁ ଘେରିବା ପାଇଁ ଭାରତ ସରକାର ୧୦୦ରୁ ଅଧିକ ଆପକୁ ବ୍ୟାନ କରିଥିଲେ ଓ ଲଦାଖରେ ଅଧିକ ସେନା ଓ ସରଞ୍ଜାମ ଠୁଳ କରିଥିଲେ । ଏହାପରେ ଭାରତ ଓ ଚୀନରେ କମାଣ୍ଡରସ୍ତରୀୟ ବୈଠକ ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ଭାରତ ଚାହୁଁଛି ଚୀନ ସବୁ ସେକ୍ଟରରେ ଏପ୍ରିଲ ୨୦ତାରିଖର ସ୍ଥିତିକୁ ଫେରୁ କିନ୍ତୁ ଚୀନ ତାହା ମାନିକୁ ନାରାଜ ହେବା ସହ ପେଙ୍ଗାଙ୍ଗ୍ ହ୍ରଦ ଅଞ୍ଚଳର ଫିଙ୍ଗର ୪ ର ୮ରେ ଅଧିକ ସଂଖ୍ୟକ ଟ୍ୟାଙ୍କ ୬ ସଶନ୍ତ୍ର ବାହନ ଓ ସେନା ମୁତୟନ କରିଛି ।

ଏବର୍ଷ ଜାମ୍ମୁ-କାଶ୍ମୀରର ଅଧିକତର କଠୋରପନ୍ଥୀ ନେତାଙ୍କୁ ସରକାର ଜେଲରୁ ଛାଡି ଦେଇଛନ୍ତି । ଏହି ନେତାମାନେ ୩୭୦ଧାରା ହଟାଇବା ଓ ଜାମ୍ମୁ – କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ବିଭାଜିତ କରାଯିବା ଘଟଣାକୁ ବିରୋଧ କରି ରାଜନୀତି ଆରମ୍ଭ କରି ଦେଇଥିଲେ । ଏହି ନେତାମାନଙ୍କୁ ପିଏସଏ ଆଇନ ବଳରେ ଗିରଫ କରାଯାଇଥିଲା ଓ ସେମାନଙ୍କୁ ନଜରବନ୍ଦୀରେ ରଖାଯାଇଥିଲା । ମୁକୁଳିବା ପରେ ଫାରୁକ୍ ଅବଦୁଲ୍ଲାଙ୍କ ନେତୃତ୍ୱରେ ୬ଦଳର ନେତାମାନେ ଅଗଷ୍ଟ ୨୨ ତାରିଖରେ ଏକତ୍ରିତ ହୋଇ ଏକ ଘୋଷଣା ପତ୍ର ମଧ୍ୟ ଜାରି କରିଥିଲେ । ୫ତାରିଖରେ ସ୍ଥିତିକୁ ଫେରାଇ ଅଣାଯାଉ । ଏ ହେଉଛି ୨୦୨୦ର କିଛି ଘଟଣା । ୨୦୨୦କୁ ଏକ ଘଟଣା ବହୁଳ ବର୍ଷ ବୋଲି ମଧ୍ୟ କୁହାଯାଇପାରିବ ହେଲେ ସଡକରୁ ସଂସଦ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କାରଣରୁ ଏବର୍ଷକୁ ବିରୋଧ ପ୍ରଦର୍ଶନ ବର୍ଷ କୁହାଯିବା ଅଧିକ ଯଥାର୍ଥ ନିଶ୍ଚୟ ।
ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।

Back to top button