ମାର୍କେଟ୍ କମିଟି ସେକ୍ରେଟାରୀଙ୍କୁ ବିଜେପି ନେତ୍ରୀଙ୍କ ଚପଲ ମାଡ

ଚଣ୍ଡୀଗଡ଼ : ଚର୍ଚ୍ଚାରେ ବିଜେପି ନେତ୍ରୀ ସୋନାଲୀ ଫୋଗଟ୍। ହରିୟାଣା ହିସାରର ବଲସାମାନ୍ଦ ମାର୍କେଟ୍ କମିଟିର ସେକ୍ରେଟାରୀ ସୁଲତାନ ସିଂହଙ୍କୁ ସୋନାଲୀ ଚପଲରେ ପିଟିଛନ୍ତି। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।

ହରିୟାଣାର ହିସାରର ଆଦମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଟିକଟକ୍ ଷ୍ଟାର୍ ତଥା ବିଜେପି ନେତ୍ରୀ ସୋନାଲୀ କଂଗ୍ରେସ ପ୍ରାର୍ଥୀ କୁଲଦୀପ ବିଶ୍ନୋଇଙ୍କ ବିରୋଧରେ ଲଢ଼ି ହାରିଥିଲେ। ଏବେ ସାଧାରଣ ବିବାଦ ନେଇ ସେ ମାଡ଼ ମାରିଥିବା କୁହାଯାଉଛି। ସୋନାଲୀ ଏକ ଧାନ ମଣ୍ଡିକୁ ଯାଇଥିଲେ। ସେଠାରେ ମାର୍କେଟ୍ ସେକ୍ରେଟାରୀଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ତା’ପରେ ସୋନାଲୀ ସମସ୍ତଙ୍କ ସାମ୍ନାରେ ଉକ୍ତ ସେକ୍ରେଟାରୀଙ୍କୁ ଚାପୁଡ଼ା ଓ ଚପଲରେ ମାଡ଼ ମାରିଥିଲେ। ସୋନାଲୀଙ୍କୁ ରୋକିବାକୁ ସେକ୍ରେଟାରୀ ବାରମ୍ବାର ପ୍ରୟାସ କରୁଥିଲେ ମଧ୍ୟ ସେ ହାତ ଉଠାଇବା ସହିତ ଗାଳି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ପ୍ରକୃତ କେଉଁ କାରଣରୁ ଏପରି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।

ଏ ସମ୍ପର୍କରେ କଂଗ୍ରେସର ମୁଖପାତ୍ର ରଣଦୀପ ସୁର୍ଜେୱାଲା ଟ୍ୱିଟ୍ କରି କହିଛନ୍ତି ଖଟ୍ଟର ସରକାରଙ୍କ ନେତାଙ୍କ ଲଜ୍ଜାଜନକ କାଣ୍ଡ। ମାର୍କେଟ୍ କମିଟିର ସେକ୍ରେଟାରୀଙ୍କୁ ପଶୁ ଭଳି ପିଟୁଛନ୍ତି ଆଦମପୁରର ବିଜେପି ନେତା। ସରକାରୀ ଚାକିରି କରିବା କ’ଣ ଏବେ ଅପରାଧ ? ଖଟ୍ଟର ବାବୁ କ’ଣ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ ? କ’ଣ ମିଡିଆ ଚୁପ୍ ରହିବ ?

ମତାମତ ଦିଅନ୍ତୁ ।