କରୋନା ଟିକା ଉତ୍ପାଦନ ପାଇଁ ଭାରତୀୟ ପ୍ରତିଷ୍ଠାନ ସହ ରାଜିନାମା

ଲଣ୍ଡନ : କରୋନା ବା କୋଭିଡ-୧୯ ପ୍ରତିଷେଧକ ଟିକା ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ଉଦ୍ଭାବନ କରିଛି। ପରୀକ୍ଷଣ ସଫଳ ହେଲେ ଭାରତରେ ଉତ୍ପାଦନ ହେବ। ସେଥିପାଇଁ ବାୟୋଫାର୍ମା କମ୍ପାନି ଆଷ୍ଟ୍ରାଜେନିକା ଓ ପୁଣେର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟରେ ରାଜିନାମା ସ୍ଵାକ୍ଷର ହୋଇଛି। ଅନ୍ୟପକ୍ଷରେ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ କହିଛି ଟିକାର କାମ ଦ୍ରୁତ ବେଗରେ ଆଗେଇ ଚାଲିଛି। ନିକଟରେ ସରିଛି ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ। ପ୍ରାୟ ୧୦ ହଜାର ପ୍ରାପ୍ତ ବୟସ୍କ ସ୍ବେଚ୍ଛାସେବୀ ଏହି ଟିକା ନେଇଛନ୍ତି। ତେବେ ଆଷ୍ଟ୍ରାଜେନିକା ଓ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆଙ୍କ ମଧ୍ୟରେ ଲାଭରହିତ ରାଜିନାମାର ମୂଲ୍ୟ ୭୫୦ ମିଲିୟନ୍ ଡଲାର୍। ବିଲ୍ ଏବଂ ମେଲିଣ୍ଡା ଗେଟ୍‌ସ୍ ସଂସ୍ଥାପିତ ‘କୋଏଲିସନ୍ ଅଫ୍ ‌ଏପିଡେମିକ୍ ପ୍ରିପାର୍ଡନେସ୍ ଇନୋଭେସନ୍‌ସ୍’ ଓ ‘ଗେଭି ଦ ଭ୍ୟାକ୍ସିନ୍ ଆଲିଏନ୍ସ’ ଏହି ଟିକାର ପ୍ରସ୍ତୁତି, ଖରିଦ ଓ ବଣ୍ଟନ ବ୍ୟୟ ବହନ କରୁଛି। ଚଳିତବର୍ଷ ଶେଷ ସୁଦ୍ଧା ଏହି ଟିକାର ଯୋଗାଣ ଆରମ୍ଭ ହେବ।

ମତାମତ ଦିଅନ୍ତୁ ।